ମୟୂରଭଞ୍ଜର ସ୍ୱାଭିମାନ ଓ ପ୍ରତିନିଧିତ୍ୱର ଶୂନ୍ୟତା: ସ୍ୱାଧୀନତା ଦିବସରେ ଦେଖିବାକୁ ମିଳିଛି
ମୟୂରଭଞ୍ଜର ସ୍ୱାଭିମାନ ଓ ପ୍ରତିନିଧିତ୍ୱର ଶୂନ୍ୟତା: ସ୍ୱାଧୀନତା ଦିବସରେ ଦେଖିବାକୁ ମିଳିଛି । ସ୍ୱାଧୀନତା ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ କେବଳ ଏକ ସରକାରୀ ଉତ୍ସବ ନୁହେଁ, ଏହା ଜାତୀୟ ଗୌରବ, ସ୍ୱାଭିମାନ ଓ ଦେଶପ୍ରେମର ଏକ ପବିତ୍ର ପ୍ରତୀକ। ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ଏହି ଦିନ ଜାତୀୟ ପତାକା ଉତ୍ତୋଳନ ହୋଇଥାଏ, ଯେଉଁଠି ଜନପ୍ରତିନିଧି, ପ୍ରଶାସନ ଓ ସାଧାରଣ ଜନତା ଏକାଠି ହୋଇ ସହିଦମାନଙ୍କ ସ୍ମୃତିଚାରଣ କରନ୍ତି ଏବଂ ଦେଶର ପ୍ରଗତି ପାଇଁ ସଂକଳ୍ପ ନିଅନ୍ତି। ମାତ୍ର ବିଗତ ଓ ଚଳିତ ସ୍ୱାଧୀନତା ଦିବସରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ବାରିପଦାରେ ଦେଖିବାକୁ ମିଳିଥିବା ଚିତ୍ର ଜିଲ୍ଲାବାସୀଙ୍କ ମନରେ ଏକ ଗଭୀର ଆଘାତ ଓ ଅସଂଖ୍ୟ ପ୍ରଶ୍ନ ସୃଷ୍ଟି କରିଛି। ରାଜନୈତିକ ବ୍ୟବସ୍ଥା ଓ ଜନମତ ଦୃଷ୍ଟିରୁ ମୟୂରଭଞ୍ଜ ଆଜି ରାଜ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜିଲ୍ଲାରୁ ୯ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣ ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳୁଛନ୍ତି। ଏତେ ବଡ଼ ରାଜନୈତିକ ପ୍ରତିନିଧିତ୍ୱ ଥାଇ ମଧ୍ୟ, ଜିଲ୍ଲା ମୁଖ୍ୟାଳୟର ମୁଖ୍ୟ ସ୍ୱାଧୀନତା ଦିବସ ଉତ୍ସବରେ ପତାକା ଉତ୍ତୋଳନ ପାଇଁ ଜଣେ ହେଲେ ବି ମନ୍ତ୍ରୀ କିମ୍ବା ବିଧାୟକ ଉପସ୍ଥିତ ନ ରହିବା ନିଶ୍ଚିତ ଭାବେ ଏକ ନିରାଶାଜନକ ଏବଂ ଚିନ୍ତାଜନକ ବିଷୟ। ଏହି ସଂବେଦନଶୀଳ ଘଟଣାକୁ ନେଇ ଆଜି ଜିଲ୍ଲାବାସୀଙ୍କ ମନରେ ତିନୋଟି ମୁଖ୍ୟ ପ୍ରଶ୍ନ ଉଠୁଛି:ପ୍ରଥମ ପ୍ରଶ୍ନ କ’ଣ ଜିଲ୍ଲା ପ୍ରଶାସନର କୌଣସି ଆନ୍ତରିକତା କିମ୍ବା ପ୍ରୋଟୋକଲ୍ ଗତ ତ୍ରୁଟି, ଯାହା ପାଇଁ ଜନପ୍ରତିନିଧିମାନଙ୍କୁ ସଠିକ୍ ଭାବେ ନିମନ୍ତ୍ରଣ କରାଯାଇ ନଥିଲା? ଦ୍ୱିତୀୟତଃ, ନିଜ ନିଜ ନିର୍ବାଚନ ମଣ୍ଡଳୀର କାର୍ଯ୍ୟସୂଚୀ କିମ୍ବା ଅନ୍ୟାନ୍ୟ ବ୍ୟସ୍ତତା ଯୋଗୁଁ ନେତାମାନେ ଜିଲ୍ଲା ମୁଖ୍ୟାଳୟକୁ ଆସିବାକୁ ସମୟ ପାଇଲେ ନାହିଁ? କିମ୍ବା ତୃତୀୟତଃ, ଐତିହାସିକ ଓ ଗୌରବମୟ ମୟୂରଭଞ୍ଜ ମାଟି ପାଇଁ ଆମ ନିର୍ବାଚିତ ପ୍ରତିନିଧିମାନଙ୍କ ହୃଦୟରେ ସେହି ଆନ୍ତରିକତା, ଭଲପାଇବା ଓ ସ୍ୱାଭିମାନର ସ୍ଥାନ ଆଉ ନାହିଁ? ମୟୂରଭଞ୍ଜ କେବଳ ଏକ ସାଧାରଣ ଜିଲ୍ଲା ନୁହେଁ; ଏହାର ରହିଛି ଏକ ସମୃଦ୍ଧ ଇତିହାସ, ସ୍ୱାଧୀନ ସତ୍ତା, ସଂସ୍କୃତି ଓ ସ୍ୱାଭିମାନର ପରମ୍ପରା। ଯେଉଁ ମାଟିର ଜନତା ନେତାମାନଙ୍କୁ ପୂର୍ଣ୍ଣ ଆସ୍ଥା ପ୍ରକଟ କରି ଗଣତାନ୍ତ୍ରିକ ଗାଦିକୁ ପଠାଇଛନ୍ତି, ସେହି ମାଟିର ମୁଖ୍ୟାଳୟରେ ଜାତୀୟ ପର୍ବ ପାଳନ ସମୟରେ ନେତୃତ୍ୱର ଅନୁପସ୍ଥିତି ସାଧାରଣ ନାଗରିକଙ୍କୁ ଗଭୀର ଭାବେ ବ୍ୟଥିତ କରିଛି। ଏହା କେବଳ ଏକ ସରକାରୀ ଶିଷ୍ଟାଚାରର ଅଭାବ ନୁହେଁ, ବରଂ ଜିଲ୍ଲାବାସୀଙ୍କ ଆବେଗ ଓ ସ୍ୱାଭିମାନ ପ୍ରତି ଏକ ପ୍ରକାର ଉଦାସୀନତା। ସ୍ୱାଧୀନତା ଦିବସ ଭଳି ମହାନ ଜାତୀୟ ପର୍ବରେ ନିଜ ମାଟିର ମୁଖ୍ୟାଳୟରେ ଛିଡ଼ା ହୋଇ ଜାତୀୟ ପତାକାକୁ ସଲାମୀ ଦେବା ଜଣେ ଜନପ୍ରତିନିଧି ପାଇଁ କେବଳ କର୍ତ୍ତବ୍ୟ ନୁହେଁ, ଏହା ଏକ ଗୌରବର ବିଷୟ। ପ୍ରଶାସନ ଓ ଜନପ୍ରତିନିଧିଙ୍କ ମଧ୍ୟରେ ଥିବା ଏହି ସମନ୍ୱୟହୀନତା କିମ୍ବା ଆନ୍ତରିକତାର ଅଭାବ କାହାର, ତାହାର ଆତ୍ମସମୀକ୍ଷା ହେବା ଅତ୍ୟନ୍ତ ଜରୁରୀ। ମୟୂରଭଞ୍ଜର ଜନତା ଆଜି ନୀରବରେ ଉତ୍ତର ମାଗୁଛନ୍ତି—ଆମର ପ୍ରତିନିଧିତ୍ୱ ତ ସଂସଦ ଓ ବିଧାନସଭାରେ ଅଛି, କିନ୍ତୁ ଆମ ଜିଲ୍ଲାର ମୁଖ୍ୟ ସ୍ୱାଧୀନତା ଉତ୍ସବରେ ସେମାନଙ୍କର ଉପସ୍ଥିତି ଓ ଆନ୍ତରିକତା କାହିଁକି ଅଦୃଶ୍ୟ? ଆମର ସଂସ୍କାର ପରମ୍ପରା ଆଦର୍ଶ ଓ ସ୍ଵାଭିମାନର ପର୍ବ ବା ଉତ୍ସବଠାରୁ ଆଜି କାହିଁକି ଦୂରେଇଯାଉଛନ୍ତି ଜନପ୍ରତିନିଧି। ଏହାକୁ ନେଇ ସବୁମହଳରେ ଚର୍ଚ୍ଚା, ଦେଶପ୍ରେମ ଦେଶଭକ୍ତି ର କଥା ଯେଉଁମାନଙ୍କୁ ନେଇ ପ୍ରଶ୍ନ ଉଙ୍କିମାରୁଛି ଏହା ସମାଜ ପ୍ରତି ଏକ ପ୍ରଶ୍ନ ବାଚି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
1