ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ କାଳିମେଳା ବ୍ଲକ ଗସ୍ତ: ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ଏସଏଚଜି ମହିଳାଙ୍କୁ ପ୍ରଶଂସା

Aug 3, 2026 - 19:33
 0  5
ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ କାଳିମେଳା ବ୍ଲକ ଗସ୍ତ: ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ଏସଏଚଜି ମହିଳାଙ୍କୁ ପ୍ରଶଂସା

ମାଲକାନଗିରି,୩/୮/୨୬: ଆଜି ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ଦଳ କାଳିମେଳା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରବୁ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏବଂ କାଳିମେଳା ବ୍ଲକ ଉନ୍ନୟନ ଅଧିକାରୀ ଉପସ୍ଥିତ ଥିଲେ। ସମସ୍ତ ଅଧିକାରୀ ପ୍ରଥମେ ତେଲରାଇ ଗ୍ରାମରେ ପହଞ୍ଚି ପ୍ରଗତି ପଥେ ଯୁବା ମାଲକାନଗିରି କେନ୍ଦ୍ର ପରିଦର୍ଶନ କରିଥିଲେ। ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ନେତୃତ୍ୱ ନେବାର କ୍ଷମତା ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଯୁବକମାନଙ୍କ ସ୍ୱାସ୍ଥ୍ୟ ପାଇଁ ଜିମ୍ ଉପକରଣ, କ୍ରୀଡ଼ା ସାମଗ୍ରୀ ଏବଂ ଜ୍ଞାନ ଆହରଣ ପାଇଁ ଦୈନିକ ଖବରକାଗଜ ସହ ବିଭିନ୍ନ ବହିର ବ୍ୟବସ୍ଥା କରାଯାଇଛି। ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ ସକରାତ୍ମକ ପରିବର୍ତ୍ତନ ଆଣିବାରେ ଏହି କେନ୍ଦ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଏହା ଜାତୀୟ ସ୍ତରର ସ୍କୋଚ୍ ଆୱାର୍ଡ ପାଇଁ ମଧ୍ୟ ମନୋନୀତ ହୋଇଛି। ଏହା ସହିତ ଜିଲ୍ଲାପାଳ ସେଠାରେ ମାଁ ଧରିତ୍ରୀ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି) ଦ୍ୱାରା ପରିଚାଳିତ କଳା ଧାନ ପ୍ରକ୍ରିୟାକରଣ କେନ୍ଦ୍ରର କାର୍ଯ୍ୟକଳାପ ବୁଲି ଦେଖିଥିଲେ। ଜିଲ୍ଲାପାଳ ଓ ଉପସ୍ଥିତ ଅଧିକାରୀମାନେ ଏସଏଚଜି ମାଆମାନଙ୍କ ସହ ସେମାନଙ୍କ ବ୍ୟବସାୟ ଓ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ମହିଳାମାନଙ୍କର ଏଭଳି ଉତ୍ସର୍ଗୀକୃତ କାର୍ଯ୍ୟ ଓ ଆତ୍ମନିର୍ଭରଶୀଳ ହେବାର ପ୍ରୟାସକୁ ଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ। ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ସ୍ଥାନୀୟ ମହିଳାମାନେ ବେଶ୍ ଆଦର କରିଛନ୍ତି। ଏହାପରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ପରିଦର୍ଶନ କରିଥିଲେ। ସେମାନେ ବିଶେଷ କରି ତେଲରାଇ-ଏମଭି ୭୭ ରାସ୍ତା ଓ ପୋଲ କାମ ସମେତ ସୁଧାଖୁଣ୍ଟା ଠାରୁ ମାଛାଘାଟ ପୋଲ କାର୍ଯ୍ୟର ସ୍ଥିତି ପରଖିଥିଲେ। ଜନସାଧାରଣଙ୍କ ସୁବିଧା ପାଇଁ କାମର ଗୁଣବତ୍ତା ଉପରେ କଡ଼ା ନଜର ରଖିବା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ସେଠାରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ