ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ବବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳିତ

Aug 16, 2025 - 19:01
 0  14
ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ବବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳିତ

ବାରିପଦା ୧୪/୦୮: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ୭୯ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସର୍ବପ୍ରଥମେ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ଓ ସିକ୍ୟୁରିଟି ଅଧିକାରୀମାନଙ୍କ ମିଳିତ ପ୍ୟାରେଡ କରାଯାଇ ବିଶ୍ବବିଦ୍ୟାଳୟରେ ଅବସ୍ଥାପିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ତାପରେ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ପତାକା ଉତ୍ତୋଳନ ପରେ ସମବେତ ଜାତୀୟ ସଙ୍ଗୀତ ଗାନ କରାଯାଇ ଭାରତମାତା ଏବଂ ମହାପୁରୁଷ ମାନଙ୍କର ଜୟଗାନ କରାଯାଇଥିଲା। ପ୍ରଫେସର ବାରିକ ନିଜ ବକ୍ତବ୍ୟରେ କହିଥିଲେ ଯେ, ସ୍ବାଧୀନତା ଏକ ଶବ୍ଦ ମାତ୍ର ନୁହେଁ, ଏହା ପ୍ରତିଟି ଭାରତୀୟଙ୍କ ଆତ୍ମ ସ୍ବାଭିମାନ, ସମ୍ମାନ ଓ ଅସ୍ମିତାର ପରିଚୟ। ସମସ୍ତେ ଏହି ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖି ଜାତୀୟତାର ବିକାଶ ପାଇଁ ସମର୍ପିତ ହେବାହିଁ ଦେଶ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି। କାର୍ଯ୍ୟକ୍ରମରେ କୁଳସଚିବ ସୁଶ୍ରୀ ସୁମିତା ସିଂ, ବିତ୍ତ ନିୟନ୍ତ୍ରଣ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସୁବ୍ରତ ରଣା, ଗବେଷଣା ଓ‌ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ କୁମାର ଶତପଥୀ, ବି‌ଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତଙ୍କ ସମେତ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷକ ଗବେଷିକା, ଅଣଶିକ୍ଷକ କର୍ମଚାରୀମାନେ ଯୋଗଦାନ କରିଥିଲେ। ପରେ 'ଘର୍ ଘର୍ ତ୍ରିରଙ୍ଗା' କାର୍ଯ୍ୟକ୍ରମ ଅନୁସାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବିଶ୍ବବିଦ୍ୟାଳୟରୁ ବାହାରି ତକତପୁର ପରିକ୍ରମା କରିଥିଲା। ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଜାତୀୟ ସେବା ଯୋଜନା ବ୍ୟୁରୋ ପକ୍ଷରୁ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଘର୍ ଘର୍ ତ୍ରିରଙ୍ଗା ମାଧ୍ୟମରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରବୀଣ ପ୍ରଧାନ,ସଞ୍ଜିବନୀ ନାଥ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ଅଳକା ପ୍ରିୟଦର୍ଶିନୀ ସାମଲ ଏବଂ ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବକ୍ତୃତା ପ୍ରତିଯୋଗିତାରେ ପ୍ରବୀଣ ପ୍ରଧାନ, ଜ୍ୟୋତିପ୍ରକାଶ ଶତପଥୀ ଏବଂ ବିଶ୍ବରଂଜନ ଭୋଇ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡକ୍ଟର ବିଷ୍ଣୁପ୍ରିୟା ହାଁସ୍‌ଦା ଏବଂ ଡକ୍ଟର ଶିଶିର ବେହେରା ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ