।। ବୃଦ୍ଧା ମା' ଖୋଜୁଛି ମମତାର ମୂଲ: ଚାରୋଟି ପୁଅ ଥାଇ ବି ଅଲୋଡ଼ା ।।

Jul 13, 2023 - 21:07
 0  19
।। ବୃଦ୍ଧା ମା' ଖୋଜୁଛି ମମତାର ମୂଲ: ଚାରୋଟି ପୁଅ ଥାଇ ବି ଅଲୋଡ଼ା ।।

ବୟସର ଅପରାହ୍ନରେ ବୃଦ୍ଧା ମା' ଖୋଜୁଛି ମମତାର ମୂଲ। ସ୍ନେହ ପରସ ସାଙ୍ଗକୁ ଟିକେ ଭଲ ପାଇବା। ହେଲେ ୪ଟା ପୁଅଙ୍କୁ ଜନ୍ମ ଦେଇ ବି ହତଭାଗା ମା' ଆଖିରୁ ଶୁଖୁନି ଲୁହ। ଭଲମନ୍ଦ ଖାଇବାକୁ ଦେବା ଦୂରର କଥା, ପେଟ କଥା କହିଲେ ପଡ଼ୁଛି ମାଡ଼, ଗାଳି। ଏ ବୟସରେ ପୁଅବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ବୃଦ୍ଧା ଯମ କାହିଁକି ନେଇ ଯାଉନି ବୋଲି ବିଳିବିଳେଇ ହେଉଛନ୍ତି। ହେଲେ ତାଙ୍କ ଛାତି ତଳର କୋହ ଶୁଣିବାକୁ ତଥା ଆଖି ଲୁହ ପୋଛି ଦେବାକୁ ନିଜ ଲୋକଙ୍କ ପାଖରେ ସମୟ ନାହିଁ। ଏପରି ଏକ ହୃଦୟସ୍ପର୍ଶୀ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମହୁଲିଆ ପଞ୍ଚାୟତ ସାମଦାସ ପୁର ଗାଁରେ ଦେଖିବାକୁ ମିଳିଛି। ସାମଦାସ ପୁର ଗାଁର କୌଶଲ୍ୟା କର। ବୟସ ୮୦ପାର କଲାଣି। ଆଖିକି ଭଲକି ଦିଶୁ ନାହିଁ। ଚମ ବି ଧୁଡୁଧୁଡୁ ହୋଇଗଲାଣି। ସଳଖେଇ ଚାଲିପାରୁ ନାହାନ୍ତି। ଘୋଷରି ଘୋଷରି ଚାଲୁଛନ୍ତି। ଏହି ବୟସରେ କୌଶଲ୍ୟାଙ୍କୁ ପୁଅ ‍ବୋହୂ ପଚାରୁ ନାହାନ୍ତି। ଖାଇବାକୁ ଗଣ୍ଡେ ଦେଉନାହାନ୍ତି। ପେଟ ଚାଖଣ୍ଡେ ପାଇଁ ବାର ଦୁଆର ହେଉଛନ୍ତି କୌଶଲ୍ୟା। ବହୁ ବର୍ଷ ହେଲେ କୌଶଲ୍ୟାଙ୍କ ସ୍ୱାମୀ ଅରପାରି ଚାଲିଯାଇଛନ୍ତି । ଘରେ ତାଙ୍କର ଚାରି ପୁଅ ଚାରି ବୋହୂ ଅଛନ୍ତି, ସବୁ ପୁଅ ରୋଜଗାର ବି କରୁଛନ୍ତି। ହେଲେ କେହି ମାଆକୁ ପଚାରୁ ନାହାନ୍ତି। ଖାଇବାକୁ ମାଗିଲା ବେଳକୁ ପୁଅ ,ବୋହୂ ମାରପିଟ କରୁଛନ୍ତି। ଗାଁରେ ମାଗି ଯାଚି ଖାଉଛନ୍ତି। ନ ହେଲେ ଭୋକ ଉପାସରେ ଶୋଇପଡ଼ୁଛନ୍ତି ବୋଲି କୌଶଲ୍ୟା ଅଭିଯୋଗ କରିଛନ୍ତି। ଯେଉଁ ବୟସରେ ବୋହୂ ପରସା ଖାଇବା କଥା, ନାତିନାତୁଣୀକୁ କୋଳରେ ଧରି ଖେଳାଇବା କଥା। ସେହି ବୟସରେ ନିଜର ପେଟ ପାଇଁ ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛନ୍ତି କୌଶଲ୍ୟା।। ପିଲାମାନଙ୍କ ଦେଖାରଖାରେ ବୟସର ଅପରାହ୍ନ କଟିଯିବ ବୋଲି ଭାବୁଥିବା ଏହି ବୁଢ଼ୀ ମା'ର ସ୍ୱପ୍ନ ଯେପରି ଭାଙ୍ଗି ଚୂରମାର ହୋଇଯାଇଛି। ମୋତେ କାହିଁକି ଯମ ନେଉ ନାହିଁ ବୋଲି ବାର ବାର କୌଶଲ୍ୟା କହି ହେଉଛନ୍ତି। ନିଜ ଭାଗ୍ୟକୁ ବାର ବାର ନିନ୍ଦି ହେଉଛନ୍ତି। କୌଶଲ୍ୟାଙ୍କ ଏପରି ଅବସ୍ଥା ଆଜି କାଲିର ନୁହେଁ, ୧୫ ବର୍ଷ ହେଲା କୌଶଲ୍ୟା ଏପରି ଦିନ କାଟୁଥିବା କହିଛନ୍ତି। କୌଶଲ୍ୟା କହିଛନ୍ତି , ମୋର ଚାରି ଚାରିଟା ପୁଅ । ବୋହୂ, ନାତି ନାତୁଣୀରେ ଘର ପୂରୁଛି, ଉଠୁଛି। ହେଲେ କେହି ମୋତେ ପଚାରୁ ନାହାନ୍ତି କି ଖାଇବାକୁ ଦେଉନାହାନ୍ତି। ଖାଇବାକୁ ମାଗିଲା ବେଳକୁ ମାରୁଛନ୍ତି। କିଏ କେମିତି ଦେଲେ ଖାଉଛି, ନ ହେଲେ ଭୋକ ଉପାସରେ ରହୁଛି। ହେଲେ ୬ ଦିନ ହେଲା କିଛି ନ ଖାଇ ନାହିଁ। ଚାଲିବାକୁ ଦେହରେ ବଳ ପାଉନି। ପୁଅ ବୋହୂ ଖାଇବାକୁ ଦେଉ ନାହାନ୍ତି। ଗାଁରେ ମାଗି ଖାଉଛି। କିଏ କେତେବେଳେ ଖାଇବାକୁ ଦେଉଛି କେତେବେଳେ ଦେଉ ନାହିଁ। ୨ରୁ ୩ ଦିନରେ ଥରେ ଖାଉଛି। ମୋ ପୁଅବୋହୂ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଛନ୍ତି। ମୋ ଜୀବନ ଶୀଘ୍ର କାହିଁକି ଚାଲିଯାଉନି ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। କୌଶଲ୍ୟାଙ୍କ ଏପରି ଅବସ୍ଥା ପାଇଁ ତାଙ୍କ ପୁଅକୁ ପଚାରିବାକୁ ସେ କହିଛନ୍ତି, ଆମେ ମା'କୁ ଖାଇବାକୁ ଦେଉଛି। ହେଲେ ସେ ଘରେ ରହୁ ନାହିଁ। ଚାରିଆଡ଼େ ପଳାଇଯାଉଛି। ଦୀର୍ଘ ଦିନ ସେ ମାଗିଯାଚି ଖାଉଛନ୍ତି। ପୁଅବୋହୂ ତାଙ୍କୁ ନେଇ ଡାକ୍ତର ଦେଖାନ୍ତୁ ଓ ନିଜ ପାଖରେ ରଖନ୍ତୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ