।। ବିଜେପି ପ୍ରାର୍ଥୀଙ୍କୁ ବିରୋଧ କଲେ ଦଳୀୟ ନେତା ଓ କର୍ମୀ ।।

Apr 4, 2024 - 21:34
 0  10

ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମଙ୍ଗଳବାର ବିଜେପିର କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ବଡ଼ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହା ପରେ ଏଠାରେ ବିଜେପିରେ ଅସନ୍ତୋଷ ତଥା ବିରୋଧ ଆରମ୍ଭ ହୋଇଛି । ବୁଧବାର ବିଜେପି ଟିକେଟ ଆଶାୟୀ ଓ କର୍ମୀମାନେ କୁରୁମପୁରୀ ଶ୍ରୀସାଇ କଲେଜ ପରିସରରେ ଏକ ବୈଠକ କରି ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କ ଉପସ୍ଥିତିରେ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ । ଆଶାୟୀ ପ୍ରସନ୍ନ ପାଢ଼ୀ ଓ ଯଦୁମଣି ପାଣିଗ୍ରାହୀଙ୍କ ଅଭିଯୋଗ ଯେ ବସନ୍ତ ପଣ୍ଡା ସାଂସଦ ହେବା ପରେ ସେମାନେ ନୂଆପଡ଼ା ବିଜେପିରେ ବର୍ଷ ବର୍ଷ ଧରି କାମ କରି ଦଳକୁ ସଦୃଢ଼ ସ୍ଥିତିକୁ ଆଣିଛନ୍ତି । ଏବେ ଦଳ ସେମାନଙ୍କୁ ଅଣାଦେଖା କରି ଜଣେ ଯୁବ ଚେହେରାଙ୍କୁ ପ୍ରାର୍ଥୀ କରିଥିବାରୁ ଏହାକୁ ସଂପୂର୍ଣ୍ଣ ବିରୋଧ କରାଯିବ । ଗୁରୁବାର ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବହୁ ବିଜେପି ନେତା ଓ କର୍ମୀ ଭୁବନେଶ୍ଵର ଯାଇ ଦଳର ରାଜ୍ୟ ସଭାପତିଙ୍କୁ ସାକ୍ଷାତ କରି ନିଜ ଅସନ୍ତୋଷ ବ୍ୟକ୍ତ କରିବେ । ଟିକେଟ ପ୍ରତ୍ୟାହାର କରିବା ସହ ଏହା ଉପରେ ପୁନର୍ବିଚାର ପାଇଁ ଦାବି କରିବେ ବୋଲି ଶ୍ରୀ ପାଢ଼ୀ କହିଛନ୍ତି । ଏହି ବିରୋଧ ସଭାରେ ବିଜେପି ନେତା ମନିଜର ଆର୍ଯ୍ୟ, ଦୃଷ୍ଟି ମାଝୀ, ଚତୁର୍ଭୁଜ ଶର୍ମା, ବିଜେପି ମଣ୍ଡଳ ସଭାପତି ବିକ୍ରମ ଆଡ଼ବଙ୍ଗ, ଡମ୍ବରୁଧର ମହାନନ୍ଦ, ଚନ୍ଦନ ଠାକୁର, ଦେବାନନ୍ଦ ସାହୁ, ଥାନାସିଂ ଠାକୁର, ଅନନ୍ତ ଶବର, ଲାଲାରାମ ସାହୁ, ରାଜେଶ ଗୋଲଛାଙ୍କ ସହ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0