ବାରିପଦାରେ ଓରମାସ୍ ରାଖି ଷ୍ଟଲ୍ ଉଦ୍‌ଘାଟିତ:ମୟୂରଭଞ୍ଜର ହସ୍ତନିର୍ମିତ ଓ ପରିବେଶ ଅନୁକୂଳ ରାଖିକୁ ମିଳୁଛି ବ୍ୟାପକ ବଜାର ସୁଯୋଗ:-ମହିଳା କାରିଗରଙ୍କ ଆୟ ଓ ଆତ୍ମନିର୍ଭରତା ବୃଦ୍ଧି ଉପରେ ଗୁରୁତ୍ୱ

Aug 20, 2026 - 20:58
 0  13
ବାରିପଦାରେ ଓରମାସ୍ ରାଖି ଷ୍ଟଲ୍ ଉଦ୍‌ଘାଟିତ:ମୟୂରଭଞ୍ଜର ହସ୍ତନିର୍ମିତ ଓ ପରିବେଶ ଅନୁକୂଳ ରାଖିକୁ ମିଳୁଛି ବ୍ୟାପକ ବଜାର ସୁଯୋଗ:-ମହିଳା କାରିଗରଙ୍କ ଆୟ ଓ ଆତ୍ମନିର୍ଭରତା ବୃଦ୍ଧି ଉପରେ ଗୁରୁତ୍ୱ

ବାରିପଦା, (୨୦/୦୮): ବାରିପଦାସ୍ଥିତ ବୟନିକା ବିକ୍ରୟ ଷ୍ଟୋର ‘ମୟୂର ଶିଳ୍ପ’ ପରିସରରେ ଆଜି ‘ରାଖି ଷ୍ଟଲ୍–୨୦୨୬’ ଉଦ୍‌ଘାଟିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ ଦୁଃଖବନ୍ଧୁ ନାୟକ ଏହି ଷ୍ଟଲ୍‌ର ଉଦ୍‌ଘାଟନ କରିଥିଲେ । ମୟୂରଭଞ୍ଜର ସ୍ଥାନୀୟ କାରିଗରମାନଙ୍କ ହସ୍ତନିର୍ମିତ ଓ ପରିବେଶ ଅନୁକୂଳ ରାଖିକୁ ବ୍ୟାପକ ବଜାର ସୁଯୋଗ ପ୍ରଦାନ ସହ ମହିଳା କାରିଗରମାନଙ୍କ ଜୀବିକା ଓ ଆୟ ବୃଦ୍ଧି ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ସ୍ଥାନୀୟ ସମ୍ବଳ, ପାରମ୍ପରିକ କାରିଗରୀ ଓ ମହିଳାଙ୍କ ଦକ୍ଷତାକୁ ବଜାର ସହ ଯୋଡ଼ିବା ମାଧ୍ୟମରେ ସେମାନଙ୍କ ଆତ୍ମନିର୍ଭରତା ସୁଦୃଢ଼ ହେବା ସହ ସ୍ଥାନୀୟ ଅର୍ଥନୀତି ମଧ୍ୟ ଅଧିକ ସୁଦୃଢ଼ ହେବ ବୋଲି ସେ ପ୍ରକାଶ କରିଛନ୍ତି । ମୟୂରଭଞ୍ଜ ସବାଇ କୃଷକ ଉତ୍ପାଦନ କମ୍ପାନୀ ଲିମିଟେଡ୍‌ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କ ସହଯୋଗରେ ଏହି ରାଖି ତିଆରି କରିଛି । ସାବାଇ, ଡୋକ୍ରା ଓ ବାଉଁଶ ଭଳି ପ୍ରାକୃତିକ ଓ ସ୍ଥାନୀୟ ସାମଗ୍ରୀରେ ନିର୍ମିତ ଏହି ରାଖିଗୁଡ଼ିକ ମୟୂରଭଞ୍ଜର ସମୃଦ୍ଧ କାରିଗରୀ ପରମ୍ପରା, ସୃଜନଶୀଳତା ଓ ସ୍ଥାନୀୟ ସମ୍ବଳର ସୁନ୍ଦର ସମନ୍ୱୟକୁ ପ୍ରତିଫଳିତ କରୁଛି । ଏହାଦ୍ୱାରା ସ୍ଥାନୀୟ କାରିଗରଙ୍କ ଉତ୍ପାଦକୁ ବଜାର ସହ ଯୋଡ଼ିବା, ବିକ୍ରୟ ସୁଯୋଗ ବୃଦ୍ଧି କରିବା ଏବଂ ମହିଳା କାରିଗରମାନଙ୍କୁ ନିଜ ଦକ୍ଷତାର ଉପଯୋଗ କରି ଅତିରିକ୍ତ ଆୟର ସୁଯୋଗ ପ୍ରଦାନ କରିବାର ଲକ୍ଷ୍ୟ ଏହି ପଦକ୍ଷେପ ଦ୍ବାରା ପୂରଣ କରାଯାଇ ପାରୁଛି । ମୟୂରଭଞ୍ଜର ଏହି ହସ୍ତନିର୍ମିତ ରାଖିର ଚାହିଦା ଜିଲ୍ଲା ସୀମା ଅତିକ୍ରମ କରିଛି । ବାଲେଶ୍ୱର, ସମ୍ବଲପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଓରମାସ୍‌ ମଧ୍ୟ ମୟୂରଭଞ୍ଜ ଓରମାସ୍‌ ନିକଟରୁ ଏହି ରାଖି ସଂଗ୍ରହ କରିଛନ୍ତି । ଏହା ମୟୂରଭଞ୍ଜର ରାଖି ପ୍ରସ୍ତୁତକାରୀ କାରିଗରମାନଙ୍କ ଉଚ୍ଚମାନର କାରିଗରୀ ଦକ୍ଷତା, ସୃଜନଶୀଳତା ଓ ସେମାନଙ୍କ ଉତ୍ପାଦର ବୃଦ୍ଧିଶୀଳ ବଜାର ଚାହିଦାର ପ୍ରମାଣ । ଏହା ମୟୂରଭଞ୍ଜର ସ୍ଥାନୀୟ ହସ୍ତଶିଳ୍ପକୁ ବ୍ୟାପକ ବଜାର ସହ ଯୋଡ଼ିବାରେ ଓରମାସ୍‌ର ପ୍ରୟାସର ସଫଳତାକୁ ମଧ୍ୟ ପ୍ରତିଫଳିତ କରୁଛି । ଏହି ଅବସରରେ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ୍‌)ର ଡେପୁଟି ନିର୍ବାହୀ ଅଧିକାରୀ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରାଉତ, ଓଡ଼ିଶା ଜୀବିକା ମିଶନ୍‌ର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ନବୀନ କୁମାର ସେନାପତି, ମିଶନ୍ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ନିରଞ୍ଜନ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ଏବଂ ପିଏମ୍ ଲିଭଲିହୁଡ୍‌ର ଶ୍ରୀମତୀ ମଧୁସ୍ମିତା ଭୂୟାଁଙ୍କ ସମେତ ଓରମାସ୍‌, ମିଶନ୍ ଶକ୍ତି ଓ ସମ୍ପୃକ୍ତ ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ