ବଣ୍ଡା ଓ ଦିଦାୟୀ ଆଦିମ ଜନଜାତିଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ମାଲକାନଗିରି ପ୍ରଶାସନର ସ୍ୱତନ୍ତ୍ର ସ୍ୱୀପ ସଚେତନତା ଅଭିଯାନ

Jun 13, 2026 - 18:43
 0  19
ବଣ୍ଡା ଓ ଦିଦାୟୀ ଆଦିମ ଜନଜାତିଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ମାଲକାନଗିରି ପ୍ରଶାସନର ସ୍ୱତନ୍ତ୍ର ସ୍ୱୀପ ସଚେତନତା ଅଭିଯାନ

ମାଲକାନଗିରି,୧୩/୬/୨୬: ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵୀପ ଆନୁକୂଲ୍ୟରେ ଏକ ବ୍ୟାପକ ତଥା ମାରାଥନ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (ଏସଆଇଆର-୨୦୨୬) ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ସମ୍ପ୍ରଦାୟର ଶତପ୍ରତିଶତ ଯୋଗ୍ୟ ନାଗରିକଙ୍କୁ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ପ୍ରଶାସନ ଏହି ବଡ଼ ଧରଣର ଅଭିଯାନ ଆରମ୍ଭ କରିଛି। ବିଶେଷ କରି ସମାଜର ମୁଖ୍ୟ ସ୍ରୋତରୁ ଦୂରରେ ଥିବା ବଣ୍ଡା ଓ ଦିଦାୟୀ ଆଦିମ ଜନଜାତି ଏବଂ କୋୟା ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଭୋଟର ଅଧିକାର ବିଷୟରେ ସଚେତନ କରାଯାଇଛି। ଜିଲ୍ଲାର ଖଇରପୁଟ ଏବଂ ପଡ଼ିଆ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଏହି ସ୍ୱତନ୍ତ୍ର ସଚେତନତା ଶିବିରମାନ ଆୟୋଜନ କରାଯାଇ ସ୍ଥାନୀୟ ଅଧିବାସୀଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ଉତ୍ସାହିତ କରାଯାଇଛି। ଏହି ମେଗା ସଚେତନତା ଅଭିଯାନ ମାଲକାନଗିରି ଉପଜିଲ୍ଲାପାଳ ତଥା ଜିଲ୍ଲା ସ୍ଵୀପ ନୋଡାଲ ଅଫିସର ଦୁର୍ଯ୍ୟୋଧନ ଭୋଇଙ୍କ ପ୍ରତ୍ୟେକ୍ଷ ନେତୃତ୍ୱ ଓ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା। ଏହି ଫିଲ୍ଡ ଆଉଟରିଚ୍ କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ ସ୍ତରର ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁଦୂର ଆଦିବାସୀ ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଖଇରପୁଟ ବ୍ଲକ ଉନ୍ନୟନ ଅଧିକାରୀ ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏଇଆରଓ) ଏବଂ କୁଡୁମୁଲୁଗୁମ୍ମା ତହସିଲଦାର ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏଇଆରଓ) ଯୋଗ ଦେଇ ଭୋଟର ତାଲିକା ପ୍ରସ୍ତୁତି ଏବଂ ସଂଶୋଧନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ତାଙ୍କ ସହିତ ପାଡ଼ିଆ ବ୍ଲକ ଉନ୍ନୟନ ଅଧିକାରୀ ତଥା ଏଇଆରଓ ଅଶ୍ୱିନୀ କୁମାର ମହାପାତ୍ର, ମାଲକାନଗିରି ସହକାରୀ ଜିଲ୍ଲାପାଳ ତଥା ଏଇଆରଓ କେ. ଅଶୋକ ଚକ୍ରବର୍ତ୍ତୀ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ଅଜୟ ମାଣ୍ଡାଙ୍ଗୀ ପ୍ରମୁଖ ଉପସ୍ଥିତ ରହି ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି କିଭଳି ନିଜ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିପାରିବେ, ସେ ସମ୍ପର୍କରେ ସରଳ ଭାଷାରେ ବୁଝାଇଥିଲେ। ବଣ୍ଡା ଜନଜାତିଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ମୁଦୁଲିପଡ଼ା ସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ନିଜର ସମ୍ପୂର୍ଣ୍ଣ ଟିମ୍ ସହିତ ଏହି ଅଭିଯାନରେ ସାମିଲ ହୋଇଥିଲେ। ଆଦିମ ଜନଜାତିଙ୍କ ଭାଷା ଓ ସଂସ୍କୃତିକୁ ଧ୍ୟାନରେ ରଖି ସେମାନଙ୍କୁ ବୁଝାଯାଇଥିଲା ଯେ, ଗଣତନ୍ତ୍ରରେ ସେମାନଙ୍କର ଗୋଟିଏ ଗୋଟିଏ ଭୋଟର କେତେ ମୂଲ୍ୟ ରହିଛି। ଶିବିରରେ ଉପସ୍ଥିତ ଅଧିକାରୀମାନେ ନୂତନ ଭୋଟର ନାମ ପଞ୍ଜୀକରଣ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ଭୋଟର କାର୍ଡରେ ଥିବା ଭୁଲ୍ ସଂଶୋଧନ କରିବା ପ୍ରକ୍ରିୟା ଉପରେ ଡେମୋ ମାଧ୍ୟମରେ ସୂଚନା ଦେଇଥିଲେ। ମାଲକାନଗିରି ଜିଲ୍ଲା ପ୍ରଶାସନର ଏହି ମିଳିତ ତଥା ଦୃଢ଼ ପ୍ରୟାସକୁ ସ୍ଥାନୀୟ ଜନଜାତି ବେଶ୍ ପ୍ରଶଂସା କରିବା ସହ ଆଗାମୀ ଦିନରେ ସମସ୍ତେ ନିଜର ନାମ ଯାଞ୍ଚ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। କୌଣସି ଜଣେ ହେଲେ ଯୋଗ୍ୟ ନାଗରିକ ଯେପରି ନିଜର ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ନ ହେବେ, ତାହା ସୁନିଶ୍ଚିତ କରିବା ପ୍ରଶାସନର ମୂଳ ଲକ୍ଷ୍ୟ ବୋଲି ସ୍ଵୀପ ନୋଡାଲ ଅଫିସର ସୂଚନା ଦେଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ