ପରଲୋକରେ ବିଶିଷ୍ଟ କବି ଇ.ଶାନ୍ତନୁ ଦାସପଟ୍ଟନାୟକ

Dec 6, 2025 - 18:38
 0  2
ପରଲୋକରେ ବିଶିଷ୍ଟ କବି ଇ.ଶାନ୍ତନୁ ଦାସପଟ୍ଟନାୟକ

ବାରିପଦା - ତା :- ୦୬/୧୨/୨୦୨୫ ରିଖ ମୟୁରଭଞ୍ଜ ନିବାସୀ ବରିଷ୍ଠ ଯନ୍ତ୍ରୀ ତଥା ବିଶିଷ୍ଟ କବି ଶାନ୍ତନୁ ଦାସପଟ୍ଟନାୟକଙ୍କ ୮୪ବର୍ଷ ବୟସରେ ହାଇଦ୍ରାବାଦସ୍ଥିତ ତାଙ୍କର ସୁପୁତ୍ର ସଂବିତ ଦାସପଟ୍ଟନାୟକଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି । ଅନ୍ତିମ ସମୟରେ ତାଙ୍କ ସହଧର୍ମିଣୀ ବିଶିଷ୍ଟ କବୟତ୍ରୀ, ଚିତ୍ରଶିଳ୍ପୀ ଅଳକା ଦାସପଟ୍ଟନାୟକ, ପୁତ୍ର ସଂବିତ, ପୁତ୍ରବଧୁ ଇଷିତା , ଦୁଇନାତି ଆୟୁଷ୍ମାନ ଓ ସୂର୍ୟାଂଶ, ଜ୍ୟେଷ୍ଠା କନ୍ୟା ସୁନ୍ୟା, ଜ୍ୟେଷ୍ଠ ଜାମାତା ସଂଜିତ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ଦାହକର୍ମ ସମାପନ କରିଥିଲେ। ଦିବଂଗତ ଶାନ୍ତନୁ ତାଳଚେର ଥର୍ମାଲସ୍ଥିତ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡରେ ଇଞ୍ଜିନିୟର ଭାବେ ନିଷ୍ଠାପର ଭାବେ କାର୍ଯ୍ୟ କରି ପଦୋନ୍ନତି ନେଇଥିଲେ ନୂଆ ଦିଲ୍ଲୀର ମୁଖ୍ୟ ଶାଖାକୁ । ସେଇଠି ତାଙ୍କର ବହୁମୂଖୀ ପ୍ରତିଭାର ବିକଶିତ ହେଲା I ଦିଲ୍ଲୀର ଶ୍ରୀ ଜଗନ୍ନାଥ ମନ୍ଦିର ସଂସଦର ଜଣେ ପ୍ରବୀଣ ସଂଗଠକ ରହି ଅନେକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରିବା ସହିତ ସାହିତ୍ୟ ,କଳା, ସଂସ୍କୃତିରେ ପ୍ରଗାଢ ରୁଚି ରଖିଥିଲେ । ପରେ ପରେ ଦିଲ୍ଲୀରୁ ନାଗପୁର ଶାଖାକୁ ଜେନେରାଲ ମ୍ୟାନେଜର ଭାବେ ସ୍ଥାନାନ୍ତରିତ ହେଲେ ଏବଂ ପରେ ମୁମ୍ବାଇର ଜେନେରାଲ ଇଲେକ୍ଟ୍ରୋନିକ୍ସରେ ଉଚ୍ଚ ପଦବୀରେ ରହି ଅବସର ଗ୍ରହଣ କରିଥିଲେ । ଅବସର ପରେ କ୍ରୋମ୍ପଟ୍ରୋନ କମ୍ପାନୀର ମୁଖ୍ଯ ପରାମର୍ଶଦାତା ଭାବେ କାର୍ଯ୍ୟରତ ଥିଲେ । ଆକସ୍ମିକ ଭାବେ ମେରୁଦଣ୍ଡରେ ଆଘାତ ହେବା ଯୋଗୁଁ ଦୀର୍ଘ ଦିନ ଚିକିତ୍ସାଧୀନ ରହି ଶେଷରେ ଚଳିତ ମାସ ୪ତାରିଖ ପ୍ରାତଃ ୫ଟାରେ ପରଲୋକ ଗମନ କଲେ । ୧୯୪୨ ମସିହା ଅପ୍ରେଲ ମାସ ୬ ତାରିଖରେ ବାରିପଦାସ୍ଥିତ ପୁରୁଣା ହାଟ ସାହିରେ ସେ ଜନ୍ମଗ୍ରହଣ କରିଥିଲେ । ଦିବଂଗତ ଶାନ୍ତନୁ ପିତା ସ୍ବର୍ଗତ ସତୀଶ ଚନ୍ଦ୍ର ଦାସ ପଟ୍ଟନାୟକ ଓ ମାତା ସ୍ବର୍ଗତା ବିଷ୍ଣୁପ୍ରିୟା ଦାସପଟ୍ଟନାୟକଙ୍କ ଜ୍ୟେଷ୍ଠ ପୁତ୍ର ଥିବାବେଳେ ତାଙ୍କର କନିଷ୍ଠ ଭ୍ରାତା ଭାବେ ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର, ବିଶିଷ୍ଟ କବି , ସୁସାହିତ୍ୟିକ ସନତ ଦାସପଟ୍ଟନାୟକ , ସଂଗୀତ ପ୍ରେମୀ ଭଗିନୀ ସଂଘମିତ୍ରା ରାୟ ,ଭ୍ରାତା ବିଶିଷ୍ଟ ଚାର୍ଟାଡ ଆକାଉଣ୍ଟାଣ୍ଟ , କ୍ରିକେଟ ଖେଳାଳୀ ପ୍ରଣବ ଦାସ ପଟ୍ଟନାୟକ ଏବଂ ସର୍ବ କନିଷ୍ଠ ଭ୍ରାତା ଓଡ଼ିଶା ମଂଚ ଓ ଚଳଚ୍ଚିତ୍ର ଜଗତର ସୁନାମଧନ୍ଯ ଅଭିନେତା,ଲେଖକ ଓ ନିର୍ଦ୍ଦେଶକ ଚିନ୍ମୟ ଦାସପଟ୍ଟନାୟକ ନିଜ ନିଜର କ୍ଷେତ୍ରରେ ଅବସ୍ଥାପିତ ଅଛନ୍ତି । ଶାନ୍ତନୁଙ୍କ ବିୟୋଗରେ ତାଙ୍କର ପରିବାର ବର୍ଗ ଦୁଃଖରେ ମ୍ରିୟମାଣ ରହିବା ସଂଗେ ସଂଗେ ଆତ୍ମୀୟସ୍ବଜନ ଓ ବନ୍ଧୁବାନ୍ଧବଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ