ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ନୂଆପଡ଼ା୨୦/୮: ନୂଆପଡ଼ା ଜିଲ୍ଲା ସଡ଼କ ସୁରକ୍ଷା କମିଟି (ଡିଆର୍ଏସ୍ସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଡ଼କ ଦୁର୍ଘଟଣା ହ୍ରାସ, ଅବୈଧ ପାର୍କିଂ ନିୟନ୍ତ୍ରଣ, ଭାରୀଯାନ ଚଳାଚଳରେ ନିୟମାବଳୀ, ହେଲମେଟ୍ ବ୍ୟବହାର ଏବଂ ବିପଜ୍ଜନକ ସଡ଼କ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବୈଠକ ଆରମ୍ଭରେ ଅଧୀକ୍ଷଣ ଯନ୍ତ୍ରୀ, ଆର୍ ଆଣ୍ଡ ବି, ଖରିଆର ଶଶାଙ୍କ ଶେଖର ଶୁକ୍ଳା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ପୂର୍ବ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକର ନିଷ୍ପତ୍ତିଗୁଡ଼ିକର ଅନୁପାଳନ ରିପୋର୍ଟ ଏବଂ ଆଜିର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା। ସହରାଞ୍ଚଳରେ ଟ୍ରାଫିକ୍ ଭିଡ଼ ଓ ସଡ଼କ ଦୁର୍ଘଟଣା ଆଶଙ୍କା ହ୍ରାସ ପାଇଁ ନୂଆପଡ଼ା, ଖରିଆର ରୋଡ୍ ଓ ଖରିଆର ଏନ୍ଏସି ଅଞ୍ଚଳରେ ଭାରୀଯାନ ପ୍ରବେଶକୁ ନିୟନ୍ତ୍ରଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସକାଳ ୭ଟାରୁ ୧୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସହର ଅଞ୍ଚଳକୁ ଭାରୀଯାନ ପ୍ରବେଶ ନିଷେଧ କରାଯିବ। ରାସ୍ତା ପାର୍ଶ୍ୱରେ ବେଆଇନ ଭାବେ ପାର୍କିଂ କରାଯାଇଥିବା ଯାନବାହନକୁ ତୁରନ୍ତ ହଟାଇବା ପାଇଁ ନୂଆପଡ଼ା, ଖରିଆର ରୋଡ୍ ଓ ଖରିଆର ଏନ୍ଏସି ପକ୍ଷରୁ କ୍ରେନ୍ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୫ ସୁଦ୍ଧା କ୍ରେନ୍ କ୍ରୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ବିଜୁ ଏକ୍ସପ୍ରେସ୍ୱେରେ ଯେଉଁ ସ୍ଥାନଗୁଡ଼ିକରେ ଡାଇଭର୍ସନ କରାଯାଇଛି, ସେଠାରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ସହ ମରାମତି କାର୍ଯ୍ୟ ଶୀଘ୍ର ସମାପ୍ତ କରି ଦୁର୍ଘଟଣା ରୋକିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୨୬ ଜାନୁଆରୀରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ହେଲମେଟ୍ ବିନା ଗାଡ଼ି ଚଳାଇବା ଅଭିଯୋଗରେ ମାସୱାରୀ ଭାବେ ୬୦୧, ୭୦୨, ୭୯୭, ୬୨୯, ୨୨୫, ୩୦୯, ୧୬୭ ଓ ୩୮୨ଟି ଚାଲାଣ ଜାରି ହୋଇଛି। ସେହିପରି ମଦ୍ୟପାନ କରି ଗାଡ଼ି ଚଳାଇବା ମାମଲାରେ ଏହି ସମୟ ମଧ୍ୟରେ ମୋଟ ୧୭୦ଟି ଚାଲାଣ କରାଯାଇଥିବା ତଥ୍ୟ ବୈଠକରେ ଉପସ୍ଥାପିତ ହୋଇଥିଲା। ଜୁନ୍ ୨୦୨୬ରେ ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ମୋଟ ୪୬୪ଟି ଇ-ଚାଲାଣ ଜାରି ହୋଇଥିଲା। ସେଥିମଧ୍ୟରେ ୧୬୭ଟି ହେଲମେଟ୍ ବିନା ଚାଳନା, ୬୬ଟି ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା, ୬ଟି ମାଲବାହୀ ଯାନରେ ଯାତ୍ରୀ ପରିବହନ ଓ ୪ଟି ଓଭରଲୋଡ୍ ମାମଲା ରହିଥିଲା। ଏହି ମାସରେ ୪୦୧ଟି ଇ-ଚାଲାଣ ମାମଲାରୁ ମୋଟ ୧୫ ଲକ୍ଷ ୫୧ ହଜାର ୫୬୫ ଟଙ୍କା ଜରିମାନା ଆଦାୟ ହୋଇଥିଲା। ବୈଠକରେ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲମେଟ୍ ହବ୍ଗୁଡ଼ିକର ସ୍ଥିତି ସମୀକ୍ଷା କରାଯାଇଥିଲା। ହେଲମେଟ୍ ହବ୍ରେ ନିୟମିତ ଯାଞ୍ଚ, ପ୍ରଥମିକ ଚିକିତ୍ସା ବକ୍ସ ବ୍ୟବସ୍ଥା, ପେଭର ବ୍ଲକ୍ରେ ସମତଳୀକରଣ ଏବଂ ପାନିଗ୍ରାହୀ ପେଟ୍ରୋଲ ପମ୍ପ ନିକଟସ୍ଥ ହେଲମେଟ୍ ହବ୍ରେ ସ୍ଥାୟୀ ଛାତ ନିର୍ମାଣ ଭଳି ପଦକ୍ଷେପର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ଖରିଆର ରୋଡ୍ ଓ ଖରିଆର ଏନ୍ଏସି ପକ୍ଷରୁ ହେଲମେଟ୍ ହବ୍ଗୁଡ଼ିକର ନିୟମିତ କ୍ଷେତ୍ର ପରିଦର୍ଶନ କରାଯାଉଥିବା ସୂଚନା ଦିଆଯାଇଥିଲା। ସେହିପରି ‘ନୋ ହେଲମେଟ୍–ନୋ ପେଟ୍ରୋଲ’ ବ୍ୟବସ୍ଥାର କଡ଼ା ଅନୁପାଳନ ପାଇଁ ପେଟ୍ରୋଲ ପମ୍ପଗୁଡ଼ିକରେ ଆର୍ଟିଓ ଏନ୍ଫୋର୍ସମେଣ୍ଟ ଟିମ୍ ଦ୍ୱାରା ନିୟମିତ ଯାଞ୍ଚ କରାଯିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଶ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୂର୍ମୀ ସୋରେନ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ଉମାକାନ୍ତ ମେହେର, ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ, ଆର୍ ଆଣ୍ଡ ବି ଏସଡିଓ ସୁକାନ୍ତ ଗରଡ଼ିଆ, ଏମ୍ଭିଆଇ ଉପେନ୍ଦ୍ର ପୁଷିକା, ନୂଆପଡ଼ା, ଖରିଆର ଓ ଖରିଆର ରୋଡ୍ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0