।। ନିର୍ବାଚନ -୨୦୨୪କୁ ନେଇ ଉପଖଣ୍ଡ ସ୍ତରୀୟ ପୋଲିସ ପ୍ରଶିକ୍ଷଣ ଶିବିର ।।

ମୁନିଗୁଡ଼ା: ତା୨୨-୩ ଆଗାମି ସାଧାରଣ ନିର୍ବାଚନ-୨୦୨୪କୁ କିପରି ସୁଚାରୁରୁପେ ପରିଚାଳନା କରାଯାଇ ପାରିବ ସେଥିପାଇଁ ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ସ୍ଥିତ ପଞ୍ଚାୟତ କ୍ଲଷ୍ଟର୍ ହାଉସ୍ ପରିସରରେ ଉପଖଣ୍ଡ ସ୍ତରୀୟ ପୋଲିସ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ପ୍ରଶିକ୍ଷକ ଭାବେ ରାୟଗଡା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର,ବିଷମକଟକ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସନ୍ତୋସିନୀ ଓରାମ ଯୋଗଦେଇ ଉଭୟ ଲୋକସଭା ଓ ବିଧାନ ସଭା ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଯାରି କରିଥିବା ବିଭିନ୍ନ ନିୟମାବଳୀ ଓ ଆଇନ ବିଷୟରେ ବିସ୍ତୃତ ଭାବେ ଉପସ୍ଥିତ ପୋଲିସ ବାହିନିଙ୍କୁ ଅବଗତ କରାଇଥିଲେ।ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଥିବାରୁ ପୋଲିସ ବାହିନୀ ଏବଂ ଅନ୍ୟ ସୁରକ୍ଷା ବଳ ଉପରେ ଦାୟିତ୍ୱ ବଢ଼ି ଯାଇଛି।ଏଣୁ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ଭାବରେ ଆୟୋଜିତ ହେବ ସେଥିପାଇଁ ପୋଲିସ ବାହିନ ସଦା ସତର୍କ,ସଜାଗ ଓ କଟକଣା ମଧ୍ୟରେ ନିଜକୁ ପ୍ରସ୍ତୁତ ରଖିବାକୁ ଶ୍ରୀଯୁକ୍ତ ପାତ୍ର ଆହ୍ଵାନ ଦେଇଥିଲେ।ନିର୍ବାଚନ କମିଶନଙ୍କ ପ୍ରତ୍ୟେକ ନିର୍ଦ୍ଦେଶ ଓ ଆଦେଶନାମାକୁ ପ୍ରତ୍ୟେକ ପୋଲିସ କର୍ମଚାରୀ ମାନି କାର୍ଯ୍ୟ କରିବା ସହିତ ନିର୍ବାଚନ ସମୟରେ ଘଟୁଥିବା ବିଭିନ୍ନ ଅଘଟଣ ସମ୍ବନ୍ଧୀୟ ଆଇନର ଧାରା ଏବଂ ଦଣ୍ଡବିଧି ଉପରେ ସୂଚିତ କରାଇଥିଲେ।ପୋଲିସ ବାହିନୀ କିପରି ଉପଖଣ୍ଡ ସ୍ତରରେ ନିର୍ବାଚନକୁ ପରିଚାଳନା କରିବେ ସେଥିପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇ ବ୍ୟବସ୍ଥିତ ରୂପେ କାର୍ଯ୍ୟ କରାଯିବ ସେନେଇ ଆଲୋଚନା କରିଥିଲେ। ଏହି ଶିବିରରେ ବିଷମକଟକ ଏସଡିପିଓ ଶ୍ରୀମତୀ ଓରାମଙ୍କ ସମେତ ପୋଲିସ ଉପଖଣ୍ଡ ଅଧିନରେ ଥିବା ମୁନିଗୁଡ଼ା ଆଇଆଇସି ସୌଦାମିନୀ ବେହେରା , ବିଷମକଟକ ଆଇଆଇସି ସୂର୍ଯ୍ୟଚନ୍ଦ୍ର ପାତ୍ର,ଚନ୍ଦ୍ରପୁର ଆଇଆଇସି ଧରଣୀଧର ପ୍ରଧାନ,ଅମ୍ବାଦଳା ଆଇଆଇସି କଳ୍ପନା ବେହେରା, ଡାଙ୍ଗସରୋଡା ଫାଣ୍ଡି ଏସ ଆଇ ନରେନ୍ଦ୍ର କୁମାର ବେହେରା, ଜଗଦଲପୁର ଫାଣ୍ଡି ଅଧିକାରୀ ଉମାକାନ୍ତ ଶବର ଏବଂ ସେସବୁ ଥାନା ଓ ଫାଣ୍ଡି ଅଧିନରେ ଥିବା ୨୦୦ ରୁ ଉର୍ଦ୍ଧ ଗ୍ରାମ ରାକ୍ଷୀ ଏବଂ ପୋଲିସ ଅଧିକାରୀ ଶିବିରରେ ଯୋଗ ଦେଇଥିଲେ ।ଶେଷରେ ଏସଡିପୀଓ ଶ୍ରୀମତୀ ଓରାମ ସମସ୍ତ ପୋଲିସ ବାହିନୀକୁ ଆଗାମୀ ନିର୍ବାଚନରେ ନିରପେକ୍ଷ ଭାବରେ କାର୍ଯ୍ୟ କରିବା ସହିତ ନିଜ ନିଜ ଦାୟିତ୍ୱ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଆହ୍ଵାନ ଦେଇଥିଲେ।ଶିବିର ପରିଚାଳନାରେ ମୁନିଗୁଡ଼ା ଥାନା ଏସଆଇ ମନୋରଞ୍ଜନ ବିଶ୍ୱାଳ,ଚକ୍ରଧର ବେହେରା,ନରେନ୍ଦ୍ର ବେହେରା ସମେତ ସମସ୍ତ ପୋଲିସ କର୍ମଚାରୀ ସହାୟତା କରିଥିଲେ।
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






