ଜିଲ୍ଲାସ୍ତରୀୟ ମହାସମାଧାନ ଶିବିର:ମୋଟ ୯୯ ଗୋଟି ଅଭିଯୋଗ ପତ୍ର ଗ୍ରହଣ

Aug 3, 2026 - 19:38
 0  7
ଜିଲ୍ଲାସ୍ତରୀୟ ମହାସମାଧାନ ଶିବିର:ମୋଟ ୯୯ ଗୋଟି ଅଭିଯୋଗ ପତ୍ର ଗ୍ରହଣ

ମୁଖ୍ୟମନ୍ତ୍ରୀ ରିଲିଫ୍ ଓ ରେଡକ୍ରସ୍ ପାଣ୍ଠିରୁ ୫ ଜଣ ଆବେଦନକାରୀଙ୍କୁ ୯୦,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ

*ଝାରସୁଗୁଡ଼ା, ୦୩/୦୮(ଫାଷ୍ଟ ନିଉଜ ଓଡ଼ିଶା):* ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କ ସମସ୍ୟାର ସରଳ ଓ ତ୍ୱରିତ ସମାଧାନ ପାଇଁ ଏକ ଜିଲ୍ଲା ସ୍ତରୀୟ ମହାସମାଧନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜି. ଆର୍. ରାଘବେନ୍ଦ୍ର ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ଜିଲ୍ଲାର ପ୍ରତ୍ୟେକ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଆବେଦନଗୁଡ଼ିକର ସମୀକ୍ଷା କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନେଇ ସୂଚନା ଦେଇଛନ୍ତି। ଏହି ଅଭିଯୋଗ ଶୁଣାଣି ଶିବିରରେ ସର୍ବମୋଟ ୯୯ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏଥିମଧ୍ୟରୁ ୭୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ପତ୍ର ହୋଇଥିବା ବେଳେ ୨୬ ଗୋଟି ସାମୂହିକ ଅଭିଯୋଗ ଆସିଥିଲା। ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ସ୍ୱରୂପ ୫ ଜଣ ଆବେଦନକାରୀଙ୍କୁ ସର୍ବମୋଟ ୯୦,୦୦୦ ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରାଯାଇଛି। ଏଥିମଧ୍ୟରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ମାଧ୍ୟମରେ ୩ ଜଣ ହିତାଧିକାରୀଙ୍କୁ ୪୦,୦୦୦ ଟଙ୍କା ଏବଂ ରେଡକ୍ରସ୍ ପାଣ୍ଠିରୁ ୨ ଜଣ ହିତାଧିକାରୀଙ୍କୁ ୫୦,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଶିବିରରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜମି ବିବାଦ, ଜମି ଚିହ୍ନଟ ଏବଂ ଏହାର ସଠିକ୍ ମାପଚୁପ, ଜମି ଆବଣ୍ଟନ, ନିଷ୍କାସନ ବା ଡ୍ରେନେଜ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ରାସ୍ତାଘାଟ ନିର୍ମାଣ ବିଦ୍ୟୁତ୍ ଯୋଗାଣ ସମସ୍ୟା, ଜାତିଗତ ପ୍ରମାଣପତ୍ର, ଏବଂ ସଂପୃକ୍ତ ବିଭାଗୀୟ ସମସ୍ୟା ଏବଂ ନିର୍ବାଚନ ସମ୍ବନ୍ଧୀୟ ବିବାଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆବେଦନଗୁଡ଼ିକ ଦାଖଲ ହୋଇଥିଲା। ଜିଲ୍ଲାପାଳ ପ୍ରତ୍ୟେକ ବିଭାଗକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହିସବୁ ସମସ୍ୟାର ସମାଧାନ କରିବାକୁ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର, ବିଡିଓ, ଜିଲ୍ଲାର ସମସ୍ତ ମୁଖ୍ୟ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ପୌର ପରିଷଦ, ଜିଲ୍ଲା ପୋଲିସ ପ୍ରଶାସନ ଏବଂ ଶ୍ରମ ଓ ନିୟୋଜନ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇ ଆବେଦନଗୁଡ଼ିକର ତୁରନ୍ତ ନିଷ୍ପତ୍ତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ନେଇ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ