ଗୋମାତା ସୁରକ୍ଷା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ: ବୁଲା ଗୋରୁଙ୍କୁ ପିନ୍ଧାଗଲା ରାଡିୟମ୍ ବେଲ୍ଟ
ମାଲକାନଗିରି,୫/୮/୨୬: ସଡ଼କ ଦୁର୍ଘଟଣା ରୋକିବା ଏବଂ ବୁଲା ଗୋରୁମାନଙ୍କ ଜୀବନ ରକ୍ଷା କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ଓ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ କରାଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଙ୍କ ଦୂରଦୃଷ୍ଟିସମ୍ପନ୍ନ ଓ ପ୍ରଶଂସନୀୟ ନେତୃତ୍ୱରେ ଗୋମାତା ସୁରକ୍ଷା ଯୋଜନା ଅଧୀନରେ ଏହି ବିଶେଷ ଅଭିଯାନ ସଫଳତାର ସହ ଚାଲୁ ରହିଛି। ଜିଲ୍ଲା ପ୍ରଶାସନର ଏହି ଜନହିତକର ତଥା ପ୍ରାଣୀ କଲ୍ୟାଣମୂଳକ ପଦକ୍ଷେପକୁ ସ୍ଥାନୀୟ ଜନସାଧାରଣ ଏବଂ ବିଭିନ୍ନ ମହଲରେ ବେଶ୍ ଉଚ୍ଚ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ, ମାଲକାନଗିରି ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ତରୁଣ କୁମାର ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ଏବଂ ମାର୍ଗଦର୍ଶନରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ର ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ବାଲିମେଳା, ମାଥିଲି ଏବଂ ଖଇରପୁଟ ବ୍ଲକର ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱବର୍ତ୍ତୀ ଗୋବିନ୍ଦପାଲ୍ଲୀ ଅଞ୍ଚଳରେ ରାସ୍ତାରେ ବୁଲୁଥିବା ଗୋରୁମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବେକରେ ଅତ୍ୟଧିକ ଚମକଦାର ରାଡିୟମ୍ ବେଲ୍ଟ ପିନ୍ଧାଯାଇଛି। ଗୋବିନ୍ଦପାଲ୍ଲୀ ଦେଇ ଗତି କରିଥିବା ୩୨୬ ନମ୍ବର ଜାତୀୟ ରାଜପଥ ଏକ ବ୍ୟସ୍ତବହୁଳ ରାସ୍ତା ହୋଇଥିବାରୁ ଏଠାରେ ରାତ୍ରି ସମୟରେ ଅନ୍ଧାର ଯୋଗୁଁ ବୁଲା ଗୋରୁମାନେ ଗାଡ଼ି ଚାଳକଙ୍କୁ ସହଜରେ ଦୃଶ୍ୟମାନ ହୁଅନ୍ତି ନାହିଁ। ଏହି ରାଡିୟମ୍ ବେଲ୍ଟ ଗୁଡ଼ିକ ଗାଡ଼ିର ଆଲୋକ ପଡ଼ିବା ମାତ୍ରେ ଦୂରରୁ ଚମକିବ, ଯାହା ଗାଡ଼ି ଚାଳକଙ୍କୁ ସତର୍କ କରାଇବ ଏବଂ ଉଭୟ ମଣିଷ ଓ ଗୋମାତାଙ୍କ ଜୀବନ ରକ୍ଷା କରିପାରିବ। ଜିଲ୍ଲାପାଳ ଙ୍କ ଦିଗଦର୍ଶନ ଏବଂ ସିଡିଭିଓ ଙ୍କ ନିଷ୍ଠାପର ତତ୍ତ୍ୱାବଧାନ ଯୋଗୁଁ ଏଆରଡି ଟିମ୍ ଅତି ଦ୍ରୁତ ଗତିରେ ପ୍ରାଥମିକ ପର୍ଯ୍ୟାୟରେ ଏହି କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିଛନ୍ତି। ଏହି ପ୍ରାରମ୍ଭିକ ସଫଳତା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ଯେ, ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକ ଏବଂ ପ୍ରମୁଖ ଜାତୀୟ ରାଜପଥଗୁଡ଼ିକରେ ଥିବା ବୁଲା ଗୋରୁମାନଙ୍କୁ ମଧ୍ୟ ବ୍ୟାପକ ଭାବେ ଏହି ସୁରକ୍ଷା ବେଲ୍ଟ ଲଗାଯିବ। ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଏଭଳି ସମ୍ବେଦନଶୀଳ ଏବଂ ସକ୍ରିୟ ଶାସନ ପ୍ରଣାଳୀ ସମସ୍ତଙ୍କ ପାଇଁ ଏକ ଅଦ୍ଭୁତପୂର୍ବ ଉଦାହରଣ ସୃଷ୍ଟି କରିଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0