‘ଖୁଦପେଜ୍ ଗୌରବ’ ଓ ‘ପ୍ରଶସ୍ତି ସମ୍ମାନ’ରେ ଜିଲ୍ଲାପାଳ ମଧୁସୂଦନ ଦାଶ ସମ୍ମାନିତ ଏକକ ବ୍ୟବହାର ପ୍ଲାଷ୍ଟିକ୍‌ମୁକ୍ତ ନୂଆପଡ଼ା ଅଭିଯାନକୁ ଜନସମର୍ଥନ

Aug 23, 2026 - 20:45
 0  4
‘ଖୁଦପେଜ୍ ଗୌରବ’ ଓ ‘ପ୍ରଶସ୍ତି ସମ୍ମାନ’ରେ ଜିଲ୍ଲାପାଳ ମଧୁସୂଦନ ଦାଶ ସମ୍ମାନିତ ଏକକ ବ୍ୟବହାର ପ୍ଲାଷ୍ଟିକ୍‌ମୁକ୍ତ ନୂଆପଡ଼ା ଅଭିଯାନକୁ ଜନସମର୍ଥନ

ନୂଆପଡ଼ା ୨୨/୮: ଏକକ ବ୍ୟବହାର ପ୍ଲାଷ୍ଟିକ୍‌ (SUP) ମୁକ୍ତ ନୂଆପଡ଼ା ଗଠନ ସହ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ସମ୍ମାନ ଜଣାଇ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ଖୁଦପେଜ୍ ଗ୍ରାମ ପଞ୍ଚାୟତ ଏବଂ ବୋଡ଼େନ ବ୍ଲକ ପଳସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଢ଼ାପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି। ଖୁଦପେଜ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ‘ଖୁଦପେଜ୍ ଗୌରବ’ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ବୁଢ଼ାପଡ଼ାରେ ଏକକ ବ୍ୟବହାର ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନରେ ନେତୃତ୍ୱ ପାଇଁ ‘ପ୍ରଶସ୍ତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ଚାଲିଥିବା ‘SUP Free Nuapada’ ଅଭିଯାନକୁ ପ୍ରଶାସନିକ ପଦକ୍ଷେପରୁ ଜନଆନ୍ଦୋଳନରେ ପରିଣତ କରିବା ସହ ପ୍ଲାଷ୍ଟିକ୍‌ର ବିକଳ୍ପ ବ୍ୟବହାର, ଉତ୍ସସ୍ଥଳରେ ବର୍ଜ୍ୟ ପୃଥକୀକରଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସକ୍ରିୟ ଭାଗିଦାରି ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ଜିଲ୍ଲା ପ୍ରଶାସନର ପଦକ୍ଷେପ ପ୍ରତି ଗ୍ରାମାଞ୍ଚଳରେ ସୃଷ୍ଟି ହୋଇଥିବା ଜନସମର୍ଥନର ଏକ ପ୍ରତିଫଳନ ବୋଲି ଅଭିହିତ କରାଯାଇଛି। ଏହି ଅବସରରେ ଖୁଦପେଜ୍ ଗ୍ରାମ ପଞ୍ଚାୟତରେ ‘ଅକ୍ସିଜେନ୍ ବ୍ୟାଙ୍କ’, ବର୍ଜ୍ୟ ପରିଚାଳନା କେନ୍ଦ୍ର ଓ ‘ମଡେଲ୍ ରୁରାଲ୍ ହାଟ୍’ ଉଦ୍‌ଘାଟିତ ହୋଇଥିଲା। ଏଥିସହ ଏକ ପ୍ଲାଣ୍ଟେସନ୍ ସାଇଟ୍‌ର ମଧ୍ୟ ଉଦ୍‌ଘାଟନ କରାଯାଇଥିଲା। ଗ୍ରାମୀଣ ସ୍ତରରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଜନକଲ୍ୟାଣକୁ ଏକାଠି କରି ଏଭଳି ପଦକ୍ଷେପ ନିଆଯିବାକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ। ଖୁଦପେଜ୍‌ର ‘ଅକ୍ସିଜେନ୍ ବ୍ୟାଙ୍କ’ ଜୁଲାଇ ୨୦୨୫ରୁ କାର୍ଯ୍ୟକ୍ଷମ ରହିଛି। ଗ୍ରାମ ପଞ୍ଚାୟତ ପକ୍ଷରୁ ଏହାର ନିରନ୍ତର ରକ୍ଷଣାବେକ୍ଷଣ ଓ ପରିଚାଳନା କରାଯାଇ ଏହାକୁ ଆଜି ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା। ଗ୍ରାମବାସୀଙ୍କ ସହଭାଗିତାରେ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା କ୍ଷେତ୍ରରେ ଏହା ଏକ ଉଦାହରଣୀୟ ପଦକ୍ଷେପ ବୋଲି ଅତିଥିମାନେ ମତ ଦେଇଥିଲେ। ଖୁଦପେଜ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରାଇତା, ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା ଓ ଅବନୀ ଯୋଶୀ, ବିଡିଓ ମିଳନ ଝଙ୍କାର, ସିଡିଭିଓ ସୁଖେନ୍ଦୁ ରାୟ, ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ, ଅଧୀକ୍ଷଣ ଯନ୍ତ୍ରୀ ଜୟପୁରିଆ, ସରପଞ୍ଚ ଯଶୋଦା ଶତପଥୀ, ଜିଲ୍ଲା ସ୍ୱଚ୍ଛତା ସଂଯୋଜକ ଅନିଲ କୁମାର ଲେଙ୍କା, ବିଆର୍‌ସି ବିପିନ ଯୋଶୀଙ୍କ ସମେତ ଏଏନ୍‌ଏମ୍‌, ଆଶାକର୍ମୀ, ଗ୍ରାମବାସୀ ଓ ସ୍ୱଚ୍ଛତାକର୍ମୀମାନେ ଉପସ୍ଥିତ ଥିଲେ। ସେହିପରି ବୋଡ଼େନ ବ୍ଲକର ପଳସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଢ଼ାପଡ଼ାରେ ସାଂସ୍କୃତିକ ପରିଷଦ ଓ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ଏକକ ବ୍ୟବହାର ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନରେ ଜିଲ୍ଲାର ନେତୃତ୍ୱ ପାଇଁ ‘ପ୍ରଶସ୍ତି ସମ୍ମାନ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଡିଓ ଚିନ୍ମୟ ସାଗର, ଡିଆର୍‌ସିଏସ୍‌ ଶିବ ପ୍ରସାଦ ସ୍ୱାଇଁ, ଏଡିଭିଓ ପାର୍ଥସାରଥୀ ଦୋରା, ଏଡିଏଚ୍‌ ହରେକୃଷ୍ଣ ହାଁସଦା, ବିଆର୍‌ସି ହେରମ୍ବ ବିଶ୍ୱାଳ, ପଳସଦା ସରପଞ୍ଚ, ସମିତି ସଭ୍ୟଙ୍କ ସମେତ କାର୍ଯ୍ୟକ୍ରମ ପରିଚାଳକ ତଥା ସ୍ୱଚ୍ଛତା ମିତ୍ର ପିତାମ୍ବର ଦୀପ, ଗ୍ରାମବାସୀ ଓ ସାଂସ୍କୃତିକ ପରିଷଦର ସଦସ୍ୟମାନେ ଯୋଗଦେଇଥିଲେ। ଏହି ଦୁଇ ସମ୍ମାନ ଓ ଗ୍ରାମସ୍ତରରେ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପଗୁଡ଼ିକ ନୂଆପଡ଼ାରେ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଗଢ଼ିଉଠିଥିବା ସୁଦୃଢ଼ ସହଭାଗିତାର ପ୍ରତୀକ। ସ୍ୱଚ୍ଛ, ସବୁଜ ଓ ପ୍ଲାଷ୍ଟିକ୍‌ମୁକ୍ତ ନୂଆପଡ଼ା ଗଠନ ଦିଗରେ ଜନଭାଗିଦାରୀ ଭିତ୍ତିକ ଏହି ପଦକ୍ଷେପ ଜିଲ୍ଲାର ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଅଭିଯାନକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଇଛି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ