ଆଦିବାସୀ କଂଗ୍ରେସର ବିଶାଳ କାର୍ଯ୍ୟକାରିଣୀ ବୈଠକ:ଏକତ୍ରିତ ହୋଇ ଆଦିବାସୀଙ୍କ ଅଧିକାର ପାଇଁ ଲଢ଼ିବାକୁ ଆହ୍ୱାନ
ବାରିପଦା, ୬/୧୦: ବାରିପଦା ସ୍ଥିତ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ଭବନ ପରିସରରେ ମଙ୍ଗଳବାର ଆଦିବାସୀ କଂଗ୍ରେସର ଏକ ବିଶାଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ କଂଗ୍ରେସ ଜିଲ୍ଲା ସଭାପତି ଦୁଃଖିଶ୍ୟାମ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆଦିବାସୀ କଂଗ୍ରେସର କର୍ମୀ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ବୈଠକରେ ମୟୂରଭଞ୍ଜର ପୂର୍ବତନ ସାଂସଦ ପ୍ରାର୍ଥୀ ଶ୍ୟାମସୁନ୍ଦର ହାଁସଦା, ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ରାଜ୍ୟ ଆଦିବାସୀ କଂଗ୍ରେସ ଉପାଧ୍ୟକ୍ଷ ଚୈତନ୍ୟ ହାଁସଦା ଏବଂ ରାଜ୍ୟ ପିସିସି ସାଧାରଣ ସମ୍ପାଦକ ମନୋଜ ରାଉତ ପ୍ରମୁଖ ଉପସ୍ଥିତ ରହି କର୍ମୀ ଓ କର୍ମକର୍ତ୍ତାଙ୍କୁ ଉଦ୍ବୋଧନ ଦେଇଥିଲେ। ବକ୍ତାମାନେ ଆଦିବାସୀ ସମାଜର ବିଭିନ୍ନ ସମସ୍ୟା, ଅଧିକାର ଏବଂ ଦାବି ସମ୍ପର୍କରେ ଆଲୋଚନା କରିବା ସହ ଆଦିବାସୀମାନଙ୍କୁ ଏକତ୍ରିତ ହୋଇ ନିଜ ଅଧିକାର ପାଇଁ ଲଢ଼େଇ କରିବାକୁ ଆହ୍ୱାନ ଦେଇଥିଲେ। ସ୍ୱାଧୀନତାର ୮୦ ବର୍ଷ ପରେ ମଧ୍ୟ ଦେଶର ଆଦିବାସୀ ସମାଜ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ବକ୍ତାମାନେ ଉଦ୍ବେଗ ପ୍ରକାଶ କରିଥିଲେ। ବିଶେଷକରି ବିଜେପି ସରକାରଙ୍କ ଶାସନରେ ଆଦିବାସୀମାନେ ନିର୍ଯାତିତ ଓ ଲାଞ୍ଛିତ ହେଉଥିବା ଅଭିଯୋଗ କରି ଏହା ବିରୋଧରେ ସଂଗଠିତ ଭାବେ ସ୍ୱର ଉଠାଇବାକୁ ସେମାନେ କହିଥିଲେ। ବୈଠକରେ ଆଦିବାସୀ ସମାଜର ସାମାଜିକ, ଶିକ୍ଷା, ଆର୍ଥିକ ଓ ରାଜନୈତିକ ବିକାଶ ସହ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଦଳୀୟ କର୍ମୀମାନେ ଗାଁ ଓ ପଞ୍ଚାୟତ ସ୍ତରକୁ ଯାଇ ସାଧାରଣ ଲୋକଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କ ସହିତ ରହିବାକୁ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ। ସର୍ବଶେଷରେ ଆଦିବାସୀ କଂଗ୍ରେସର କର୍ମୀ ଓ କର୍ମକର୍ତ୍ତାମାନେ ତୃଣମୂଳ ସ୍ତରରୁ ସାଧାରଣ ଜନତାଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ସମସ୍ୟା ଓ ଅଧିକାର ପାଇଁ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ ପାଇଥିଲା। ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0