ମହାବିଦ୍ୟାଳୟ ଗୁଡିକ ରେ ନିର୍ବାଚନ ଘୋଷଣା ପରେ କରଞ୍ଜିଆ ଠାରେ ଏବିଭିପି ପକ୍ଷରୁ ବାଣ ଫୁଟାଇ ମିଷ୍ଟାନ୍ନ ବଣ୍ଟନ

Oct 5, 2026 - 20:46
 0  2
ମହାବିଦ୍ୟାଳୟ ଗୁଡିକ ରେ ନିର୍ବାଚନ ଘୋଷଣା ପରେ କରଞ୍ଜିଆ ଠାରେ ଏବିଭିପି ପକ୍ଷରୁ ବାଣ ଫୁଟାଇ ମିଷ୍ଟାନ୍ନ ବଣ୍ଟନ

କରଞ୍ଜିଆ,୫/୧୦- ଦୀର୍ଘ ୮ ବର୍ଷର ପରେ ରାଜ୍ୟର ମହାବିଦ୍ୟାଳୟ ଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ହୋଇଛି। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ଛାତ୍ର ସଂଘର ନିର୍ବାଚନ କରାଇବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ କଲେଜ ରାଜନୀତି ପୁଣି ସରଗରମ ହୋଇଉଠିଛି।ଉକ୍ତ ଘୋଷଣା ପରେ କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ (ଏବିଭିପି) ପକ୍ଷରୁ ଆନନ୍ଦ ପ୍ରକାଶ ପାଇବାସହ ଏବିଭିପି କର୍ମକର୍ତ୍ତା ଓ ଛାତ୍ରମାନେ ମିଷ୍ଟାନ୍ନ ବଣ୍ଟନ ସହ ବାଣ ଫୁଟାଇ ଖୁସି ଜାହିର କରିଛନ୍ତି । ଏବିଭିପି ନଗର ସମ୍ପାଦକ ତଥା ଛାତ୍ର ନେତା ମୋହିତ କୁମାର ଦାସ କହିଛନ୍ତି ଯେ, ଗତ ୮ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ଦାବିରେ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ, ରାଜରାସ୍ତାରେ ପ୍ରତିବାଦ ଓ ବିଧାନସଭା ଘେରାଉ କରାଯାଇଥିଲା। ଶେଷରେ ନିର୍ବାଚନ ଘୋଷଣା ହେବା ଏବିଭିପିର ଆନ୍ଦୋଳନର ସଫଳତା ବୋଲି ସେ କହିଛନ୍ତି। ଏଥିସହ ପୂର୍ବ ସରକାର ସମୟରେ ଛାତ୍ର ନେତୃତ୍ୱ ଗଠନର ପ୍ରକ୍ରିୟା ବନ୍ଦ ରହିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।ଅନ୍ୟପକ୍ଷରେ, କଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସ ସଭାପତି ରାହୁଲ ସିନ୍ହା କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ବହୁବାର ଆନ୍ଦୋଳନ କରାଯାଇଥିଲା। ଶେଷରେ ଉଚ୍ଚଶିକ୍ଷା ବିଭାଗ ନିର୍ବାଚନ କରାଇବାକୁ ଘୋଷଣା କରିଥିବାରୁ ସେ ସ୍ୱାଗତ କରିଛନ୍ତି। ନିର୍ବାଚନ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ହେବା ଜରୁରୀ ବୋଲି ସେ କହିଛନ୍ତି।ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଥିବାବେଳେ ସ୍ଥାନୀୟ ବିଧାୟକ ମଧ୍ୟ ବିଜେପିର। କରଞ୍ଜିଆ କଲେଜରେ ଏବିଭିପିର ସକ୍ରିୟତା ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ପରିସରରେ ରାଜନୈତିକ ତାତି ବଢ଼ିବାର ସମ୍ଭାବନା ରହିଛି। ତେବେ ନିର୍ବାଚନକୁ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ କରାଇବାରେ କଲେଜ କର୍ତ୍ତୃପକ୍ଷଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଛି।ଅନ୍ୟପଟେ ବିଜୁ ଛାତ୍ର ଜନତା ଦଳ ମଧ୍ୟ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାପଡ଼ିଛି। ଖୁବଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନିର୍ବାଚନରେ ବିଜୟୀ ହେବା ପାଇଁ ସଂଗଠନ ପକ୍ଷରୁ ପ୍ରୟାସ କରାଯିବ ବୋଲି ସୂଚନା ମିଳିଛି। ତେବେ, ନିର୍ବାଚନ ଘୋଷଣା ପରେ କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋଜ କୁମାର ସାହୁ ମହାବିଦ୍ୟାଳୟରେ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରାଇବା ପାଇଁ ସମସ୍ତ ଛାତ୍ର ନେତାଙ୍କ ସହଯୋଗ ଆବଶ୍ୟକ। ନିର୍ବାଚନକୁ ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରାଇବା ପାଇଁ କଲେଜ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ