ଝାରସୁଗୁଡ଼ାରେ ଓଏମସି ପୁରୀ କୋଷ୍ଟାଲ ମାରାଥନର ପ୍ରମୋ ରନ୍:ପର୍ଯ୍ୟଟନ ସ୍ଥଳୀର ପ୍ରଚାର ପ୍ରସାର ପାଇଁ ଦୌଡ଼ିଲେ ୨୫୦ରୁ ଊର୍ଦ୍ଧ୍ୱ

Sep 28, 2026 - 05:18
 0  2
ଝାରସୁଗୁଡ଼ାରେ ଓଏମସି ପୁରୀ କୋଷ୍ଟାଲ ମାରାଥନର ପ୍ରମୋ ରନ୍:ପର୍ଯ୍ୟଟନ ସ୍ଥଳୀର ପ୍ରଚାର ପ୍ରସାର ପାଇଁ ଦୌଡ଼ିଲେ ୨୫୦ରୁ ଊର୍ଦ୍ଧ୍ୱ

*ଝାରସୁଗୁଡ଼ା, ୨୭।୦୯,(ଫାଷ୍ଟ ନ୍ୟଜ ଓଡ଼ିଶା):* ଆଗାମୀ ୧୩ ଡିସେମ୍ବରରେ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା OMC ପୁରୀ କୋଷ୍ଟାଲ ମାରାଥନ ପାଇଁ ଆଜି ଝାରସୁଗୁଡ଼ା ସହରରେ ଏକ ଉତ୍ସାହଜନକ ପ୍ରମୋ ରନ୍‌ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନ ୬ଟା ୩୦ ମିନିଟ୍‌ ସମୟରେ କାଳୀ ମନ୍ଦିରଠାରୁ ଅତିଥିମାନଙ୍କ ଦ୍ୱାରା ଫ୍ଲାଗ୍‌ ଅଫ୍‌ କରାଯିବା ପରେ ପ୍ରମୋ ରନ୍‌ ଆରମ୍ଭ ହୋଇଥିଲା। ରନ୍‌ଟି ଝଣ୍ଡା ଛକ ଦେଇ ମନମୋହନ ବିଦ୍ୟାଳୟ ପଡ଼ିଆଠାରେ ପହଞ୍ଚିଥିଲା। ଏଥିରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ୨୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ, ବୁଦ୍ଧିଜୀବୀ, ବିଭିନ୍ନ କ୍ଲବ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉତ୍ସାହର ସହ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଝାରସୁଗୁଡ଼ା ଶ୍ରୀ ଟଙ୍କଧର ତ୍ରିପାଠୀ ଯୋଗଦେଇଥିଲେ। ଏହି ଅବସରରେ ମାନ୍ୟବର ବିଧାୟକ ଝାରସୁଗୁଡ଼ାର ପର୍ଯ୍ୟଟନ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ପ୍ରାକୃତିକ ଓ ସାଂସ୍କୃତିକ ବିଶେଷତାକୁ ଲୋକଲୋଚନକୁ ଆଣିବା ପାଇଁ ଆହ୍ୱାନ ଦେଇଥିଲେ। ଜିଲ୍ଲାବାସୀ ନିଜ ଫେସବୁକ୍‌, ସୋସିଆଲ ମିଡିଆ ଓ ବ୍ୟକ୍ତିଗତ ଷ୍ଟାଟସ୍‌ରେ ଝାରସୁଗୁଡ଼ାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଛୋଟ ଭିଡିଓ, ଫଟୋ ଓ ଗ୍ଲିମ୍ପସ୍‌ ଶେୟାର କରି ସେଗୁଡ଼ିକର ପରିଚୟ ବୃଦ୍ଧି କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ଝାରସୁଗୁଡ଼ାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ରାଜ୍ୟ ତଥା ଦେଶର ପର୍ଯ୍ୟଟକଙ୍କ ନିକଟରେ ଅଧିକ ପରିଚିତ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମଟି ମନମୋହନ ବିଦ୍ୟାଳୟ ପଡ଼ିଆରେ ପ୍ରମୋ ରନ୍‌ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହାପରେ ମାନ୍ୟବର ବିଧାୟକ, ଝାରସୁଗୁଡ଼ା ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ସହ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀମାନେ ପୁନର୍ବାର ପଡ଼ିଆରେ ରନ୍‌ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ନୱଲ ଅଗ୍ରୱାଲ, ସାଂସଦଙ୍କ ପ୍ରତିନିଧି ଶ୍ରୀ ଶ୍ଳୋକ ସର୍ଣ୍ଣା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ, ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅମ୍ରିତ ଆଚାର୍ଯ୍ୟ ଏବଂ ଶ୍ରୀ ପ୍ରେମସେନ ରାଏ ଯୋଗଦେଇଥିଲେ। ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ସୁସ୍ଥ ଓ ସକ୍ରିୟ ଜୀବନଶୈଳୀର ବାର୍ତ୍ତା ପ୍ରଚାର ସହ ଝାରସୁଗୁଡ଼ା ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପ୍ରଚାର ଓ ପ୍ରସାର କରିବା ଏବଂ ପୁରୀ କୋଷ୍ଟାଲ ମାରାଥନରେ ଅଧିକ ସଂଖ୍ୟାରେ ଧାବକ ଓ ଧାବିକାଙ୍କୁ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହିତ କରିବା। ଅତିଥିମାନେ ନିଜ ନିଜ ଅଭିଭାଷଣରେ ନିୟମିତ ଦୌଡ଼, ବ୍ୟାୟାମ ଓ କ୍ରୀଡ଼ା ସହ ଯୋଡ଼ି ହୋଇ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ ଦେଇଥିଲେ। ମାରାଥନ୍‌ କେବଳ ଏକ ଦୌଡ଼ ନୁହେଁ, ଏହା ଶୃଙ୍ଖଳା, ଦୃଢ଼ ମନୋବଳ, ଫିଟନେସ୍‌ ଓ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ବହନ କରେ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଯୁବପିଢ଼ି ଅଧିକରୁ ଅଧିକ କ୍ରୀଡ଼ା ଓ ଶାରୀରିକ ବ୍ୟାୟାମ ସହ ଯୋଡ଼ି ହେଲେ ଏକ ସୁସ୍ଥ, ସକ୍ରିୟ ଓ ସଚେତନ ସମାଜ ଗଠନ ସମ୍ଭବ ବୋଲି ସେମାନେ କହିଥିଲେ। ବିଶ୍ୱ ପର୍ଯ୍ୟଟନ ଦିବସ ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନା ଓ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ପ୍ରଚାର ପ୍ରସାର ଉପରେ ମଧ୍ୟ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଝାରସୁଗୁଡ଼ାର ପ୍ରାକୃତିକ, ଐତିହାସିକ ଓ ସାଂସ୍କୃତିକ ପର୍ଯ୍ୟଟନ ସମ୍ପଦକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବା ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଗାମୀ ୧୩ ଡିସେମ୍ବରରେ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା OMC ପୁରୀ କୋଷ୍ଟାଲ ମାରାଥନରେ ଝାରସୁଗୁଡ଼ାରୁ ଅଧିକ ସଂଖ୍ୟାରେ ଧାବକ, ଧାବିକା, ଯୁବକ-ଯୁବତୀ ଓ ଜନସାଧାରଣ ଅଂଶଗ୍ରହଣ କରିବାକୁ ଉପସ୍ଥିତ ଅତିଥିମାନେ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରିତାକାନ୍ତି ବଳିୟାର ସିଂହ ପରିଚାଳନା କରିଥିବା ବେଳେ ଡେପୁଟି କଲେକ୍ଟର ତଥା ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଶ୍ରୀ ସୋମେଶ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ପ୍ରମୋ ରନ୍‌ରେ ଜୁନିୟର ଇଞ୍ଜିନିୟରିଂ ସ୍କୁଲ, ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ କ୍ଲବ ଓ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ ରାଉତ, ଶ୍ରୀ କାହ୍ନୁ ଚରଣ ମୁଦୁଲି, ଶ୍ରୀ ଶକ୍ତି ରଞ୍ଜନ ମହାପାତ୍ରଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ