ବିଧାୟକଙ୍କ ପ୍ରତିନିଧିଙ୍କୁ ୫% ପିସି ମାଗିବା ଅଭିଯୋଗ, ନିରପେକ୍ଷ ତଦନ୍ତ ଦାବି କଲା ବିଜେଡି

Sep 28, 2026 - 05:10
 0  10
ବିଧାୟକଙ୍କ ପ୍ରତିନିଧିଙ୍କୁ ୫% ପିସି ମାଗିବା ଅଭିଯୋଗ, ନିରପେକ୍ଷ ତଦନ୍ତ ଦାବି କଲା ବିଜେଡି

ପଡିଆ, ୨୬/୦୯: ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାମ ଯୋଗାଇଦେବା ନାମରେ ୫ ପ୍ରତିଶତ ‘ପିସି’ ମାଗିବା ନେଇ ମାଲକାନଗିରି ବିଧାୟକଙ୍କ ବ୍ଲକ ପ୍ରତିନିଧି ମନ ଦୀପଙ୍କର ରାୟଙ୍କ ବିରୋଧରେ ବିଜେଡି ପକ୍ଷରୁ ଅଭିଯୋଗ ଅଣାଯାଇଛି। ଏହି ଅଭିଯୋଗର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ। ଏନେଇ ଶନିବାର ପଡିଆ ବ୍ଲକ ସଦର ମହକୁମାସ୍ଥିତ କଲ୍ୟାଣ ମଣ୍ଡପରେ ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମିଙ୍କ ନେତୃତ୍ୱରେ ଏକ ପ୍ରେସମିଟ୍ ଅନୁଷ୍ଠିତ ହୋଇଥିଲା। ବିଜେଡିର ଅଭିଯୋଗ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷରେ ପଡିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ କାମ ଯୋଗାଇଦେବା ନାମରେ କେତେକ ବ୍ୟକ୍ତିଙ୍କଠାରୁ ଅର୍ଥ ଆଦାୟ କରାଯାଇଛି। ଦଳ ପକ୍ଷରୁ ଦିଆଯାଇଥିବା ଅଭିଯୋଗରେ ସଙ୍ଗେଲ ଗ୍ରାମର ଦେବା ମାଡକାମିଙ୍କଠାରୁ ୨୨ ହଜାର ଟଙ୍କା, ଶିମିଳିବାଞ୍ଚା ପଞ୍ଚାୟତ ଏମଭି-୧୧୬ ଗ୍ରାମର କୃଷ୍ଣପଦ ମଣ୍ଡଳଙ୍କଠାରୁ ୨୦ ହଜାର ଟଙ୍କା ଏବଂ ଆନ୍ଦା ମାଡିଙ୍କଠାରୁ ୨୨ ହଜାର ଟଙ୍କା ନିଆଯାଇଥିବା ଅଭିଯୋଗ ହୋଇଛି। ସେହିପରି ସୁକୁମାର ସର୍ଦାରଙ୍କୁ ୨୫ ହଜାର ଟଙ୍କା ମଗାଯାଇଥିବାବେଳେ ୧୦ ହଜାର ଟଙ୍କା ଅଗ୍ରୀମ ଭାବେ ନିଆଯାଇଥିବା ଦଳ ଅଭିଯୋଗ କରିଛି। ବିଜେଡିର ଦାବି ଅନୁସାରେ, ଉକ୍ତ ଆର୍ଥିକ ବର୍ଷରେ ପ୍ରାୟ ୩ କୋଟି ୪୫ ଲକ୍ଷ ଟଙ୍କାର ପ୍ରକଳ୍ପ ବ୍ୟୟ ବରାଦ ମଧ୍ୟରୁ ୫ ପ୍ରତିଶତ ହିସାବରେ ପ୍ରାୟ ୧୭ ଲକ୍ଷ ୨୫ ହଜାର ଟଙ୍କା ପିସି ଆକାରରେ ସଂଗ୍ରହ କରାଯାଇଥିବା ଅଭିଯୋଗ ରହିଛି। ଏଥିସହ ପିସି ଦାବିକୁ ପ୍ରତିବାଦ କରିବାରୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ପଡିଆ ଥାନାରେ ରିପୋର୍ଟ ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଥିବା ସତ୍ତ୍ୱେ ବିଭିନ୍ନ ବ୍ଲକରେ ସାଂସଦ ଓ ବିଧାୟକଙ୍କ ସୁପାରିସ ଆଧାରରେ କାର୍ଯ୍ୟ ବଣ୍ଟନ ହେବା ଫଳରେ ସ୍ଥାନୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ପ୍ରଭାବିତ ହେଉଛି ବୋଲି ପଡିଆ ବ୍ଲକ ଅଧ୍ୟକ୍ଷା ଦେବେ ମାଡି ଅଭିଯୋଗ କରିଛନ୍ତି । ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରି ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ସହ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି। ଏହି ପ୍ରେସ ମିଟ୍ ଅବସରରେ ଜିଲ୍ଲା ଓ ବ୍ଲକ ବିଜେଡିର ଶତାଧିକ କର୍ମୀ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ