ନୂଆପଡ଼ା ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଡା. ଅଙ୍କିତ ସିଂଘାଇଙ୍କ ପଦଭାର ଗ୍ରହଣ

Sep 21, 2026 - 21:02
 0  2
ନୂଆପଡ଼ା ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଡା. ଅଙ୍କିତ ସିଂଘାଇଙ୍କ ପଦଭାର ଗ୍ରହଣ

ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଡା. ଅଙ୍କିତ ସିଂଘାଇଙ୍କ ପଦଭାର ଗ୍ରହଣ ସମାରୋହ ଖରିଆର ରୋଡ୍‌ ଗଣପତି ପ୍ୟାଲେସ ଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ମହାସଚିବ ଫକୀରଚନ୍ଦ ଜଗତ ଓ ସଚିବ କମଳ ତାଣ୍ଡିଙ୍କୁ ମଧ୍ୟ ଦଳ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ନବନିଯୁକ୍ତ ଯୁବ ଜିଲ୍ଲା ସଭାପତିଙ୍କ ପଦଭାର ଗ୍ରହଣକୁ ନେଇ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ୧୫୦୦ରୁ ଅଧିକ କଂଗ୍ରେସ କର୍ମୀଙ୍କ ସମେତ ବହୁ ସଂଖ୍ୟାରେ ସାଧାରଣ ଲୋକ ଖରିଆର ରୋଡ୍‌ରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ଏକ ବିଶାଳ ବାଇକ୍‌ ରାଲି ଆୟୋଜିତ ହୋଇଥିଲା। ଡା. ଅଙ୍କିତ ସିଂଘାଇ ରାଲିରେ ସାମିଲ ହୋଇ ପ୍ରଥମେ ରାମ ମନ୍ଦିର, ହନୁମାନ ମନ୍ଦିର ଓ ଜୈନ ମନ୍ଦିରରେ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ପରେ ସେ ଖରିଆର ରୋଡ୍‌ର ମୁଖ୍ୟ ରାସ୍ତା ଦେଇ ପଦଯାତ୍ରା କରି ସଭାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଉପସ୍ଥିତ ବରିଷ୍ଠ ନାଗରିକ, ବୟୋଜ୍ୟେଷ୍ଠ, ସ୍ଥାନୀୟ ଲୋକ ଓ କଂଗ୍ରେସ ସମର୍ଥକଙ୍କୁ ଭେଟି ସେମାନଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ଗ୍ରହଣ କରିଥିଲେ। ସଭାସ୍ଥଳରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା, ପଦାଧିକାରୀ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଏନ୍‌ଏସ୍‌ୟୁଆଇ ସମେତ ବିଭିନ୍ନ ସଂଗଠନର ନେତା ଓ କର୍ମୀ ଉପସ୍ଥିତ ଥିଲେ। ମଞ୍ଚରେ ଭରତଲାଲ ରାଉତ, ବିରେଞ୍ଚି ବାଗ, ମହମ୍ମଦ ଫାରୁକ୍‌, ମହିଳା କଂଗ୍ରେସ ସଭାପତି ପ୍ରତିଭା ପ୍ରଧାନ, ଯୁବ କଂଗ୍ରେସ ଜିଲ୍ଲା ସଭାପତି ଅମିତ ଅହିର, ଯୁବ କଂଗ୍ରେସ ପ୍ରଦେଶ ମହାସଚିବ ଅଭିଷେକ ଜଗତ, ନୂଆପଡ଼ା ନଗର କଂଗ୍ରେସ ସଭାପତି ମହେଶ ନିଆଲ, ଖରିଆର ରୋଡ୍‌ ଏନ୍‌ଏସ୍‌ୟୁଆଇ ସଭାପତି ପବନ ଶର୍ମା, ବରିଷ୍ଠ ନେତା ଡା. ପ୍ରମୋଦ ଚନ୍ଦ୍ରାକାର ଓ ନୂଆପଡ଼ା ବିଧାନସଭା ଯୁବ କଂଗ୍ରେସ ସଭାପତି ଅନନ୍ତ ସୋନୀଙ୍କ ସମେତ ବହୁ ନେତା ଓ ପଦାଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ନବନିଯୁକ୍ତ ଜିଲ୍ଲା ସଭାପତିଙ୍କୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଦେଖାଦେଇଥିଲା। ସଂଗଠନକୁ ତୃଣମୂଳସ୍ତରରୁ ଆହୁରି ସୁଦୃଢ଼ କରିବା ଏବଂ ସମସ୍ତଙ୍କୁ ସାଥୀ କରି ଆଗକୁ ବଢ଼ିବାର ଭାବନା କର୍ମୀମାନଙ୍କ ମଧ୍ୟରେ ପ୍ରକାଶ ପାଇଥିଲା। ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଡା. ଅଙ୍କିତ ସିଂଘାଇ ଉପସ୍ଥିତ ସମସ୍ତ ବରିଷ୍ଠ ନେତା, ପଦାଧିକାରୀ, କଂଗ୍ରେସ କର୍ମୀ, ଯୁବ ସାଥୀ, ମହିଳା କର୍ମୀ ଓ ସାଧାରଣ ଲୋକଙ୍କୁ କୃତଜ୍ଞତା ଜଣାଇଥିଲେ। ସଂଗଠନକୁ ତୃଣମୂଳସ୍ତରରୁ ଆହୁରି ମଜବୁତ କରିବା ସହ ସମସ୍ତଙ୍କୁ ସାଥୀ କରି ଆଗକୁ ବଢ଼ିବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବେ ବୋଲି ସେ କହିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ