ଜଟିଳ ରକ୍ତକର୍କଟ ରୋଗୀଙ୍କ ପାଇଁ ଜରୁରୀକାଳୀନ ପ୍ଲେଟଲେଟ ଦାନ କଲେ ଡ଼ଃ ନିରୋଜ କୁମାର ପୋଥାଳ

Sep 20, 2026 - 19:31
 0  11
ଜଟିଳ ରକ୍ତକର୍କଟ ରୋଗୀଙ୍କ ପାଇଁ ଜରୁରୀକାଳୀନ ପ୍ଲେଟଲେଟ ଦାନ କଲେ ଡ଼ଃ ନିରୋଜ କୁମାର ପୋଥାଳ

ମାନବିକତା ଓ ସେବା ମନୋଭାବର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି ମୟୂରଭଞ୍ଜର ନିୟମିତ ରକ୍ତଦାତା ଡ଼ଃ ନିରୋଜ କୁମାର ପୋଥାଳ। ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଜଟିଳ ରକ୍ତକର୍କଟ ରୋଗରେ ଚିକିତ୍ସାଧୀନ ୨୩ ବର୍ଷୀୟ ଯୁବକ ହିତେଶ କୁମାର ନାଥଙ୍କ ପାଇଁ ଜରୁରୀକାଳୀନ ଭାବେ AB+ve ପ୍ଲେଟଲେଟର ଆବଶ୍ୟକତା ଥିବା ଖବର ପାଇ ଡ଼ଃ ନିରୋଜ ତୁରନ୍ତ ସହଯୋଗର ହାତ ବଢ଼ାଇଥିଲେ। ହିତେଶ ଦୀର୍ଘଦିନ ଧରି ରକ୍ତକର୍କଟ ରୋଗରେ ପୀଡ଼ିତ ହୋଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଚିକିତ୍ସା ସମୟରେ ବାରମ୍ବାର ରକ୍ତ ଓ ପ୍ଲେଟଲେଟର ଆବଶ୍ୟକତା ପଡ଼ୁଛି। ପରିବାରର ଏକମାତ୍ର ପୁଅ ହିତେଶ କରୋନା ସମୟ ରେ ମାଆଙ୍କୁ ହରାଇଥିବାରୁ ତାଙ୍କ ପିତା ରତିକାନ୍ତ ନାଥ ହିଁ ତାଙ୍କର ଏକମାତ୍ର ଆଶା ଓ ଭରସା। ପୁଅର ଚିକିତ୍ସା ପାଇଁ ରତିକାନ୍ତ ବହୁ କଷ୍ଟ ସହି ନିୟମିତ ଭାବେ ବିଭିନ୍ନ ସମାଜସେବୀ ଓ ରକ୍ତଦାତାଙ୍କ ସହଯୋଗରେ ରକ୍ତ ଏବଂ ପ୍ଲେଟଲେଟ ଯୋଗାଡ଼ କରିଆସୁଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ହିତେଶଙ୍କ ପାଇଁ ତୁରନ୍ତ AB+ve ପ୍ଲେଟଲେଟର ଆବଶ୍ୟକତା ହେବାରୁ ତାଙ୍କ ପିତା ରତିକାନ୍ତ ନାଥ ଓଡ଼ିଶା ରକ୍ତଦାତା ମହାସଂଘର ସଭାପତି ଡ଼ଃ ନରେଶ ଚନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିଥିଲେ। ଡ଼ଃ ନରେଶ ଚନ୍ଦ୍ର ସାହୁ ତୁରନ୍ତ ବାରିପଦାର ନିୟମିତ ରକ୍ତଦାତା ଡ଼ଃ ନିରୋଜ କୁମାର ପୋଥାଳଙ୍କୁ ଏହି ଆବଶ୍ୟକତା ବିଷୟରେ ଜଣାଇଥିଲେ। ଖବର ପାଇବା ମାତ୍ରେ ଡ଼ଃ ନିରୋଜ ବିଳମ୍ବ ନକରି ବାରିପଦାରୁ ରାତ୍ରି ବସ୍‌ ଯୋଗେ ଭୁବନେଶ୍ୱର ଯାତ୍ରା କରିଥିଲେ। ପରଦିନ ସକାଳେ ଏମ୍ସ ହସ୍ପିଟାଲରେ ପହଞ୍ଚି ସେ ନିଜର ପ୍ଲେଟଲେଟ ଦାନ କରି ଚିକିତ୍ସାଧୀନ ହିତେଶଙ୍କ ଜୀବନ ରକ୍ଷା ପାଇଁ ସହଯୋଗ କରିଥିଲେ। ଡ଼ ଦେବାଶିଷ ମିଶ୍ରଙ୍କ ତତ୍ତ୍ୱାବଧାନରେ ପ୍ଲେଟଲେଟ ସଂଗ୍ରହ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଡ଼ଃ ନିରୋଜ କୁମାର ପୋଥାଳ ପୂର୍ବରୁ ମଧ୍ୟ ବହୁବାର ବାରିପଦାରୁ ଭୁବନେଶ୍ୱର ଓ କଟକ ଯାଇ ଡେଙ୍ଗୁ, ବନମେରୋ ଓ କ୍ୟାନ୍ସର ରୋଗୀଙ୍କ ପାଇଁ ନିଜର ପ୍ଲେଟଲେଟ ଦାନ କରିଆସୁଛନ୍ତି। ଏପର୍ଯ୍ୟନ୍ତ ସେ ସର୍ବମୋଟ ୧୪୦ ଥର ରକ୍ତଦାନ କରିଥିବା ସହ ବିଭିନ୍ନ ସ୍ଥାନରେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି। ଜଣେ ଅଜଣା ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଦୂରଦୂରାନ୍ତରୁ ଯାଇ ଜରୁରୀକାଳୀନ ପ୍ଲେଟଲେଟ ଦାନ କରିବାର ଏହି ମାନବିକ ପ୍ରୟାସ ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ରକ୍ତଦାନ ଓ ପ୍ଲେଟଲେଟ ଦାନ ପାଇଁ ପ୍ରେରଣା ଯୋଗାଇବ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ