ଢାବା ନା ମିନି ବାର୍? ନୀଲକମଲ’ରେ ମଦର ମହାସମାରୋହ, ପଛପଟେ ଗୁପ୍ତ କେବିନ୍, ବୋତଲର ପାହାଡ଼, ମଦ ପିଇ ରାଜରାସ୍ତାରେ ଗଡିଲେ ଯୁବକ
ବାରିପଦା (ଫାଷ୍ଟ୍ ନ୍ୟୁଜ): ଢାବାର ବଡ ବଡ ଅକ୍ଷରରେ ବୋର୍ଡରେ ଲେଖା ହୋଇଛି ନୀଲକମଲ ଢାବା। ହେଲେ ଭିତରର ଚିତ୍ର ଯଦି ଦେଖିବେ ଏହା ଢାବା କମ୍, ମିନି ବାର୍ ଠାରୁ ଅଧିକ। କୁଳିଅଣା ଥାନା ଅନ୍ତର୍ଗତ କୁଚେଇ ପେଟ୍ରୋଲ ପମ୍ପ ନିକଟରେ ଥିବା ‘ନୀଲକମଲ ଢାବା’କୁ ନେଇ ଏଭଳି ଅଭିଯୋଗ ହୋଇଛି। ଢାବା ପଛପଟେ ଗୁପ୍ତ କେବିନ୍, ଗ୍ରାହକଙ୍କୁ ମଦ ପରିବେଷଣ ଏବଂ ଶହ ଶହ ଖାଲି ବୋତଲର ସମାଗମ। ସବୁ ମିଶି ଦୃଶ୍ୟଟି ଏମିତି, ଯେମିତି ଖାଇବା ଠାରୁ ପିଇବା ହିଁ ଏଠାର ମୁଖ୍ୟ ମେନୁ। ବୋତଲ ଏତେ, ଯେ ଗଣିବାକୁ ଗଲେ ଅବକାରୀ ବିଭାଗର ଗୋଟିଏ ଦଳ ନୁହେଁ, ଗୋଟିଏ ଟିମ୍କୁ ଓଭରଟାଇମ୍ କରିବାକୁ ପଡ଼ିବ।ଅଭିଯୋଗ ଅନୁଯାୟୀ, ଦିନ ଦ୍ୱିପ୍ରହରରୁ ରାତି ପର୍ଯ୍ୟନ୍ତ ମଦ ପରିବେଷଣ ଚାଲୁଛି। ଗତ ଜୁନ୍ ୧୭ ତାରିଖରେ ଏହି ଢାବା ରେ ବେଆଇନ ମଦ କାରବାର ଚାଲୁଥିବାର କୁଲିଅଣା ଅବକାରୀ ଇନ୍ସପେକ୍ଟର ତପନ ସାହୁଙ୍କୁ ହ୍ୱାଟ୍ସଅପ୍ ଓ ଫୋନ ମାଧ୍ୟମରେ ଅଭିଯୋଗ ହୋଇଥିଲା। ଏପରିକି ଦୁଇ ଦୁଇ ଥର ତାଙ୍କୁ ଫୋନ୍ ଯୋଗେ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲେ ପରେ ବି ଯଦି ବିଭାଗୀୟ ଅଧିକାରୀଙ୍କ ପାଦ ଏଠାକୁ ପଡ଼ୁନାହିଁ, ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଅବକାରୀ ବିଭାଗର ନଜର କ’ଣ କେବଳ କାଗଜପତ୍ର ଭିତରେ ସୀମିତ? ଢାବା ପଛରେ ବୋତଲର ପାହାଡ଼ ଦିଶୁଛି, କିନ୍ତୁ ବିଭାଗକୁ କାହିଁକି ଦିଶୁନାହିଁ? ବୋତଲ ଖାଲି, କିନ୍ତୁ ଅବକାରୀ ବିଭାଗର ନଜର ମଧ୍ୟ କି ଖାଲି? ଅଭିଯୋଗ ଓ ଭିଡିଓ ଫୁଟେଜରେ ମଦ୍ୟପାନ ପରେ କେତେକ ଯୁବକ ନିକଟସ୍ଥ ଜାତୀୟ ରାଜପଥରେ ଅସୁସ୍ଥ ଅବସ୍ଥାରେ ପଡ଼ିରହୁଥିବା ନେଇ ସ୍ଥାନୀୟ ଅଭିଯୋଗ ରହିଛି। ରାଜପଥରେ ଦ୍ରୁତଗତିରେ ଗାଡ଼ି ଚାଲୁଛି, ଅନ୍ୟପଟେ ନିଶାଗ୍ରସ୍ତ ଲୋକ ରାସ୍ତାରେ ପଡ଼ିରହୁଛନ୍ତି। ଦୁର୍ଘଟଣା ଘଟିଗଲେ ତାହାର ମୂଲ୍ୟ କିଏ ଦେବ? ତା’ପରେ କି ଫାଇଲ୍ ଖୋଲିବ, ତଦନ୍ତ ବସିବ ଓ ଦାୟିତ୍ୱ ପୁଣି ଅନ୍ୟ ଜଣଙ୍କ ମୁଣ୍ଡରେ ପଡ଼ିବ?ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏତେ ଅଭିଯୋଗ ଥାଇ ମଧ୍ୟ ଯଦି କାର୍ଯ୍ୟାନୁଷ୍ଠାନ ହେଉନାହିଁ, ତେବେ ଏହା କେବଳ ବିଭାଗୀୟ ନିଷ୍କ୍ରିୟତା ନା ଆଉ କିଛି? ଅଞ୍ଚଳରେ ମାସିକିଆ ବଟି ଚାଲୁଥିବା ନେଇ କିଛି ମହଲରେ ଚର୍ଚ୍ଚା ଥିବା କୁହାଯାଉଛି। ତେବେ ଏହାର ସତ୍ୟତା କ’ଣ? ତଦନ୍ତ କରି ସ୍ପଷ୍ଟ କରିବ କିଏ? କାରଣ ଅଭିଯୋଗ ଯଦି ମିଛ, ବିଭାଗ ତାହା ସ୍ପଷ୍ଟ କରୁ। ଆଉ ଯଦି ସତ, ତେବେ ଦୋଷୀଙ୍କ ବିରୋଧରେ ଆଇନ କାହିଁକି ଚାଲୁ ହେଉନାହିଁ? ନଚେତ୍ ଲୋକେ ଏହା ଭାବିବାକୁ ବାଧ୍ୟ ହେବେ ଅବକାରୀ ବିଭାଗର ‘ହଟ୍ ସିଟ୍’ ଏତେ ଆରାମଦାୟକ ଯେ କ୍ଷେତ୍ରକୁ ଯିବାର ଆବଶ୍ୟକତା ହିଁ ନାହିଁ! ଏବେ ଚଢ଼ାଉ ହେବ ନା ନୀରବତା ଜାରି ରହିବ? ନୀଲକମଲ ଢାବାକୁ ନେଇ ଉଠିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ। ଢାବାରେ ବେଆଇନ ଭାବେ ମଦ ବିକ୍ରି କିମ୍ବା ପରିବେଷଣ ହେଉଛି କି ନାହିଁ, ଗୁପ୍ତ କେବିନ୍ରେ କ’ଣ ଚାଲିଛି ଏବଂ ଖାଲି ବୋତଲଗୁଡ଼ିକର ଉତ୍ସ କଣ ସବୁର ଯାଞ୍ଚ ହେଉ। ଲୋକଙ୍କ ପ୍ରଶ୍ନ ସରଳ ଯଦି ଅବକାରୀ ବିଭାଗର ଦାୟିତ୍ୱ ବେଆଇନ ମଦ କାରବାର ରୋକିବା, ତେବେ ନୀଲକମଲରେ ଏହି ଅଭିଯୋଗ ଉପରେ ବିଭାଗର ପରବର୍ତ୍ତୀ ପଦକ୍ଷେପ କ’ଣ? ଏବେ ଅପେକ୍ଷା ଚଢ଼ାଉ ହେବ, ତଦନ୍ତ ହେବ, ନା ଅବକାରୀ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଆହୁରି ଲମ୍ବିବ?
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0