୨୦୨୭ ଜନଗଣନା ପାଇଁ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ। ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା ଓ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବ
ବାରିପଦା ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ୨୦୨୭ ଜନଗଣନା ପାଇଁ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବାରିପଦା ଉପଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡା, କପ୍ତିପଦା ଉପଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ବାରିକ, ଭୁବନେଶ୍ୱର ଜନଗଣନା ନିର୍ଦେଶାଳୟର ସହକାରୀ ନିର୍ଦେଶକ ପ୍ରଫୁଲ୍ଲ କୁମାର ଦାସ, ପରିସଂଖ୍ୟାନ ଅନୁସନ୍ଧାନକାରି ଶ୍ରୀ ମୋହନ ଚନ୍ଦ୍ର ପୁରୁଧୁଲ ଓ ତନ୍ମୟ ଗୁପ୍ତା ଯୋଗ ଦେଇଥିଲେ। ଏହି ଅବସରରେ ସହକାରୀ ନିର୍ଦ୍ଦେଶକ ଶ୍ରୀ ଦାସ କହିଥିଲେ ଯେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ୧୦ ବର୍ଷରେ ଦେଶରେ ଜନଗଣନା କରାଯାଇଥାଏ। ଶେଷ ଥର ପାଇଁ ଏହା ୨୦୧୧ ମସିହାରେ ଅନୁଷ୍ଠିତ ହୋଇଥିଲା। ମହାମାରୀ କୋଭିଡ ପାଇଁ ୨୦୨୧ ମସିହାରେ ଜନଗଣନା ହୋଇ ପାରିନଥିଲା ଯାହାକି ୨୦୨୭ ମସିହାରେ ହେବାକୁ ଯାଉଛି। ଜନଗଣନା ମୁଖ୍ୟତଃ ୨ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ଜନଗଣନା ହେବା ପୂର୍ବରୁ ଏହାର ପ୍ରଥମ ଉପକ୍ରମ ଭାବେ ଏକ ବର୍ଷ ପୂର୍ବରୁ ଗୃହ ଜନଗଣନା କାର୍ଯ୍ୟ ହେବ ଯାହାକି ଚଳିତ ବର୍ଷ ୧୬ ଏପ୍ରିଲ ରୁ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ୩୦ ଦିନ ମଧ୍ୟରେ ହେବ ଏହି କ୍ରମରେ ଗୃହ ତାଲିକା ଓ ଗୃହ ଗଣନା ହେବ। ଜଣେ ନାଗରିକ ଚାହିଁଲେ ସେନସସ ପୋର୍ଟାଲରେ ରେ ଲଗଇନ କରି ନିଜ ତଥ୍ୟ ଅପଲୋଡ଼ କରି ଆତ୍ମ ଗଣନା କରିପାରିବେ। ଜଣେ ସଚେତନ ନାଗରିକ ହିସାବରେ ନିଜର ସମସ୍ତ ତଥ୍ୟ ସଠିକ ଓ ସ୍ୱଚ୍ଛ ଭାବେ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ।ଏହି ଆତ୍ମ ଗଣନା ସୁବିଧା ପୋର୍ଟାଲରେ ଚଳିତ ବର୍ଷ ଏପ୍ରିଲ ୧ତାରିଖ ରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହା ପରଠାରୁ ନିୟୋଜିତ ହୋଇଥିବା ଅଧିକାରୀଙ୍କ ଦ୍ୱାରା ମୋବାଇଲ ଆପ ଜରିଆରେ ଘରକୁ ଘର ଯାଇ ତଥ୍ୟ ଅଣାଯିବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ରେ ଆସନ୍ତା ୨୦୨୭ ମସିହା ଫେବୃଆରୀ ୯ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଜନଗଣନା ହେବ ଏବଂ ୧ ମାର୍ଚ୍ଚ ରୁ ୫ ମାର୍ଚ୍ଚ ପର୍ଯ୍ୟନ୍ତ ସଂଶୋଧନ ରାଉଣ୍ଡ ଅନୁଷ୍ଠିତ ହେବ। ମାତ୍ର ବର୍ତ୍ତମାନ ପାଇଁ ଗୃହ ଗଣନା ପରିପ୍ରେକ୍ଷୀରେ ମୁଖ୍ୟ କାର୍ଯ୍ୟ ହେଉଛି ଗୃହତାଲିକା ବ୍ଲକ ପ୍ରସ୍ତୁତି। ଏହି କାର୍ଯ୍ୟ ପାଇଁ ୭୦୦ ରୁ ୮୦୦ ଜନସଂଖ୍ୟା ବିଶିଷ୍ଠ କିମ୍ବା ୧୫୦ ରୁ ୧୮୦ ଗୃହଥିବା ଗ୍ରାମ କୁ ଗୋଟିଏ ଗୃହତାଲିକା ବ୍ଲକ ଭାବେ ନେଇ ପ୍ରତ୍ୟେକ ୬ଟି ଗୃହତାଲିକା ବ୍ଲକ କୁ ନେଇ ଗୋଟିଏ ସାର୍କଲ ପ୍ରସ୍ତୁତ ହେବ। ଜଣେ ସୁପରଭାଇଜର ଅଧୀନରେ ୬ ଜଣ ଗଣନାକାରି ରହିବେ। ଗୃହଗଣନା କାର୍ଯ୍ୟରେ ଯଦି କିଛି ପ୍ରତିବନ୍ଧକ ଦେଖାଦେବ ତେବେ ଚାର୍ଜ ଅଫିସର ସ୍ଥାନୀୟ ଅଂଚଳରେ ଆର ଆଇ, ଅମିନ, କାଉନସିଲର ମାନଙ୍କ ସହାୟତା ନେଇ ଏହାର ସମାଧାନ କରିବେ। ଗୃହ ତାଲିକା ବ୍ଲକ ପ୍ରସ୍ତୁତ ସମୟରେ ଅପହଞ୍ଚ ଓ ଦୁର୍ଗମ ଅଂଚଳ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ। ଏହାର ସୁପରିଚାଳନ ପାଇଁ ପିରାମିଡ଼ ଆଧାରରେ ଜାତୀୟ ପ୍ରଶିକ୍ଷକ, ମାଷ୍ଟର ପ୍ରଶିକ୍ଷକ, କ୍ଷେତ୍ର ପ୍ରଶିକ୍ଷକ, ଗଣନାକାରି ଓ ସୁପରଭାଇଜର ନିୟୋଜିତ କରାଯିବା ବ୍ୟବସ୍ଥା ରହିଛି। ଆଗାମୀ ଦିନରେ ମାଷ୍ଟର ଟ୍ରେନରମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ପରେ ଜିଲ୍ଲା ସ୍ତରୀୟ ନିୟୋଜିତ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ତାଙ୍କ କାର୍ଯ୍ୟ ସମ୍ବନ୍ଧୀୟ ପର୍ଯ୍ୟାୟ କ୍ରମେ ତାଲିମ ଦିଆଯିବ। ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ମାଷ୍ଟର ଟ୍ରେନର ଭାବେ, ତହସିଲ ଓ ସହରାଞ୍ଚଳ ସ୍ତରୀୟ ଅଧିକାରୀ ମାନଙ୍କୁ କ୍ଷେତ୍ରୀୟ ଟ୍ରେନର ଭାବେ ଏବଂ ପ୍ରାଥମିକ ସ୍କୁଲ ଶିକ୍ଷକ ମାନଙ୍କୁ ଗଣନାକାରି ଓ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ମାନଙ୍କୁ ସୁପରଭାଇଜର ଭାବେ ନିୟୋଜିତ କରାଯିବ ବୋଲି କହିଥିଲେ। ତତ ସହିତ ଏହି ଜନଗଣନା କାର୍ଯ୍ୟର ସବୁଠାରୁ ଗୁରତ୍ବପୂର୍ଣ୍ଣ ବିଷୟ ହେଉଛି ଏହାର ସମସ୍ତ ପ୍ରକ୍ରିୟା ନିର୍ଧାରିତ ସମୟ ରେଖା ଏବଂ ସମୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଏଥର ଦେଶରେ ପ୍ରଥମ କରି ଡିଜିଟାଲ ଗଣନା ହେଉଥିବାରୁ ବୈଷୟିକ ଜ୍ଞାନ କୌଶଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଗଣନା କେବଳ ବ୍ୟକ୍ତବିଶେଷଙ୍କ ଗଣନା ନୁହେଁ ବରଂ ପ୍ରତ୍ୟେକ ପରିବାରର ଆର୍ଥିକ, ସାମାଜିକ ଅବସ୍ଥାର ପୂର୍ଣ୍ଣ ବିବରଣୀ ରହିବ। ସମସ୍ତେ ଯେପରି ନିଜର ସଠିକ ତଥ୍ୟ ପ୍ରଦାନ କରିବେ ସେଥିପାଇଁ ସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ। ତେଣୁ ସମସ୍ତ ଅଧିକାରୀ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଆଶା ପ୍ରକଟ କରିଥିଲେ ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର, ଅତିରିକ୍ତ ଉପଜିଲ୍ଲାପାଳ, ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜନଗଣନା କାର୍ଯ୍ୟରେ ସଂଶ୍ଲିଷ୍ଟ ସହକାରୀ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସାଧାରଣ ଓ ବିବିଧ ବିଭାଗର ସହକାରୀ ଜିଲ୍ଲାପାଳ ମାନସୀ ତରାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0