ମାଲକାନଗିରିରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପ୍ରତିଯୋଗିତା ଅନୁଷ୍ଠିତ: ୨୦୭ ପ୍ରତିଯୋଗୀ ସାମିଲ

Aug 10, 2026 - 21:14
 0  5
ମାଲକାନଗିରିରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପ୍ରତିଯୋଗିତା ଅନୁଷ୍ଠିତ: ୨୦୭ ପ୍ରତିଯୋଗୀ ସାମିଲ

ମାଲକାନଗିରି, ୧୦ ଅଗଷ୍ଟ ୨୦୨୬: ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟ ପରିସରରେ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ଏବଂ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ସମୁଦାୟ ୨୦୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାକୁ ପ୍ରାକ୍-କନିଷ୍ଠ, କନିଷ୍ଠ, ବରିଷ୍ଠ ଓ ମହାବିଦ୍ୟାଳୟ ଭଳି ଚାରୋଟି ବର୍ଗରେ ବିଭକ୍ତ କରାଯାଇଥିଲା। ପ୍ରବନ୍ଧ ପ୍ରତିଯୋଗିତାରେ ସମୁଦାୟ ୯୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରାକ୍-କନିଷ୍ଠ ବର୍ଗରେ ୨୨, କନିଷ୍ଠରେ ୩୩, ବରିଷ୍ଠରେ ୨୦ ଏବଂ ମହାବିଦ୍ୟାଳୟ ସ୍ତରରୁ ୨୩ ଜଣ ପ୍ରତିଯୋଗୀ ସାମିଲ ଥିଲେ। ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ସମୁଦାୟ ୧୦୯ ଜଣ କୃତୀ ପ୍ରତିଭା ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ପ୍ରାକ୍-କନିଷ୍ଠରେ ୩୧, କନିଷ୍ଠରେ ୩୨, ବରିଷ୍ଠରେ ୨୭ ଏବଂ ମହାବିଦ୍ୟାଳୟ ବର୍ଗରେ ୧୯ ଜଣ ପ୍ରତିଯୋଗୀ ନିଜର କଳା ପ୍ରଦର୍ଶନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ନିର୍ଦ୍ଦେଶକ୍ରମେ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ସଂଯୋଜନା ଦାୟିତ୍ୱରେ ଥିବା ହରେକୃଷ୍ଣ କୀର୍ତ୍ତନିୟା ଏବଂ ରଞ୍ଜନ କୁମାର ମହାନ୍ତି ପ୍ରତିଯୋଗିତା ସ୍ଥଳରେ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମର ସଫଳ ସଂଯୋଜନା କରିଥିଲେ। ଜିଲ୍ଲା ବିଜ୍ଞାନ ସୁପରଭାଇଜର ଜଗନ୍ନାଥ ବେହେରା, ଜିଲ୍ଲା ପ୍ରାଥମିକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା ଏବଂ ମାଲକାନଗିରି ବାଳକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ଦିପ କୁମାର ଦାଶ ମୁଖ୍ୟ ତତ୍ତ୍ଵବଧାରକ ଭାବେ ଶୃଙ୍ଖଳା ରକ୍ଷା କରିବା ସହ ପରିଚାଳନା ଦାୟିତ୍ୱ ତୁଲାଇଥିଲେ। ପ୍ରତିଯୋଗୀଙ୍କ ନାମ ପଞ୍ଜୀକରଣ କାର୍ଯ୍ୟକୁ ମାଣ୍ଡପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶରତ ଚନ୍ଦ୍ର ଦାସ ଏବଂ ଆକୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବାସୁଦେବ ପଣ୍ଡା ସୂଚାରୁରୂପେ ସମ୍ପାଦନ କରିଥିଲେ। ପ୍ରତିଯୋଗିତାର ସ୍ୱଚ୍ଛତା ତଥା ସଠିକ୍ ମୂଲ୍ୟାଙ୍କନ ପାଇଁ ଅଭିଜ୍ଞ ବିଚାରକ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଚିତ୍ରାଙ୍କନ ବିଭାଗରେ ମହେନ୍ଦ୍ର ପାଟିକା (ଏମ.ଭି.-୧୯ ସରକାରୀ ପ୍ରାଥମିକ ବିଦ୍ୟାଳୟ) ଓ ପ୍ରଶାନ୍ତ କୁମାର ସେଠୀ (ଦାନିଗୁଡା ପ୍ରାଥମିକ ବିଦ୍ୟାଳୟ) ପ୍ରାକ୍-କନିଷ୍ଠ ଓ କନିଷ୍ଠ ବର୍ଗର ବିଚାର କରିଥିବା ବେଳେ ମନୋଜ କୁମାର ମହାନ୍ତି (ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୋଣ୍ଡିପାଲି) ଓ ଦେବାଶିଷ ସାହୁ (ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, ମାଲକାନଗିରି) ବରିଷ୍ଠ ଓ ମହାବିଦ୍ୟାଳୟ ବର୍ଗର ଚିତ୍ରଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ଅପରପକ୍ଷରେ ରଚନା ବିଭାଗରେ ଦୀନବନ୍ଧୁ ବେଜ (ଏସ.ଏଲ.ଏନ. ଉଚ୍ଚ ବିଦ୍ୟାଳୟ, ଶିଖାପାଲି) ଓ ହରେକୃଷ୍ଣ ବାରିକ (ବେଙ୍ଗଲୀ ପ୍ରାଥମିକ ବିଦ୍ୟାଳୟ, ମାଲକାନଗିରି) ପ୍ରାକ୍-କନିଷ୍ଠ ଓ କନିଷ୍ଠ ବର୍ଗ ପାଇଁ ଏବଂ ଇପ୍ସିତା ପ୍ରିୟଦର୍ଶିନୀ (ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଲକାନଗିରି) ଓ କନିଷ୍କ ନାଗ (ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମାଟାପାକା) ବରିଷ୍ଠ ଓ ମହାବିଦ୍ୟାଳୟ ବର୍ଗ ପାଇଁ ବିଚାରକ ସଦସ୍ୟ ଭାବେ ନିଯୁକ୍ତ ହୋଇ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ଦେଶର ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ଏହି ପ୍ରତିଯୋଗିତାର ସମସ୍ତ ବିଜେତାଙ୍କ ନାମ ଆଗାମୀ ମୁଖ୍ୟ ସମାରୋହରେ ଘୋଷଣା କରାଯାଇ ପୁରସ୍କୃତ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ