ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ କାର୍ଯ୍ୟରେ ଯୋଗଦାନ
ବାରିପଦା ୦୮/୦୪: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କୁଳପତି ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଫେସର ମହାନ୍ତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସର୍ବପ୍ରଥମେ କୁଳପତି ପ୍ରଫେସର ମହାନ୍ତି ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ରଥ, କୁଳସଚିବ ସୁଶ୍ରୀ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶ୍ରୀ ଭରତ ଚନ୍ଦ୍ର ଦେହୁରୀ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀଗଣ ପୁଷ୍ପଗୁଚ୍ଛ ଦେଇ ପ୍ରଫେସର ମହାନ୍ତିଙ୍କୁ ସ୍ୱାଗତ କରିଥିଲେ । ପ୍ରଫେସର ମହାନ୍ତି ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ଗ୍ରେଡ୍ରେ ଉନ୍ନତି ପାଇଁ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ଏବଂ ବିଶ୍ୱବିଦ୍ୟାଳୟର ଉନ୍ନତିର ଧାରାକୁ ବଜାୟ ରଖିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିଶ୍ୱବିଦ୍ୟାଳୟକୁ ଶିକ୍ଷା, ଉଦ୍ଭାବନ ଓ ସମାଜ ସେବାରେ ଉତ୍କର୍ଷତାର କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖି ଆଗାମୀ ଚାରି ବର୍ଷରେ ଆଧୁନିକ ପାଠ୍ୟକ୍ରମ ବିସ୍ତାର, ବିଶେଷ କରି ପ୍ରଯୁକ୍ତିବିଦ୍ୟା, ଉଦ୍ୟମିତା ଓ ପରିବେଶ ଅଧ୍ୟୟନ କ୍ଷେତ୍ରରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ । ଗବେଷଣା ଓ ଉଦ୍ଭାବନକୁ ଶକ୍ତିଶାଳୀ କରିବା ସହ ବିଦେଶର ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହ ସହଯୋଗିତା, ଛାତ୍ର-ଛାତ୍ରୀ ବିନିମୟ ଓ ଯୌଥ ଗବେଷଣା ପାଇଁ ସେ କାର୍ଯ୍ୟ କରିବା ସହ କ୍ଲାସରୁମ୍, ଲାଇବ୍ରେରୀ ଓ କ୍ରୀଡ଼ା ସୁବିଧାର ଆଧୁନିକୀକରଣ, ଏକୀକୃତ ଇ-ସମର୍ଥ ଇଆରପି ବ୍ୟବସ୍ଥା ମାଧ୍ୟମରେ ପରୀକ୍ଷା ଫଳ ଓ ୩୦ ଦିନ ମଧ୍ୟରେ ସାର୍ଟିଫିକେଟ୍ ପ୍ରକାଶ, ଅଧ୍ୟାପକ ଓ ମାନବ ସମ୍ପଦ ବିକାଶ ପାଇଁ ସମସ୍ତ ପଦ ପୂରଣ, ଜାତୀୟ ଶିକ୍ଷା ନୀତି ୨୦୨୦ର ସମସ୍ତ ମାପଦଣ୍ଡକୁ ନେଇ କାର୍ଯ୍ୟ କରାଯିବ ବୋଲି ସେ ଦୃଢ଼ୋକ୍ତି କରିଥିଲେ । ସୂଚନାଯୋଗ୍ୟ ଯେ, ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଓୟୁଏଟି ରେ ପ୍ରଫେସର ଭାବେ ସଫଳତାର ସହିତ କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି । ଜନ୍ମ ୧୯୬୫ ମସିହା । ସେ ମାହାଙ୍ଗା ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭଗବତୀ ବିଦ୍ୟାପୀଠ ଶୁକ୍ଳେଳେଶ୍ୱରର ପୁରାତନ ଛାତ୍ର ଅଟନ୍ତି । ତାଙ୍କର ବୃତ୍ତିଗତ ଶିକ୍ଷାର ଆରମ୍ଭ ହୋଇଥିଲା ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓ.ୟୁ.ଏ.ଟି.), ଭୁବନେଶ୍ୱରରୁ । ୧୯୮୮ ମସିହାରେ ସେ ଓ.ୟୁ.ଏ.ଟି.ରେ କୃଷି ଯନ୍ତ୍ର ଓ ପ୍ରଯୁକ୍ତିବିଦ୍ୟାରେ ବି.ଟେକ୍ ଡିଗ୍ରୀ ଲାଭ କରି ପ୍ରଥମ ଶ୍ରେଣୀ ସହ ଅନର୍ସରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୯୦ ମସିହାରେ ଆଇ.ଆଇ.ଟି ଖଡ଼ଗପୁର ରୁ ଏମ.ଟେକ୍ ସମାପ୍ତ କରିଥିଲେ । ଏହା ପରେ ୨୦୦୩ ମସିହାରେ ଦିଲ୍ଲୀ ଆଇ.ଆଇ.ଟି.ରୁ ପି.ଏଚ୍.ଡି. ଡିଗ୍ରୀ ହାସଲ କରିଥିଲେ । ପ୍ରଫେସର ମହାନ୍ତି ବାୟୋଡିଜେଲ୍, ସୋଲାର୍ ଡ୍ରାଏର୍ ଏବଂ ବାୟୋଇଥାନଲ୍ ପରି କ୍ଷେତ୍ରରେ ଗବେଷଣା କରିବା ଜଣେ ସୁନାମଧନ୍ୟ ବୈଜ୍ଞାନିକ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0