ବିଷମକଟକ ପୋଲିସ ଦ୍ୱାରା ବିପୁଳ ପରିମାଣର ବିଦେଶୀ ମଦ ଜବତ

Aug 30, 2026 - 19:28
 0  20
ବିଷମକଟକ ପୋଲିସ ଦ୍ୱାରା ବିପୁଳ ପରିମାଣର ବିଦେଶୀ ମଦ ଜବତ

ବିଷମକଟକ, ୩୦/୦୮: ବିଷମକଟକ ପୋଲିସ ପକ୍ଷରୁ ରବିବାର ରାତିରେ ବେଆଇନ ଭାବେ ଚାଲାଣ ହେଉଥିବା ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଥିବା ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ସମୟରେ ବିଷମକଟକ ବସ୍‌ଷ୍ଟାଣ୍ଡ ନିକଟରେ ଚଢ଼ଉ କରାଯାଇ ଏହି ମଦ ଜବତ କରାଯାଇଛି। ଜବତ ହୋଇଥିବା ବିଦେଶୀ ମଦର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ମଦଗୁଡ଼ିକ ଅପମିଶ୍ରିତ କି ନୁହେଁ, ତାହାର ଗୁଣବତ୍ତା ଓ ଉତ୍ସ ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ବିଷମକଟକରେ ଏକମାତ୍ର ଆଇଏମ୍‌ଏଫ୍‌ଏଲ୍‌ (IMFL) ‘ଅଫ୍‌’ ଦୋକାନ ରହିଥିବା ବେଳେ ଏହା ବନ୍ଦ ରହୁଥିବା ସୁଯୋଗ ନେଇ ବେଆଇନ ମଦ କାରବାର ବଢ଼ୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସ୍ଥାନୀୟଙ୍କ ଅଭିଯୋଗ ଅନୁଯାୟୀ, ରାୟଗଡ଼ାର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ପ୍ରତିଦିନ ବିଦେଶୀ ମଦ ବିଭିନ୍ନ ଯାନବାହନ ଯୋଗେ ବିଷମକଟକକୁ ଆସୁଥିବା ଏବଂ ଏଠାରେ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ରହିଛି। ଏହି ଘଟଣା ପରେ ବିଷମକଟକ ସହରରେ ବେଆଇନ ମଦ କାରବାରକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଏପରି କାରବାର ଦୀର୍ଘଦିନ ଧରି ଚାଲିଥିବା ନେଇ କେତେକ ସ୍ଥାନୀୟ ଲୋକ ଅଭିଯୋଗ କରିବା ସହ ପୋଲିସ ଓ ଅବକାରୀ ବିଭାଗର ନିୟମିତ ନଜରଦାରି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟଙ୍କ କହିବା ଅନୁଯାୟୀ, ବେଆଇନ ମଦ କାରବାର ଉପରେ ନିୟମିତ ଚଢ଼ଉ ଓ ଯାଞ୍ଚ କରାଗଲେ ଏଭଳି କାରବାରକୁ ରୋକାଯାଇପାରିବ। ତେବେ ଜବତ ମଦ କେଉଁଠାରୁ ଆସିଥିଲା, ଏହା ପଛରେ କିଏ ରହିଛି ଏବଂ ଏହି ମଦ କେଉଁଠାରେ ବିକ୍ରି ପାଇଁ ଯାଉଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ଘଟଣାରେ କେହି ଗିରଫ ହୋଇଛନ୍ତି କି ନାହିଁ ଏବଂ ଜବତ ମଦର ପ୍ରକୃତ ପରିମାଣ କେତେ, ସେନେଇ ପୋଲିସ ପକ୍ଷରୁ ଅଧିକୃତ ତଥ୍ୟ ମିଳିବା ପରେ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।

ରାୟଗଡ଼ା ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ନାଗ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ