ବାରିପଦାରେ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀର ଦ୍ୱିତୀୟ ଦିନ:ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ସହ ଉପମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ:-ତୃଣମୂଳ ସ୍ତରର ସମସ୍ୟାର ସମାଧାନକୁ ସର୍ବାଧିକ ପ୍ରାଥମିକତା : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ବାରିପଦା, (୨୦/୦୭): ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ଏମ୍.ଏସ୍.ସି.ବି.) ବିଶ୍ୱବିଦ୍ୟାଳୟ କନଭେନସନ୍ ହଲ୍ରେ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀର ଦ୍ୱିତୀୟ ଦିନ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇ କହିଥିଲେ ଯେ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସମାଜର ଶେଷ ସ୍ତରର ଲୋକଙ୍କ ପାଖରେ ସରକାରଙ୍କ ଜନହିତକର ଯୋଜନାକୁ ପହଞ୍ଚାଉଥିବା ପ୍ରମୁଖ ଆଧାର । ସେମାନଙ୍କ ତୃଣମୂଳ ସ୍ତରର ସମସ୍ୟାର ସମାଧାନ ଏବଂ କାର୍ଯ୍ୟପରିବେଶର ଉନ୍ନତି ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ସେ କହିଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ, 'ସୁଭଦ୍ରା' ଯୋଜନାର ସଫଳ କାର୍ଯ୍ୟାନ୍ୱୟନରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଭିତ୍ତିଭୂମିର ବିକାଶ, ପାଚେରି ନିର୍ମାଣ, ସୁପରଭାଇଜର ପଦବୀ ପୂରଣ, ଏସ୍.ଏନ୍.ପି. ଅନ୍ତର୍ଗତ ଅଣ୍ଡାର ମୂଲ୍ୟ ବୃଦ୍ଧି ସମେତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାର ପର୍ଯ୍ୟାୟକ୍ରମେ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହିପରି ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଚୟନ ପ୍ରକ୍ରିୟା ଜିଲ୍ଲା ଓ ବ୍ଲକ୍ ସ୍ତରରେ ଚାଲିଥିବା ବିଷୟ ମଧ୍ୟ ସେ ସୂଚନା ଦେଇଥିଲେ । ଏହି ଅବସରରେ ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସମାଜରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପୁଷ୍ଟି ଓ ପ୍ରାରମ୍ଭିକ ଶିକ୍ଷାର ଦୃଢ଼ ଭିତ୍ତି ସୃଷ୍ଟି କରୁଛନ୍ତି । ସେମାନଙ୍କ ନିଷ୍ଠାପୂର୍ଣ୍ଣ ସେବା ଯୋଗୁଁ ସରକାରଙ୍କ କଲ୍ୟାଣମୂଳକ ଯୋଜନାଗୁଡ଼ିକ ସଫଳତାର ସହ ଲୋକଙ୍କ ନିକଟରେ ପହଞ୍ଚିପାରୁଛି । ସରକାର ସେମାନଙ୍କ କାର୍ଯ୍ୟକୁ ସର୍ବଦା ସମ୍ମାନ ଦେବା ସହ ସେମାନଙ୍କ କଲ୍ୟାଣ ଓ ସୁବିଧା ପ୍ରତି ପ୍ରତିବଦ୍ଧ ବୋଲି ସେ କହିଥିଲେ । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୮୦୦ରୁ ଅଧିକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏହି ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉପମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ମତବିନିମୟ କରିଥିଲେ । ଏହି ଅବସରରେ ସେମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ପରାମର୍ଶ ଓ ଦାବି ଉପସ୍ଥାପନ କରିଥିଲେ । ଉପମୁଖ୍ୟମନ୍ତ୍ରୀ ସେଗୁଡ଼ିକର ଗୁରୁତ୍ୱର ସହ ସମୀକ୍ଷା କରି ଯଥାଶୀଘ୍ର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ, ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ କୃତିବାସ ରାଉତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସଂଯୁକ୍ତା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0