ନିମ୍ନ ମାନର ରାସ୍ତା ନିର୍ମାଣ, ହାତରେ ଉଠି ଯାଉଛି ପିଚୁ ପଟି
ପଡିଆ, ୧୧/୦୪ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଶିଙ୍ଗାଣିଗୁଡା ଠାରୁ ପଡିଆମିଗୁଡା, ତଣ୍ଡାଗୁଡା ଏବଂ ପାମଗେଟା ପର୍ଯ୍ୟନ୍ତ ନିର୍ମାଣାଧିନ ରାସ୍ତା କାମ ଅତ୍ୟନ୍ତ ନିମ୍ନ ମାନର ବୋଲି ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣାଧିନ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠି ଯାଇଥିବା ବେଳେ ରୋଡନପଲ୍ଲୀ ଗ୍ରାମ ନିକଟରେ ଏହି ରାସ୍ତାର ପିଚୁ ସମ୍ପୂର୍ଣ୍ଣ ଉଠି ଯାଉଛି । ସ୍ଥାନୀୟ ଲୋକେ ଏହି ପିଚୁ ପରସ୍ତ ଉଠି ଯାଉଥିବା ଦେଖି ରାସ୍ତା କାମ ଅତ୍ୟନ୍ତ ନିମ୍ନ ହୋଇଥିବା ବାରି ପାରିଥିଲେ। ଏ ନେଇ ରୋଡନପଲ୍ଲୀ, ପାମଗେଟା, ମେଟାଗୁଡା ଓ ସିଙ୍ଘାଣିଗୁଡା ଗ୍ରାମବାସୀ ଠିକାଦାର ଙ୍କୁ କାର୍ଯ୍ୟର ମାନ ସୁଧାରିବାକୁ କହିବା ସହ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଠିକାଦାର ଜଣଙ୍କ ଗ୍ରାମବାସୀଙ୍କ କଥାକୁ ଅଣଦେଖା କରି ପତଳା ପରସ୍ତ ପିଚୁ ପୁରୁଣା ରାସ୍ତା ଉପରେ ବିଛେଇ କାମ ସାରିବାକୁ ଉଦ୍ୟମ କରିଛନ୍ତି। ଏଥିସହ ଏହି ରାସ୍ତାରେ ନିର୍ମାଣାଧିନ ଏକାଧିକ ପୋଲର ଲୁହା ଛଡ଼ ବ୍ୟବହାର କରିବା ପରିବର୍ତ୍ତେ କିଛି ଲୁହାଛଡ ନାମକୁ ମାତ୍ର ପୋଲ କାନ୍ଥରେ ପୋତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୁଚନା ଅନୁଯାୟୀ ୬ କିମି ୨୦୦ ମିଟର ଲମ୍ବ ବିଶିଷ୍ଟ ଏହି ରାସ୍ତାର ୭୫ ସେମି ବିଶିଷ୍ଟ ଦୁଇସ୍ତର ମେଟାଲ୍ ବ୍ୟବହାର କରାଯାଇ ଏହି ପିଚୁ ରାସ୍ତା ନିର୍ମାଣ କରାଯିବାକୁ ଥିବା ବେଳେ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରି କାର୍ଯ୍ୟ ସାରିବାକୁ ଠିକାଦାର ଜଣଙ୍କ ପ୍ରୟାସ ଜାରୀ ରଖିଥିବା ଅଭିଯୋଗ କରିଛନ୍ତି। ଏ ବାବଦରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ନିମ୍ନ ମାନର କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବ ନାହିଁ, କାର୍ଯ୍ୟର ତଦାରଖ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଶିଙ୍ଗାଣିଗୁଡା ଠାରୁ ଡୁଣ୍ଡଗୁଡା ଓ ପାମଗେଟା ରାସ୍ତାର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଥିବାରୁ ତୁରନ୍ତ ଏହି କାର୍ଯ୍ୟକୁ ବିଭାଗୀୟ ଅଧିକାରୀ ତଦାରଖ କରି ପୁନଃ ନିର୍ମାଣ କରିବା ସହ ଠିକାସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିଙ୍ଗା ମାଡକାମି, ଶରତ ବେଟୀ, ବିପିନ ମୁଲି, ସନ୍ତୁ ମୁଲି, ମାରା କୁରାମ, ନବୀନ ମୂଲୀ ସମେତ ତିନି ଗ୍ରାମର ଗ୍ରାମବାସୀ ଦାବୀ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0