ଝାରସୁଗୁଡ଼ାରେ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ 'ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ'ଚିଟଫଣ୍ଡ ଠକାମି, ସାଇବର ଅପରାଧ ଓ ସରକାରୀ ସଞ୍ଚୟ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି

Jul 23, 2026 - 16:14
 0  11
ଝାରସୁଗୁଡ଼ାରେ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ 'ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ'ଚିଟଫଣ୍ଡ ଠକାମି, ସାଇବର ଅପରାଧ ଓ ସରକାରୀ ସଞ୍ଚୟ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି

ଝାରସୁଗୁଡ଼ା, ୨୩।୭ (ଫାଷ୍ଟ ନ୍ୟୂଜ ଓଡ଼ିଶା):ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୁଲ୍ୟରେ ବୁଧବାର ସଂସ୍କୃତି ଭବନ ପରିସରରେ ଏକ ଜିଲ୍ଲା ସ୍ତରୀୟ 'ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବ୍ଳକର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇ ଆର୍ଥିକ କାରବାର ଓ ସଞ୍ଚୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ଆହରଣ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ନିମନ୍ତ୍ରିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏଥିସହିତ ସେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଓ ଆବଶ୍ୟକତା ଉପରେ ଏକ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ନାଗେଶ୍ୱର ମୁର୍ମୁ ବେଆଇନ ଚିଟଫଣ୍ଡ ସଂସ୍ଥାଗୁଡ଼ିକର ଅପକାରିତା ଓ ସେଗୁଡ଼ିକରୁ ଦୂରେଇ ରହିବା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବରିଷ୍ଠ ଶାଖା ପରିଚାଳକ ହରିଶ ସଜନାପ୍ପୁ ସାମ୍ପ୍ରତିକ ସମୟରେ ବୃଦ୍ଧି ପାଉଥିବା ସାଇବର ଅପରାଧ ଓ ସେଥିରୁ ନିଜକୁ ସୁରକ୍ଷିତ ରଖିବାର ଉପାୟ ସମ୍ବନ୍ଧରେ ସଚେତନ କରିଥିଲେ। ଅନ୍ୟପକ୍ଷରେ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବରିଷ୍ଠ ଅଧିକାରୀ ସୁମିତ୍ ପ୍ରମାଣିକ ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ଜୀବନ ବୀମା ଏବଂ 'ଅଟଳ ପେନସନ ଯୋଜନା' ବାବଦରେ ଉପସ୍ଥିତ ସଦସ୍ୟାମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଝାରସୁଗୁଡ଼ା ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ପ୍ରତାପ ଚନ୍ଦ୍ର ଭୋଇ ଭାରତ ସରକାରଙ୍କର ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା ଏବଂ ଡାକ ଜୀବନ ବୀମାର ସୁବିଧା ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ସମସ୍ତ ଅତିଥି ଓ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗର କର୍ମଚାରୀ ହେମକାନ୍ତ ବାଗ ଓ ଜଗନ୍ନାଥ ରାଉତ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ