ଅଭୟାରଣ୍ୟ ଜଙ୍ଗଲ ସୁରକ୍ଷାରେ ବିଫଳ, ବିକାଶ ନା ରେ ଚାଲିଛି ବିନାଶ
କନ୍ଧମାଳ,- ସରୋଜ ପ୍ରଧାନ. କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ଼ ଅଭୟାରଣ୍ୟ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ l ଘଞ୍ଚ ଜଙ୍ଗଲ ଘେରା ଏହି ଅଭୟାରଣ୍ୟର ସୀମା ବେଲଘର ବନାଞ୍ଚଳ ଏବଂ କୋଟଗଡ଼ ବନାଞ୍ଚଳ ମଧ୍ୟରେ ପରିବ୍ୟାପ୍ତ l ଏହି ଅଭୟାରଣ୍ୟରେ ରହିଆସୁଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏକାଧିକ ବନ୍ୟ ପ୍ରକଳ୍ପ ଜରିଆରେ କୋଟି କୋଟି ଅର୍ଥ ବ୍ୟୟ କରି ଅଭୟାରଣ୍ୟ ଉନ୍ନୟନ କାର୍ଯ୍ୟ କରାଯାଇଆସୁଥିବା ଡିମଡ଼ିମ ପିଟୁଛି ବିଭାଗ l ବିଶେଷକରି କୋଟଗଡ଼ ବନାଞ୍ଚଳ ଅନ୍ତର୍ଗତ ଲାସେରୀ ସେକ୍ସନରେ ଏହି ସବୁ ବିକାଶ କାର୍ଯ୍ୟ ସମ୍ପାଦନ ହେଉଥିବା ବିଭାଗ ପକ୍ଷରୁ କୁହାଯାଉଛି l ତେବେ ଅଭୟାରଣ୍ୟ ଭିତରେ ବସବାସ କରିଆସୁଥିବା ଜନଜାତି ସମ୍ପ୍ରଦାୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ବିଭାଗୀୟ କାଗଜକଲମ ତଥ୍ୟ ଠାରୁ ବାସ୍ତବ ଚିତ୍ର ସମ୍ପୂର୍ଣ ଓଲଟା l ଲାସେରୀ ସେକ୍ସନର ପିପାଡ଼ି ଜଙ୍ଗଲ ସ୍ଥିତ ଅଭୟାରଣ୍ୟ ପ୍ରବେଶ ଫାଟକ କୁ ଲାଗି କିଛି ଜଙ୍ଗଲ ରହିଥିବା ବେଳେ ମାତ୍ର ଶହେ ମିଟର ଭିତରକୁ ଗଲେ ପୁରା ଫାଙ୍କା ପଡିଛି ଅଭୟାରଣ୍ୟ l ସହ ସହ ଏକର ଜଙ୍ଗଲ ସଫା କରି ପଡିଆରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଆସୁଛନ୍ତି ଲୋକ l ଏହି ଜଙ୍ଗଲ ଭିତରେ ଅବାଧରେ ଚାଲିଛି ବନ୍ୟପ୍ରାଣୀଙ୍କ ଶିକାର ଯାହା ଗତ ୬ ମାସ ତଳେ ଗୋଲମପଙ୍ଗା ଅଞ୍ଚଳରୁ ଜଣକୁ ଗିରଫ ପରେ ସ୍ପଷ୍ଟ ହୋଇଛି l ଶାଳ, ପିଆଶାଳ, ଶାଗୁଆନ ଇତ୍ୟାଦି ବହୁ ମୂଲ୍ୟବାନ ଗଛ ଅବାଧରେ କଟା ଚାଲିଥିବା ମଧ୍ୟ ବାରମ୍ବାର ପ୍ରମାଣିତ ହୋଇଛି l ଏକଦା ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀଙ୍କ ଚରାଭୂଇଁ ହୋଇଥିବା ଏହି ଅଭୟାରଣ୍ୟ ବର୍ତମାନ ଅବାଧରେ ଶିକାର ଯୋଗୁଁ ସେମାନଙ୍କ ପାଇଁ ବିପଦ ଭୂଇଁ ପାଲଟିଥିବା ଗ୍ରାମବାସୀ ମତାମତ ଦେଇଛନ୍ତି l ଅଭୟାରଣ୍ୟ ରକ୍ଷଣାବେକ୍ଷଣ ଏବଂ ଉନ୍ନତି କରଣ ନିମନ୍ତେ ଆସୁଥିବା କୋଟି କୋଟି ଅର୍ଥ ଯାଉଛି କୁଆଡେ ତାହାର ଉତ୍ତର ଦେବ କିଏ ? ଅଭୟାରଣ୍ୟର ଉନ୍ନୟନ ବାବଦରେ ପ୍ରତିବର୍ଷ ଆବଶ୍ୟକ ମୁତାବକ ଲୁଣି ପୋଖରୀ, ଚେକଡ୍ୟାମ, ଟ୍ରେଞ୍ଚ ଲାଇନ ଇତ୍ୟାଦି ନିର୍ମାଣ କେବଳ ପ୍ରହସନ ଚାଲିଥିବା ବେଳେ ବିଭିନ୍ନ ଉପାୟ ଅବଲମ୍ବନ କରି ଅନୁଦାନ ଅର୍ଥକୁ ଆତ୍ମସାତ କରିଆସୁଥିବା ଅଭିଯୋଗ ହୋଇଛି l ତେବେ ଗତ ମାସରେ ଦୁର୍ଗାପଙ୍ଗା ସେକ୍ସନର କାଜୁ ବଗିଚାରୁ ସନ୍ଦେହ ଜନକ ଭାବେ ୧୨ ଟି ଶାଗୁଆନ ଗଣ୍ଡି ଜବତ ପରେ ଏହା ଲାସେରୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ କଟା ଯାଇଥିବା ଏ ସି ଏଫ ଙ୍କ ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା l ବର୍ତମାନ ମଧ୍ୟ ଉକ୍ତ ଅଭୟାରଣ୍ୟ ଅଞ୍ଚଳରେ ସହ ସହ ଗଛ ଶୁଖିକି ପଡ଼ି ରହିଥିବା ବେଳେ ସମ୍ପୃକ୍ତ ବନରଖି ନିଜ ଦୋଷ ଦୁର୍ଗାପଙ୍ଗା ବନପାଳଙ୍କ ଉପରେ ଲଦି ନିଜେ ଖସିଯିବାକୁ ଉଦ୍ୟମ ଏକ ପ୍ରକାର ଭଣ୍ଡୁର ହୋଇଥିବା ପ୍ରଘଟ ହୋଇଥିଲା l ତେବେ ନିଜ ଅଭୟାରଣ୍ୟ ଜଙ୍ଗଲ ସୁରକ୍ଷାରେ ବିଫଳ ତଥା ଅଭୟାରଣ୍ୟ ଜଙ୍ଗଲର ବିକାଶ ନା ରେ ବିନାଶ ରଚିଥିବା ଲାସେରୀ ବିଟ ବନରଖିଙ୍କୁ କାହିଁକି ସୁରକ୍ଷା ଦେଉଛନ୍ତି ସ୍ଥାନୀୟ ଅଧିକାରୀ ତାହା ବଡ଼ ପ୍ରଶ୍ନବାଚୀ l ଅପରପକ୍ଷେ କୋଟଗଡ଼ ବନାଞ୍ଚଳ ଅଧୀନରେ ଗ୍ରହପାଳିତ ପଶୁ ମାନଙ୍କ ଟୀକାକାରଣ ନିମନ୍ତେ ଆସୁଥିବା ଅର୍ଥ ବର୍ଷ ବର୍ଷ ଧରି ଟୀକାକାରଣ ନକରି ଆତ୍ମସାତ କରାଯାଇଆସୁଥିବା ଅଭିଯୋଗ ହୋଇଛି l ଚଳିତ ବର୍ଷ କୋଟଗଡ଼ ବନାଞ୍ଚଳକୁ ୬ ଟି ଫରେଷ୍ଟ ରୋଡ଼ ଉନ୍ନତିକରଣ ନିମନ୍ତେ ଆସିଥିବା ଅନୁଦାନ କୁ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ବନାଞ୍ଚଳର ସମସ୍ତ ପାଞ୍ଚଟି ସେକ୍ସନ ଯଥା କୋଟଗଡ଼, ଲାସେରୀ, ଦୁର୍ଗାପଙ୍ଗା, ଶ୍ରୀରାମପୁର ଏବଂ ସୁବର୍ଣ୍ଣଗିରି କୁ ଗୋଟି ଗୋଟି କରି ବାଣ୍ଟିବା ବଦଳରେ କେବଳ ଗୋଟିଏ ସେକ୍ସନ ଲାସେରୀରେ ସବୁ ୬ ଟି ଯାକ ଫରେଷ୍ଟ ରାସ୍ତା ଅନୁମୋଦନ କରିବା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟକଳାପକୁ ଆହୁରି ଅଧିକ ସନ୍ଦେହ ଘେରକୁ ଟାଣି ଆଣିଛି l ତେବେ ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କୁ ଉଚିତ ଦଣ୍ଡ ଦେବା ସହିତ ପ୍ରକୃତ ସତ୍ୟ ଉନ୍ମୋଚନ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲ ଦାବୀ କରିଛି l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0