ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତିର ସମୀକ୍ଷା ବୈଠକ:ଜିଲ୍ଲାର ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ଯୋଗାଯୋଗ ପୂର୍ବକ କାର୍ଯ୍ୟ କରିବାକୁ ଜିଲ୍ଲାପାଳଙ୍କ ଅଧିକାରୀମାନଙ୍କୁ ପରାମର୍ଶ, ଜିରୋ କାଜୁଆଲିଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

Feb 21, 2026 - 21:31
 0  5
ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତିର ସମୀକ୍ଷା ବୈଠକ:ଜିଲ୍ଲାର ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ଯୋଗାଯୋଗ ପୂର୍ବକ କାର୍ଯ୍ୟ କରିବାକୁ ଜିଲ୍ଲାପାଳଙ୍କ ଅଧିକାରୀମାନଙ୍କୁ ପରାମର୍ଶ, ଜିରୋ କାଜୁଆଲିଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ମାଲକାନଗିରି, ୨୧/୨/୨୬: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମାଲକାନଗିରି ଜିଲ୍ଲାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ସତର୍କତା ମୂଳକ ପଦକ୍ଷେପ ସଂପର୍କିତ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ଜିଲ୍ଲା ଜରୁରୀ ଶାଖା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ବୈଠକର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ସମସ୍ତଙ୍କୁ ବୈଠକରେ ସ୍ୱାଗତ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବ୍ଲକର ବିଡ଼ିଓ, ତହସିଲ୍‌ଦାର, ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀମାନେ ସଜାଗ ଓ ତତ୍ପର ରହିବା ସହିତ କ୍ଷେତ୍ର କର୍ମଚାରୀ ଓ ଅଧିକାରୀମାନଙ୍କୁ ଏ ସଂପର୍କରେ ସୂଚୀତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଜିଲ୍ଲାରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟାକୁ ଜିରୋ କରିବା ନିମନ୍ତେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ପାନୀୟ ଜଳର ସମସ୍ୟା ସଂପର୍କରେ ଅଭିଯୋଗ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ୟାର ସମାଧାନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୪ ଇନ୍‌ଟୁ ୭ ଘଣ୍ଟା ହିସାବରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ପାଇଁ ବିଦ୍ୟୁତ ବିଭାଗ ଯତ୍ନବାନ ହେବେ । ଏତଦ୍‌ ବ୍ୟତୀତ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍‌ପିଟାଲ୍‌ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଔଷଧ ତଥା ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ସିଡ଼ିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍‌ପିଟାଲ୍‌ ଗୁଡ଼ିକରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ସହ ଅଂଶୁଘାତ ଚିକିତ୍ସା ପାଇଁ ସ୍ୱତନ୍ତ୍ର କୋଠରୀ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି । ଅଂଶୁଘାତ ଜନିତ ତୁରନ୍ତ ପଦକ୍ଷେପ ଓ ସୂଚନା ନିମନ୍ତେ ଜିଲ୍ଲା ଜରୁରୀ ଶାଖା ତରଫରୁ ସର୍ବସାଧାରଣଙ୍କ ନିମନ୍ତେ କଣ୍ଟ୍ରୋଲ ରୁମ (୨୪ ଇନ୍‌ଟୁ ୭) ଚାଲୁ କରିବା ଉପରେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌, ତହସିଲ ଓ ସଂପୃକ୍ତ ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡ଼ିକରେ କଂଟ୍ରୋଲ ରୁମ୍‌ ଖୋଲିବା ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବୈଠକରେ ବିଭିନ୍ନ ଜରୁରୀ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଅଚଳ ହୋଇଥିବା ନଳକୂପ ଗୁଡିକୁ ସଚଳ କରିବା ତଥା ଅନ୍ୟାନ୍ୟ ଜଳ ଉତ୍ସ ଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ପାନୀୟ ଜଳ ଯୋଗାଣ ଓ ତତ୍‌ ସଂକ୍ରାନ୍ତୀୟ ସମସ୍ୟା ସଂପର୍କରେ ପଦକ୍ଷେପ ଗ୍ରହଣ କରିବା, ଅଂଶୁଘାତ ଜନିତ ମୃତ୍ୟୁର ଯଥାଶୀଘ୍ର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା, ଜିଲ୍ଲାର ପୌରପରିଷଦ, ଏନ୍‌ଏସି, ବ୍ଲକ, ପଞ୍ଚାୟତ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଜନଗହଳି ସ୍ଥାନ, ବସ୍‌ଷ୍ଟାଣ୍ଡମାନଙ୍କରେ ଜଳ ଛତ୍ର ଖୋଲିବା, ଜଳକ୍ଲିଷ୍ଟ ଅଂଚଳରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବା ଇତ୍ୟାଦି ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଯାତ୍ରୀବାହୀ ବସ୍‌ ତଥା ଅନ୍ୟାନ୍ୟ ଯାତ୍ରୀବାହୀ ଯାନବାହନ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ଓଆର୍‌ଏସ୍‌ ପ୍ୟାକେଟ୍‌ ରଖିବା ସହ ସମୟ ନିର୍ଘଣ୍ଟ ଜାରି କରିବା ସକାଶେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ ବ୍ୟତୀତ ଶ୍ରମିକମାନେ କାର୍ଯ୍ୟ କରୁଥିବା କାର୍ଯ୍ୟସ୍ଥଳୀ ଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆର୍‌ଏସ୍‌ ପ୍ୟାକେଟ୍‌ ରଖିବା ସହ କାର୍ଯ୍ୟ ସମୟ ନିର୍ଘଣ୍ଟକୁ ଜାରି କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ସମୟରେ ଗୋରୁ, ଗାଈ ଇତ୍ୟାଦି ପ୍ରାଣୀ ସଂପଦଙ୍କ ପିଇବା ପାଣିର ବ୍ୟବସ୍ଥା ପାଇଁ ତଥା ଔଷଧ ରଖିବା ନିମନ୍ତେ ବିଡ଼ିଓ ଏବଂ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ସହ ବନ୍ୟ ସମ୍ପଦର ସୁରକ୍ଷା ପ୍ରତି ବିଶେଷ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ଓ ଅଂଶୁଘାତ ସତର୍କତା ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ନିଜ ବିଭାଗ ତରଫରୁ ନେବାକୁ ଥିବା ପଦକ୍ଷେପ ବୈଠକରେ ଉପସ୍ଥାପନା କରିଥିଲେ । ବୈଠକ ଆୟୋଜନ କରିବାରେ ଜରୁରୀ କାଳୀନ ବିଭାଗ ପକ୍ଷରୁ କୁନା ନାୟକ ଓ ଅନ୍ୟ ମାନେ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ