ସମୂହ ଗଛକାଟି ଆନ୍ତଃରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ
ବାରିପଦା ତା ୨୨/୧୨(ଫାଷ୍ଟ୍ ନ୍ୟୁଜ୍ ଓଡିଶା) ବାରିପଦା ସହରର ପାଲବଣି ଠାରେ ବ୍ୟାପକ ଗଛକାଟି ଆନ୍ତରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡା ଯାଇଛି. ସୋମବାର ସକାଳେ ଏନେଇ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସଭାପତିତ୍ୟରେ ଦଳର ନେତୃବୃନ୍ଦ ଜିଲ୍ଲାପାଳ ହେମକାନ୍ତ ସଏଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି. ବସଷ୍ଟାଣ୍ଡ ନିର୍ମାଣ ପାଇଁ ୧୭ତାରିଖରୁ ହଜାରହଜାର ଗଛ କାଟିବା କାର୍ଯ୍ୟ ଆରମ୍ଭ ହୋଇଛି. ନୂଆ ବସଷ୍ଟାଣ୍ଡ ପାଇଁ ମନୋନୀତ ସ୍ଥାନଟି ଅତି ଘଞ୍ଚ ସବୁଜ ଆଚ୍ଛାଦିତ ଅଞ୍ଚଳ. ଶାଳ ଠାରୁ ଆରମ୍ଭ କରି ମୂଲ୍ୟବାନ ଗଛ ଭରପୂର ମାତ୍ରାରେ ଥିବାରୁ ସହରର ଅମ୍ଳଜାନର ଉତ୍ସ ଭାବେ କାର୍ଯ୍ୟ କରୁଥିଲା. କିନ୍ତୁ ସ୍ଥାନୀୟ ଲୋକ, ବନ ସୁରକ୍ଷା କମିଟି ଓ ରକ୍ଷଣଶୀଳଙ୍କ ମତାମତ ନନେଇ ଜିଲ୍ଲା ପ୍ରଶାସନ ଏକପାଖିଆ ଭାବେ ନୂଆ ବସଷ୍ଟାଣ୍ଡ ସ୍ଥାପନ କରିବାକୁ ନିଷ୍ପତ୍ତି ନେବା ସ୍ଥାନୀୟ ଲୋକ ଓ ପରିବେଶ ପ୍ରେମୀଙ୍କୁ ହତବାକ କରିଛି. ଯଦି ଏହି ନୂଆ ଆନ୍ତଃରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଗଛକଟା ବନ୍ଦ କରାନଯାଏ, ବରିପଦାରେ ଜଙ୍ଗଲ ଅଞ୍ଚଳ ହ୍ରାସ ପାଇ ଭବିଷ୍ୟତରେ ଅନେକ ପରିବେଶଗତ ସମସ୍ୟା ଉତ୍ପନ୍ନ ହେବ. ପୂର୍ବରୁ ଜିଲ୍ଲା ପ୍ରଶାସନ ବରିପଦା ସର୍କଲ ଜେଲ ଅଧୀନରେ ଥିବା ମୁର୍ଗାବାଡି ଠାରେ ଏକ ଉପଯୁକ୍ତ ଜମି ଚିହ୍ନଟ କରିଥିଲେ ଏବଂ ଯଥେଷ୍ଟ କ୍ଷତିପୂରଣ ନେଇ ସେଠାରେ ନୂଆ ବସଷ୍ଟାଣ୍ଡ କରିବାକୁ ଯୋଜନା କରିଥିଲେ. କିନ୍ତୁ ବିନା ବିସ୍ତୃତ ଅଧ୍ୟୟନରେ ପ୍ରଶାସନ ଏକତରଫା ଭାବେ ଗଭୀର ଜଙ୍ଗଲ ଭିତରେ ବସଷ୍ଟାଣ୍ଡ ସ୍ଥାପନ କରିବାକୁ ନିଷ୍ପତ୍ତି ନେବା ଦୁର୍ଭାଗ୍ୟ ଜନକ. ଏହା ଓଡ଼ିଶା ବନ ଆଇନ ୧୯୭୨ ଏବଂ ବିଦ୍ୟମାନ ନିୟମାବଳୀର ନିୟମ ଉଲ୍ଲଙ୍ଘନ କରୁଛି. ଯେଉଁଥିରେ ଗଛ କଟାଯାଇଥିଲେ ୧:୧୦ ହାରରେ ପୁନଃରୋପଣ ବାଧ୍ୟତାମୂଳକ. ଏପର୍ଯ୍ୟନ୍ତ ଏହାର କୌଣସି ଯୋଜନା ପ୍ରକାଶ ପାଇନାହିଁ. ଆପେକ୍ସ କୋର୍ଟ ମଧ୍ୟ ଏହି ଗଛଗୁଡ଼ିକ ଜଙ୍ଗଲ କିସମ ଭାବେ ଚିହ୍ନଟ ନହେଲେ ମଧ୍ୟ ସେଗୁଡ଼ିକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି. ଦାୟିତ୍ୱପୂର୍ଣ୍ଣ ଶାସନ ବଜାୟ ରଖିବା ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ପୁନଃରୋପଣ ଯୋଜନା ଓ ଅନ୍ୟାନ୍ୟ ସମ୍ପର୍କିତ ବିଷୟଗୁଡ଼ିକର ବିସ୍ତୃତ ଯୋଜନା ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗଛ କଟାକୁ ତୁରନ୍ତ ଅଟକାଇ ବାରିପଦାରେ ଥିବା ବହୁ ସରକାରୀ ଖାଲି ଜମିକୁ ପ୍ରକଳ୍ପଟିକୁ ସ୍ଥାନାନ୍ତରିତ କରିବାକୁ ନିବେଦନ କରାଯାଇଛି. ଦଳ ପକ୍ଷରୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ପୂର୍ବତନ ବିଧାୟକ ରାଜକିଶୋର ଦାସ, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ ଏମସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ପୂର୍ବତନ ସଭାପତି ଦେବାଶିଷ ମହାନ୍ତି, ପୂର୍ବତନ ଏସଡିସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ପ୍ରଭାତ ନାୟକ, ଦେବୀଦତ୍ତ ଦାଶ, ଅରୁଣ ବରାଡ, ମହେଶ ଭଞ୍ଜଦେଓ, ଦିପ୍ତୀଲତା ମିଶ୍ର, ସବିତା ବେହେରା ଓ ବୀଣାପାଣି ସାହୁ, ପ୍ରଭାତ ମହାନ୍ତି, ଅନନ୍ତ ଦାସଙ୍କ ସମେତ ଶତାଧିକ କର୍ମକର୍ତ୍ତା ଦଳୀୟ କାର୍ଯ୍ୟାଳୟ ବିଜୁଭବନରୁ ପଦଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ. ଅଭିଯୋଗ ପତ୍ରର ଏକକିତା ନକଲ ରାଜସ୍ୱ ବିଭାଗ, ବନ ଓ ପରିବେଶ ବିଭାଗ ସଚିବ ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ଏବଂ ଓଏସଆରଟିସି ପ୍ରଧାନ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଛି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0