ଶିମିଳିପାଳରେ 0ଡିଗ୍ରୀ ଛୁଇଁଲା ପାରଦ, ହାଲକା ତୁଷାରପାତ
ବାରିପଦା ତା 7/1(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ବିଗତ କିଛିଦିନ ଧରି ମୟୂରଭଞ୍ଜ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଛି. ବିଗତ କିଛିଦିନ ଧରି ଉତ୍ତରା ଥଣ୍ଡା ବାୟୁ ପ୍ରବାହ ଜାରି ରହିଥିବାରୁ ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହୋଇ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି. ଜିଲ୍ଲାରେ ସାଧାରଣତ 10ଡିଗ୍ରୀ ପାଖାପାଖି ତାପମାତ୍ର ରହୁଥିବା ବେଳେ ଶିମିଳିପାଳ କୋର ଏରିଆରେ ସର୍ବନିମ୍ନ ତାପମାତ୍ରା 0ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାର ଜଣାଯାଇଛି. ପ୍ରବଳ ଥଣ୍ଡା କାରଣରୁ ଶିମିଳିପାଳର ବିଭିନ୍ନ ସ୍ଥାନରେ ରାତିରେ ହାଲୁକା ତୁଷାରପାତ ହୋଇ ସକାଳକୁ ଘାସ ଉପରେ ସୂକ୍ଷ୍ମ ଅସ୍ତରଣ ଜମାହୋଇ ରହୁଥିବାର ଦେଖାଯାଉଛି. ଦେଶୀ ବିଦେଶୀ ପର୍ଯ୍ୟଟକ ମାନେ ଶିମିଳିପାଳକୁ ବୁଲିବାକୁ ଆସି କାଶ୍ମୀରର ଅନୁଭୂତି ଉଠାଇବାରେ ଲାଗିଛନ୍ତି. ବିଶେଷ କରି ଶିମିଳିପାଳ ଏବଂ ଏହାର ପାଦ ଦେଶରେ ଥିବା ଗ୍ରାମ ଗୁଡିକରେ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବା ପାଇଁ ସନ୍ଧ୍ୟା ହେଲେ ଲୋକେ ଧୂନି ଜାଳି ବସୁଥିବାର ଦେଖାଯାଉଛି. ସନ୍ଧ୍ୟା ପରେ ସହରର ରାସ୍ତାଘାଟବି ଶୂନଶାନ ହୋଇଯାଉଛି. ରାତିରେ ଘନ କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଥିବା ବେଳେ, ଶିମିଳିପାଳ ଅଭୟାରଣ୍ୟର ଉପର ବାରହା କାମୁଡ଼ା ରେଞ୍ଜରେ ସର୍ବନିମ୍ନ 0ଡିଗ୍ରୀ, ଚହଲା ରେ 2ଡିଗ୍ରୀ, ବରେହିପାଣିରେ 5ଡିଗ୍ରୀ, ଗୁଡୁଗୁଡିଆ ରେ 5ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସୂଚନା ମିଳିଛି. ତେବେ ଶିମିଳିପାଳ ଭିତରେ ରହୁଥିବା ବାସିନ୍ଦା ମାନେ ପ୍ରବଳ ଥଣ୍ଡା କାରଣରୁ ଦିନ ଏବଂ ରାତି ତମାମ ଧୂନି ଜାଳି ସମୟ ଅତିବାହିତ କରୁଥିବାର ଦେଖାଯାଉଛି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0