ମୟୂରଭଞ୍ଜରେ ଦ୍ୱିତୀୟ ଦିନ ପାହାଡ଼ପୁର ଗ୍ରାମରେ ରାଷ୍ଟ୍ରପତି:ଉଦ୍ୟୋଗୀ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ
ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ ଅବସରରେ ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତା'ଙ୍କ ଶ୍ୱଶୁର ଘର ଗାଁ ପାହାଡପୁରକୁ ଗସ୍ତ କରିଛନ୍ତି। ପାହାଡପୁର ଗ୍ରାମରେ ପହଂଚି ପ୍ରଥମେ ଏସ.ଏଲ.ଏସ ଟ୍ରଷ୍ଟ ପରିସରସ୍ଥିତ ସ୍ବର୍ଗତଃ ଶ୍ୟାମ ଚରଣ ମୁର୍ମୁ, ଲକ୍ଷ୍ମଣ ମୁର୍ମୁ ଓ ସିପୁନ ମୁର୍ମୁ ଙ୍କ ସମାଧି ସ୍ଥଳ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ପରେ ମୁର୍ମୁ ଛକ ଠାରେ ତା'ଙ୍କ ସ୍ୱାମୀ ସ୍ବର୍ଗତଃ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ଗୋଶାଣି ସ୍ଥଳରେ ଭକ୍ତିପୂତ ପ୍ରଣାମ ଜଣାଇ ଜାହିରା ପୀଠକୁ ଯାଇ ପୂଜାର୍ଚନା କରିଥିଲେ। ପରବର୍ତ୍ତୀ ସମୟରେ ଏଲ୍.ଆଣ୍ଡ୍.ଟି ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ପ୍ରଶିକ୍ଷାର୍ଥୀଙ୍କ ସହ ଭାବବିନିମୟ କରିଥିଲେ । ଏହି ଅବସରରେ ସେ ଶ୍ୟାମ ଚରଣ ମୁର୍ମୁ ପ୍ରାଥମିକ ଚକ୍ଷୁ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଗ୍ରାମ ପରିଦର୍ଶନ କରି ଗ୍ରାମବାସୀ ତଥା ବନ୍ଧୁ ପରିଜନଙ୍କୁ ଭେଟି ଥିଲେ । ଏସ.ଏଲ.ଏସ ଟ୍ରଷ୍ଟରେ ପହଂଚି ଛାତ୍ରଛାତ୍ରୀଙ୍କ ସହ ଅଧ୍ୟୟନ ସମ୍ବନ୍ଧୀୟ ସ୍ନେହପୂର୍ଣ୍ଣ ଭାବବିନିମୟ କରିଥିଲେ । ବିଦ୍ୟାର୍ଥୀ ମାନେ ମାନନୀୟ ରାଷ୍ଟ୍ରପତିଙ୍କୁ ନିକଟରେ ପାଇ ଏବଂ ତାଙ୍କ ସହିତ କଥୋପକଥନ କରିବା ସୁଯୋଗ ପାଇ ଖୁବ ଆନନ୍ଦ ଅନୁଭବ କରିଥିଲେ । ଏହାପରେ ସେଠାରେ ଏଲ୍.ଆଣ୍ଡ୍.ଟିର ଦକ୍ଷତା ବିକାଶ କେନ୍ଦ୍ରରେ ବିଭିନ୍ନ ଟ୍ରେଡ଼ରେ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀ ଏବଂ ଏହି କେନ୍ଦ୍ରରୁ ପ୍ରଶିକ୍ଷିତ ହୋଇ ନିଯୁକ୍ତି ପାଇଥିବା ଯୁବକ ଯୁବକ ମାନଙ୍କ ସହ ଭାବ ବିନିମୟ ଜରିଆରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ପିଲାମାନେ ମଧ୍ୟ ରାଷ୍ଟ୍ରପତିଙ୍କ ଆଗରେ ସେମାନଙ୍କ ଅନୁଭୂତି ବଖାଣିବା ସହ ଆବଶ୍ୟକତା ବିଷୟରେ କହିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଆଜି ସେ ଭାଷଣ ଦେବାପାଇଁ ଆସିନାହାନ୍ତି ବରଂ ପିଲାମାନେ କେମିତି ଅଛନ୍ତି ଜାଣିବା ପାଇଁ ଆସିଛନ୍ତି । ଆଜି ମୋ ମାଟିକୁ ପାଖରେ ପାଇବାର ମୋତେ ସୁଯୋଗ ମିଳିଛି ସେଥିପାଇଁ ମୁଁ ଖୁବ ଆନନ୍ଦିତ ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ କି,ମୁଁ ଆଜି ଯେଉଁ ମାର୍ଗର ପଥିକ ସାଜିଛି ତାହା ମୋର ଅଭିଳାଷ ନଥିଲା, ମାତ୍ର ମୋର ବର୍ତ୍ତମାନ ସ୍ଥିତିର, ଶ୍ରେୟ କେବଳ ଏ ମାଟିର, ଏ ମାଟିର ଭାଇ ଭଉଣୀମାନଙ୍କ ସହଯୋଗର ଓ ଏ ମାଟିର ଜନତାଙ୍କର । ଆଜିର ଯୁବବର୍ଗ ଆଗାମୀ କାଲିର ଭବିଷ୍ୟତ । ଯୁବବର୍ଗ ମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ମାତ୍ର ଏହା ଗାଁକୁ ପହଁଚୁଛି କି ନାହିଁ, ଯଦି ପହଂଚିଛି ତେବେ କେତେଦୂର ଏହା କାର୍ଯ୍ୟକାରି ହେଉଛି ଏବଂ ଏ ଗାଁର ଉନ୍ନତି ପାଇଁ କଣ ଅବଶ୍ୟକତା ଅଛି ସେ ବିଷୟରେ ପିଲାମାନଙ୍କ ଠାରୁ ଜାଣିବା ପାଇଁ ଚାହିଁ ଥିଲେ।। ଏହି ଅବସରରେ କହିଥିଲେ ଯେ, ସେ ବହୁ କଷ୍ଟ ସାଧ୍ୟ କରି ପାହାଡପୁର ଭଳି ଗ୍ରାମରେ ଦିନେ ଛୋଟ ଚାରାଟିଏ ରୋପଣ କରିଥିଲେ, ଯାହାକି ଆଜି ମହାଦ୍ରୁମରେ ପରିଣତ ହେବା ସହ ଏହାର ଛାଇ ବହୁ ଜଣଙ୍କୁ ଆଶ୍ରୟ ଦେଉଛି। ସମସ୍ତ ବିଦ୍ୟାର୍ଥୀଙ୍କୁ ଭଲ ପାଠ ପଢି ବଡ ମଣିଷ ହେବା ପାଇଁ ଉପଦେଶ ଦେବା ସହ ପାଠ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ଅନ୍ତର୍ନିହିତ ଦକ୍ଷତାକୁ ପ୍ରତିପାଦନ କରି ଆତ୍ମ ନିର୍ଭର ହେବା ପାଇଁ ଉତ୍ସାହିତ କରିଥିଲେ । ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଚାକିରୀ ମିଳିବା ସହଜ ନୁହେଁ, ତେଣୁ ଚାକିରୀ ଅନ୍ବେଷଣ ( Job Seeker) ନକରି ଚାକିରୀ ଦେବା(Job Provider) ପାଇଁ ନିଜ ଭିତରେ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଯୁବ ବର୍ଗଙ୍କୁ ଆହ୍ୱାନ ଜଣାଇଥିଲେ। ଯୁବ ବର୍ଗ ଆତ୍ମ ନିର୍ଭର ହେଲେ ଆତ୍ମ ନିର୍ଭର ଭାରତ ଏବଂ ବିକଶିତ ଭାରତ ସମ୍ଭବ ବୋଲି ସେ କହିଥିଲେ। ତତ ସହିତ ଯେଉଁ ମାନଙ୍କ ଉଚ୍ଚ ଅଭିଳାଷ ଅଛି ମାତ୍ର ଆର୍ଥିକ ସ୍ଵଛଳତା ଅଭାବରୁ ଅଧାରୁ ପାଠ ପଢା ଛାଡି ରହିଛନ୍ତି ଏବଂ ଆଗକୁ ବଢ଼ିପାରୁ ନାହାନ୍ତି, ସେମାନଙ୍କୁ ନିଜର ଅଭିଳାଷ ପୂରଣ ପାଇଁ ଏଲଏନଟି ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ ସହ ଆଳତୀ,ପୂଜାର୍ଚନା କରିବା ସହ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ ଏବଂ ପ୍ରସାଦ ସେବନ କରିବା ସହ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0