ମିର୍ଗାନ୍ଗୁଡ଼ାରେ ପାରମ୍ପରିକ ‘ଗାଁ ବଲାଣୀ’ ଉତ୍ସବ: ଅଶୁଭ ଶକ୍ତିର ବିନାଶ ଓ ଗ୍ରାମ ମଙ୍ଗଳ ପାଇଁ ଅନନ୍ୟ ପରମ୍ପରା
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୩.୧୨.୨୦୨୫ ରିଖ: ନବରଙ୍ଗପୁର ତହସିଲ ଅନ୍ତର୍ଗତ ମିର୍ଗାନ୍ଗୁଡ଼ା ଗ୍ରାମରେ ବହୁ ପୁରାତନ କାଳରୁ ଚାଲିଆସୁଥିବା ପାରମ୍ପରିକ ‘ଗାଁ ବଲାଣୀ’ ପର୍ବ ଅତ୍ୟନ୍ତ ନିଷ୍ଠାର ସହ ପାଳିତ ହୋଇଯାଇଛି ! ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇଙ୍କ ଏହି ପର୍ବ କେବଳ ଏକ ଉତ୍ସବ ନୁହେଁ, ବରଂ ଗ୍ରାମର ସୁରକ୍ଷା ଓ ଶାନ୍ତି ପାଇଁ ଏକ ଶାସ୍ତ୍ରୀୟ ବିଧି ! ଏହି ପର୍ବ ପାଳନ କରିବା ପୂର୍ବରୁ ଗ୍ରାମବାସୀ ଏକତ୍ରିତ ହୋଇ ପଞ୍ଚାୟତ ବୈଠକରେ ଆଲୋଚନା କରିଥାନ୍ତି ! ସାଧାରଣତଃ ମଙ୍ଗଳବାର ଦିନ ହିଁ ବଲାଣୀ ପାଇଁ ସ୍ଥିର କରାଯାଏ ! ଯଦି ଗ୍ରାମରେ କୌଣସି ଅଘଟଣ ବା ପୂଜକଙ୍କ ପରିବାରରେ ଅସୁବିଧା ଦେଖାଦିଏ, ତେବେ ତାରିଖରେ ପରିବର୍ତ୍ତନ କରାଯାଇଥାଏ ! ଗ୍ରାମକୁ ସମସ୍ତ ନକାରାତ୍ମକ ଶକ୍ତିରୁ ମୁକ୍ତ କରିବା ଏବଂ ଗାଈ-ଗୋରୁ, ଛେଳି-ମେଣ୍ଢା ତଥା ସମସ୍ତ ପାଳିତ ପ୍ରାଣୀଙ୍କୁ ସୁସ୍ଥ ରଖିବା ଏହି 'ବଲାଣୀ ପର୍ବର' ମୁଖ୍ୟ ଉଦ୍ଦେଶ୍ୟ ! ଗାଁର ସମସ୍ତ ଅଳିଆ ଆବର୍ଜନାକୁ ଏକତ୍ରିତ କରି ଗ୍ରାମ ବାହାରେ ଫିଙ୍ଗିଦିଆଯାଏ, ଯାହା ଗ୍ରାମକୁ ରୋଗବ୍ୟାଧି ମୁକ୍ତ ରଖିବା ପାଇଁ ଏକ ପ୍ରତୀକାତ୍ମକ ପରମ୍ପରା ! ବାଜା-ମହୁରୀର ତାଳେ ତାଳେ ଗ୍ରାମବାସୀ ମାଁ ସୁନାଦେଇଙ୍କ ଗାଦିକୁ ଆଣି ଗ୍ରାମର ଏକ ମୁଖ୍ୟ ସ୍ଥାନରେ ରଖି ବିଧିବଦ୍ଧ ଭାବେ ପୂଜକ ମାନେ ପୂଜାର୍ଚ୍ଚନା କରିଥାନ୍ତି ! ଗ୍ରାମ ଭିତ୍ତିକ ପୂଜା ଶେଷ ହେବା ପରେ ସମସ୍ତେ ଗ୍ରାମରୁ ବାହାରି ପଡ଼ିଆକୁ ଯାଆନ୍ତି ! ସେଠାରେ ପୁଣି ଥରେ ମାଁଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ ! ଉକ୍ତ ପଡିଆ ରେ ସମସ୍ତେ ନିଜ ନିଜ ପାଇଁ ସାମୂହିକ ରୋଷେଇ କରି ପ୍ରସାଦ ସେବନ କରନ୍ତି ! ପରେ ଅତ୍ୟନ୍ତ ଶ୍ରଦ୍ଧାର ସହ ମାଁଙ୍କ ଗାଦିକୁ ପୁଣି ମନ୍ଦିରକୁ ଅଣାଯାଇ ସ୍ଥାପନ କରାଯାଇଥାଏ ! ବଲାଣୀ ପର୍ବର ଦୁଇ କିମ୍ବା ତିନି ଦିନ ପରେ ଗ୍ରାମବାସୀ ଅତି ଉତ୍ସାହର ସହ ‘ଦିଆଲି’ ପର୍ବ ପାଳନ କରନ୍ତି ! ଏହି ପୁରାତନ ପରମ୍ପରା ଆଜିର ଆଧୁନିକ ଯୁଗରେ ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ଥିବା ଏକତା ଓ ଶ୍ରଦ୍ଧାର ଏକ ଜ୍ୱଳନ୍ତ ଉଦାହରଣ ! ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0