ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ

Oct 9, 2026 - 05:16
 0  2
ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ

*ମାଲକାନଗିରି,୮/୧୦/୨୬:* ଜିଲ୍ଲାରେ ଜନସ୍ୱାସ୍ଥ୍ୟ ସଚେତନତା ଓ ରୋଗ ନିରାକରଣକୁ ତ୍ଵରାନିତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାସ୍ତରୀୟ ଜୋଶ୍ ଦଳର ଶୁଭାରମ୍ଭ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିଜ ନିଜ ଅଞ୍ଚଳକୁ ଯକ୍ଷ୍ମା ମୁକ୍ତ କରିବାରେ ସଫଳତା ହାସଲ କରିଥିବା ସ୍ଥାନୀୟ ଜନପ୍ରତିନିଧିମାନଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ମଧ୍ୟ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ସିଡିଏମ ଓ ପିଏଚଓ ଡାକ୍ତର ମାନସ ରଞ୍ଜନ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସାଂସଦଙ୍କ ପ୍ରତିନିଧି ବିଜୟ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚରେ ଅନ୍ୟ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଏଡିପିଏଚଓ (ପରିବାର କଲ୍ୟାଣ) ଡାକ୍ତର ମିନତୀ ମହାନ୍ତି, ଡିଏମଓ (ଏମଏସ) ତଥା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ସୁରୁମା ବେହେରା, ଏଡିପିଏଚଓ (କୁଷ୍ଠ) ଡାକ୍ତର ଏନଟିସି ବେହେରା ଏବଂ ଏଡିପିଏଚଓ (ଭିବିଡି/ଟିବି) ଡାକ୍ତର ସୌଭାଗ୍ୟ ରଞ୍ଜନ ରଣସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି ନୂତନ ଅଭିଯାନର ଶୁଭାରମ୍ଭ ଅବସରରେ ସିଡିଏମ ଓ ପିଏଚଓ ଡାକ୍ତର ପଣ୍ଡା କହିଛନ୍ତି ଯେ ମାଲକାନଗିରି ଜିଲ୍ଲାରୁ ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ନିର୍ମୂଳ କରିବା ଆମର ମୂଳ ଲକ୍ଷ୍ୟ। ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ନବଗଠିତ ଜୋଶ୍ ଦଳ ତୃଣମୂଳ ସ୍ତରରେ ରୋଗୀ ଚିହ୍ନଟ, ପ୍ରାରମ୍ଭିକ ପରୀକ୍ଷା ଏବଂ ବ୍ୟାପକ ସଚେତନତା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏଥିସହ ପ୍ରମାଣପତ୍ର ହାସଲ କରିଥିବା ଜନପ୍ରତିନିଧିମାନଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ବୋଲି ପ୍ରକାଶ କରିବା ସହ ସମସ୍ତଙ୍କ ମିଳିତ ସହଯୋଗରେ ହିଁ ଜିଲ୍ଲାକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ମୁକ୍ତ କରାଯାଇପାରିବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା ଯକ୍ଷ୍ମା ନିରାକରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସ୍ଥାନୀୟ ନେତାମାନଙ୍କୁ ସିଡିଏମ ଓ ପିଏଚଓଙ୍କ ଦ୍ୱାରା ସମ୍ମାନଜନକ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ପ୍ରମାଣପତ୍ର ପ୍ରଦାନ। ଏହି ଅବସରରେ ପାଣ୍ଡ୍ରିପାଣିର ନାଏବ ସରପଞ୍ଚ ଖିଲ୍ଲାନା ଗୋଲୋରୀ, ପେଡ଼ାୱାଡାର ସରପଞ୍ଚ ବନିତା କୁରାମୀ ଏବଂ ମାଡ଼କାପଦରର ସରପଞ୍ଚ ଡମ୍ବରୁ ସିସାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶୁଭାରମ୍ଭ ଉତ୍ସବ ଏବଂ ସମୀକ୍ଷା ବୈଠକରେ ଜିଲ୍ଲା ଓ ବ୍ଲକ ସ୍ତରର ଅନେକ ସ୍ୱାସ୍ଥ୍ୟକର୍ମୀ, ଯୋଜନା ପରିଚାଳନା କର୍ମଚାରୀ ଏବଂ ସ୍ଥାନୀୟ ପ୍ରଶାସନିକ କର୍ମକର୍ତ୍ତା ସକ୍ରିୟ ଭାବେ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ