।। ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ ।।

Oct 17, 2023 - 22:40
 0  9
।। ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): ବୌଦ୍ଧ ଜିଲ୍ଲାର ତତ୍କାଳୀନ ମାର୍କଫେଡ ଏରିଆ ମ୍ୟାନେଜର ଭୂବନ ମୋହନ ଦାଶଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ତାଙ୍କୁ ଭୂବନେଶ୍ୱରର ବାଲିଅନ୍ତା ଅଞ୍ଚଳରୁ ଗିରଫ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଶ୍ରୀ ଦାଶ ୨୦୦୭ ମସିହାରେ ବୌଦ୍ଧଠାରେ ମାର୍କଫେଡର ଆଞ୍ଚଳିକ ମ୍ୟାନେଜର ଦାୟିତ୍ବରେ ଥିବା ବେଳେ ତାଙ୍କ ବିରୋଧରେ ତିଳା ଓ ହଳଦୀ ବିହନ କିଣାରେ ୯ ଲକ୍ଷ ୬୬ ହଜାର ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ତାଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ୩୦/୨୦୦୭ରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା। ଏହା ପୂର୍ବରୁ ୨୦୦୬ ମସିହାରେ ସେ କାର୍ଯ୍ୟରୁ ବହିଷ୍କୃତ ହୋଇଥିଲେ। ତେବେ ଅଭିଯୁକ୍ତ ଦାଶଙ୍କୁ ଧରିବାରେ ଭିଜିଲାନ୍ସ ବିଭାଗ ସଫଳ ହୋଇ ନ ଥିଲେ। ପରେ ତାଙ୍କ ନାମରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଏକ ଜାମିନ ବିହୀନ ଓ୍ବାରେଣ୍ଟ ଜାରୀ କରିବା ପରେ ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗ ଯୋଜନା ପ୍ରସ୍ତୁତ କରି ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲା। ତେବେ ଅଭିଯୁକ୍ତ ବାରମ୍ବାର ନିଜର ସ୍ଥାନ ସହ ମୋବାଇଲ ନମ୍ବର ପରିବର୍ତ୍ତନ କରି ଚାଲିଥିଲେ। ଭିଜିଲାନ୍ସ ପକ୍ଷରୁ ନଜର ରଖାଯିବା ସହ ମୋବାଇଲ ନମ୍ବର ଟ୍ରାକିଙ୍ଗ କରାଯାଇ ସେ ଭୂବନେଶ୍ୱରର ବାଲିଅନ୍ତା ଅଞ୍ଚଳରେ ଥିବା ଜଣାପଡିବା ପରେ ଚଢାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରୀ କରାଯାଇଥିବା ଏକ ପ୍ରେସ ବିବୃତିରେ କୁହାଯାଇଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ