ନବୋଦୟ ଛାତ୍ର ଗୋକୁଳ କହଁରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ନିରପେକ୍ଷ ତଦନ୍ତ ଓ ୫୦ ଲକ୍ଷ କ୍ଷତିପୂରଣ ଦାବି..?

Jun 13, 2026 - 19:31
 0  15
ନବୋଦୟ ଛାତ୍ର ଗୋକୁଳ କହଁରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ନିରପେକ୍ଷ ତଦନ୍ତ ଓ ୫୦ ଲକ୍ଷ କ୍ଷତିପୂରଣ ଦାବି..?

ଫିରିଙ୍ଗିଆ:୧୩/୦୬/୨୦୨୬.(ସଲମନ୍ ବିନ୍ଧାଣୀ) କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ତୁଡ଼ିପାଜୁ ସ୍ଥିତ ନବୋଦୟ ବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷ ଛାତ୍ର ଗୋକୁଳ କହଁରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ସହ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ କରିବା ଦାବିରେ ଜୁନ ୧୨ ତାରିଖ ଶୁକ୍ରବାର ଦିନ ଆଦିବାସୀ ମହାସଂଘ ଓଡ଼ିଶା (AMO) କନ୍ଧମାଳ ଶାଖା, କୁଇ ସମାଜ ସେବା ସମିତି ଫୁଲବାଣୀ ଓ କୁଇ ସମାଜ ଯୁବ ପରିଷଦର କର୍ମକର୍ତ୍ତାମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାମେନ୍ଦ୍ର ପ୍ରସାଦଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା ଅନ୍ତର୍ଗତ କୁଏରିମାଣ୍ଡା ଗ୍ରାମ ପଞ୍ଚାୟତର ତିତେରିପାଲା ଗ୍ରାମର ବାସିନ୍ଦା ସୁରେଶ କହଁର ଓ କୁମୁଦିନୀ କହଁରଙ୍କ ପୁଅ ଗୋକୁଳ କହଁର ଗତ ଏପ୍ରିଲ ୨୦ ତାରିଖରେ ନବୋଦୟ ବିଦ୍ୟାଳୟର ଏକ ହଷ୍ଟେଲ କୋଠରୀରେ ସନ୍ଦେହଜନକ ଅବସ୍ଥାରେ ମୃତ ଅବସ୍ଥାରେ ପାଇଥିଲେ। ଘଟଣାକୁ ନେଇ ପରିବାର ପକ୍ଷରୁ ଫୁଲବାଣୀ ସଦର ଥାନାରେ ହତ୍ୟା ଅଭିଯୋଗ ଆଧାରରେ ମାମଲା ରୁଜୁ କରିବାକୁ ଦାବି କରାଯାଇଥିଲେ ମଧ୍ୟ ଦୀର୍ଘ ୪୫ ଦିନ ବିତିଯାଇଥିବା ସତ୍ତ୍ୱେ ମାମଲା ରୁଜୁ ହୋଇନଥିବା ଅଭିଯୋଗ ହୋଇଛି।ଗତ ଜୁନ ୯ ତାରିଖରେ ପୀଡ଼ିତ ପରିବାର ସହ ଆଦିବାସୀ ମହାସଂଘ କନ୍ଧମାଳ ଓ କୁଇ ସମାଜ ସେବା ସମିତିର କର୍ମକର୍ତ୍ତାମାନେ ଥାନା ଅଧିକାରୀଙ୍କୁ ଭେଟି ଘଟଣାର ତଦନ୍ତ ଓ ମାମଲା ରୁଜୁ ପାଇଁ ଦାବି ଜଣାଇଥିଲେ। ତେବେ ଏହା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସଂଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଏହାପରେ ଜୁନ ୧୨ ତାରିଖରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଘଟଣାର ନିରପେକ୍ଷ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା, ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଏବଂ ପୀଡ଼ିତ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଥିଲା। ପୀଡ଼ିତ ପରିବାର ଓ ସଂଗଠନର ପ୍ରତିନିଧିମାନଙ୍କ ଅଭିଯୋଗ ଶୁଣି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାମେନ୍ଦ୍ର ପ୍ରସାଦ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏହି ଅବସରରେ ଆଦିବାସୀ ମହାସଂଘ ଓଡ଼ିଶା, କନ୍ଧମାଳ ଶାଖାର ସଭାପତି ମନୋଜ କୁମାର ପ୍ରଧାନ, ଉପସଭାପତି ପ୍ରେମାନନ୍ଦ ମାଝି, କାର୍ଯ୍ୟକାରୀ ସଦସ୍ୟ ସିମାର ପ୍ରଧାନ, ତ୍ରିବିକ୍ରମ ମଲ୍ଲିକ, ସୁନୀତି କହଁର, ଶଙ୍କର କହଁର, କୁଇ ସମାଜ ସେବା ସମିତିର ଉପସଭାପତି ରମାକାନ୍ତ ମଲ୍ଲିକ, ମୁଖ୍ୟ ସଦସ୍ୟଗୌତମ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କହଁର, ସମୀର ଘଟାଲ, ନାରୀନେତ୍ରୀ ସୌଦାମିନୀ କହଁର, ଗୀତାଞ୍ଜଳି କହଁର, କୁଇ ସମାଜ ଯୁବ ପରିଷଦର ଭାବିନ୍ଦ୍ର କହଁର, ଅଚ୍ୟୁତ ଯାନୀ ଓ ସୁଜିତ ଦଲେଇମାଝି ପ୍ରମୁଖ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ