*ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତା ଉଦ୍‌ଘାଟିତ*

Nov 21, 2024 - 06:40
 0  10
*ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତା ଉଦ୍‌ଘାଟିତ*

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ୧୯-୧୧-୨୦୨୪ ଠାରୁ ୨୩-୧୧-୨୦୨୪ ପର୍ଯ୍ୟନ୍ତ ୫ ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପୂର୍ବ ଭାରତର ୬୪ଟି ବିଶ୍ୱବିଦ୍ୟାଳୟର ପ୍ରାୟ ୯୦୦ ଜଣ ଖେଳାଳୀ ଓ ମ୍ୟାଚ୍‌ ଅଧିକାରୀ ଏଥିରେ ଭାଗନେଉଛନ୍ତି । ଓଡ଼ିଶାରୁ ୧୩ଟି, ଛତିଶଗଡ଼ରୁ ୧୦ଟି, ପଶ୍ଚିମବଙ୍ଗରୁ ୯ଟି, ବିହାରରୁ ୧୦ଟି, ଉତ୍ତର ପ୍ରଦେଶରୁ ୬ଟି, ଝାଡ଼ଖଣ୍ଡରୁ ୭ଟି, ମଣିପୁରରୁ ୨ଟି, ଆସାମରୁ ୩ଟି, ତ୍ରିପୁରାରୁ ୨ଟି, ମିଜୋରାମରୁ ଓ ସିକିମରୁ ଗୋଟିଏ ବିଶ୍ୱବିଦ୍ୟାଳୟ ଭାଗନେଉଛନ୍ତି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଲୋକପାଳ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମଧୁମିତା ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳାଳୀମାନଙ୍କ ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ପ୍ରଫେସର ଦାସ ନିଜ ଅଭିଭାଷଣରେ ପୂର୍ବ ଭାରତରୁ ଯୋଗ ଦେଇଥିବା ସମସ୍ତ ଖେଳାଳୀ ଓ କ୍ରୀଡ଼ା ଅଧିକାରୀଙ୍କୁ ଏହି କ୍ରୀଡ଼ା ମହାକୁମ୍ଭରେ ଯୋଗଦାନ କରିଥିବା ହେତୁ ଶୁଭେଚ୍ଛା ଜଣାଇବା ସହ ଉପସ୍ଥିତ ଖେଳାଳୀମାନଙ୍କୁ ଭାରତର ଭବିଷ୍ୟତ ବୋଲି ଅଭିହିତ କରିଥିଲେ । ପ୍ରତିଯୋଗିତାରେ ଜିତିବା କିମ୍ବା ହାରିବା ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ ବୋଲି ମତପୋଷଣ କରିବା ସହ ୨୦୩୬ର ବିକଶିତ ଓଡ଼ିଶା ଓ ୨୦୪୭ର ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବାରେ ଏସବୁ ପ୍ରତିଯୋଗିତା ସହାୟକ ହେବ ବୋଲି ଦୃଢ଼ୋକ୍ତି କରିଥିଲେ । କୁଳସଚିବ ଶ୍ରୀ ସହଦେବ ସମାଧିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ @ ମୟୂରଭଞ୍ଜ ଜିଲ୍ଲା ପୋଲିସ୍‌ ଦ୍ୱାରା ବ୍ୟାଣ୍ଡ ପରିବେଷଣ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ ସମସ୍ତ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତୃତୀୟ ଥର ପାଇଁ ଏଭଳି ଏକ ପ୍ରତିଯୋଗିତାର ଆୟୋଜନ ପାଇଁ ୍ଅନୁମତି ଦେଇଥିବାରୁ ଆସୋସିଏସନ୍‌ ଅଫ ଇଣ୍ଡିଆନ୍‌ ୟୁନିଭର୍‌ସିଟିସ୍‌କୁ କୃତଜ୍ଞତା ଜ୍ଞାପନ କରିଥିଲେ । କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ଡ. ପ୍ରଭଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ପ୍ରଫେସର ଡ. କୁକୁ ମହାପାତ୍ର ମଞ୍ଚ ପରିଚାଳନା ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସତ୍ୟନାରାୟଣ ବାରିକ ପ୍ୟାରେଡ୍‌ ପରିଚାଳନା କରିଥିଲେ । ବାରିପଦା ତଥା ବିଶ୍ୱବିଦ୍ୟାଳୟରେ ତୃତୀୟ ଥର ପାଇଁ ଏଭଳି ଏକ କ୍ରୀଡ଼ା ମହାକୁମ୍ଭର ଆୟୋଜନ କରିଥିବାରୁ ଛାତ୍ରଛାତ୍ରୀଗଣ ଓ ମୟୂରଭଞ୍ଜର କ୍ରୀଡ଼ାପ୍ରେମୀଗଣଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା । କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରଦୀପ୍ତ ରଞ୍ଜନ ଦାସ ଓ ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ସ୍ୱୀକୃତିପ୍ରାପ୍ତ ବିଭିନ୍ନ କ୍ରୀଡ଼ା ଅଧିକାରୀ, ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକଗଣ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତାଗଣ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ସକାଳେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ ଗୁଡ଼ିକ ମଧ୍ୟରେ କ-ବର୍ଗରେ ବିନୋବା ଭାବେ ବିଶ୍ୱବିଦ୍ୟାଳୟ ଅଟଳ ବିହାରୀ ବାଜପେୟୀ ବିଶ୍ୱବିଦ୍ୟାଳୟକୁ, ଖ-ବର୍ଗରେ ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ଶହୀଦ ନନ୍ଦକୁମାର ପଟେଲ ବିଶ୍ୱବିଦ୍ୟାଳୟକୁ, ଗ-ବର୍ଗରେ ମଗଧ ବିଶ୍ୱବିଦ୍ୟାଳୟ ଓୟୁଏଟିକୁ ୍ଏବଂ ଘ-ବର୍ଗରେ ରାଞ୍ଚୀ ବିଶ୍ୱବିଦ୍ୟାଳୟ ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ