ବାଙ୍କବଳ ଜଳଭଣ୍ଡାର ଭିତ୍ତିଭୂମି ବିକାଶ ପାଇଁ ରାମଦୋଳି ୟୁଥ ପାୱାର ଆସୋସିଏସନ ଅଣ୍ଟା ଭିଡ଼ିଲା / ବାଙ୍କବଳ ଜଳଭଣ୍ଡାର ର ଉନ୍ନତିକରଣ ପାଇଁ ସ୍ବର ଉଠାଇଲା ରାମଦୋଳି ୟୁଥ ପାୱାର ଆସୋସିଏସନ
ରାଇରଙ୍ଗପୁର , ୧୪/୫(ଫାଷ୍ଟ ନ୍ୟୁଜ) ଅବସର ବିନୋଦନ ପାଇଁ ଲୋକେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବା ସହ ସେଠାରେ ହସ-ଖୁସିରେ ପିକନିକ ମନାଉଛନ୍ତି | ସେଥି ସକାଶେ ଚଳିତ ପିକନିକ ଋତୁରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବା ପିକନିକ ସ୍ପୋଟ ରେ ଭିଡ଼ ଜମିଲାଣି | କିନ୍ତୁ ପରିତାପର ବିଷୟ ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବାଙ୍କବଳ ଜଳଭଣ୍ଡାର ଏବେ ଖାଁ ଖାଁ | ପର୍ଯ୍ୟଟନ ବିଭାଗର ଅହେତୁକ ଅବହେଳା ପାଇଁ ଅନନ୍ୟ ସୌନ୍ଦର୍ଯ୍ୟରେ ଭରା ବାଙ୍କବଳ ଜଳଭଣ୍ଡାର ତାର ଅସ୍ତିତ୍ୱ ହରାଇ ବସିଛି | କୃଷି କ୍ଷେତକୁ ଜଳ ଯୋଗାଣ ନିମନ୍ତେ ଗତ ଶତାବ୍ଦୀର ଅଶୀ ଦଶକରେ ବିଜତଳା ଓ ବିଶୋଇ ବ୍ଲକର ମିଳନ ସ୍ଥଳରେ ନିର୍ମିତ ହୋଇଥିବା ଏହି ବାଙ୍କବଳ ଜଳଭଣ୍ଡାରର ଦୈର୍ଘ୍ୟ ପାଖାପାଖି ଦୁଇ କିଲୋମିଟର ଓ ଏହାର ବିସ୍ତିର୍ଣ୍ଣ ଜଳରାଶି ଶିମିଳିପାଳ ପାଦଦେଶ ପର୍ଯ୍ୟନ୍ତ ବିସ୍ତୃତ |
ବନ୍ୟା ଜଳ ନିଷ୍କାସନ ପାଇଁ ଜଳଭଣ୍ଡାରରେ ରହିଛି ଛଅ ଗୋଟି ଗେଟ ଓ କୃଷିକ୍ଷେତକୁ ଜଳ ଯୋଗାଣ ନିମନ୍ତେ ରହିଛି ଦୁଇ ଗୋଟି କେନାଲ | ଜଳଭଣ୍ଡାରର ପାରିପାର୍ଶ୍ଵିକ ପରିବେଶ ବେଶ ମନଛୁଆଁ ହୋଇଥିବା ବେଳେ ଏହାର ସୁନୀଳ ଜଳରାଶିରେ ଶୀତ ଦିନେ ଶହ ଶହ ବିଦେଶଗତ ପକ୍ଷୀର ସମାଗମ ଜଳଭଣ୍ଡାରକୁ ଚିଲିକା ଜଳରାଶିର ଭ୍ରମ ସୃଷ୍ଟି କରେ | ତେବେ ଏହି ବିସ୍ତିର୍ଣ୍ଣ ଜଳରାଶିରେ ବୋଟିଂର କୌଣସି ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟନମାନେ ବୋଟିଂର ମଜା ନେବାରୁ ବଞ୍ଚିତ ହେଉଛନ୍ତି | ଜଳଭଣ୍ଡାରର ତଳ ପାର୍ଶ୍ୱରେ ପିକନିକ ପାଇଁ କେଇ ଗୋଟି ପିଣ୍ଡି ବ୍ୟତୀତ ଆଉ କୌଣସି ଆଖିଦୃଶିଆ ଉନ୍ନତି ହୋଇପାରିନାହିଁ | ତେଣୁ ଆହୁରି ପିକନିକ ପାଇଁ ପିଣ୍ଡି ତିଆରି କରିବା ସହିତ ପାନୀୟ ଜଳ, ଶୌଚାଳୟ, ଆମୋଦପ୍ରମୋଦ ପାଇଁ ଉଦ୍ୟାନ , ବିଦ୍ୟୁତ ଆଲୋକୀକଣ ଏକାନ୍ତ ଆବଶ୍ୟକ | ପର୍ଯ୍ୟଟକଙ୍କ ରାତ୍ରି ରହଣି ପାଇଁ ଏକ ଭଲ ଡାକବଙ୍ଗଳାର ମଧ୍ୟ ଆବଶ୍ୟକତା ରହିଛି | ତେଣୁ ଆଜି ପର୍ଯ୍ୟଟନ ବିଭାଗ ଏହି ବାଙ୍କବଳ ଜଳଭଣ୍ଡାରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ସହିତ ଏହାର ସର୍ବାଙ୍ଗୀନ ବିକାଶ ପାଇଁ ରାମଦୋଳି ୟୁଥ ପାୱାର ଆସୋସିଏସନ ତରଫରୁ ବାମନଘାଟି ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ଦେଇଛନ୍ତି l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0