ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬ ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ

Mar 11, 2026 - 00:05
 0  5
ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬  ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ

ନୂଆପଡ଼ା : ଓଡ଼ିଶାର ମହିଳା ଉଦ୍ୟୋଗୀତା ସହିତ ସାଂସ୍କୃତିକ ପରମ୍ପରାକୁ ଆଗେଇ ନେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, ନୂଆପଡ଼ା ଓ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା–୨୦୨୬ ,ନୂଆପଡ଼ା ସ୍ଥିତ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ବର୍ଣ୍ଣାଢ଼୍ୟ ପରିବେଶରେ ଉଦ୍ଘାଟିତ ହୋଇଯାଇଛି। ଏହି ମେଳା ମାର୍ଚ୍ଚ ୧୦ ରୁ ୧୬ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଆୟୋଜିତ ହେବ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ସମାରୋହରେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ସମ୍ମାନିତ ଅତିଥି ଭାବେ ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଖଡ଼ିଆଳ ଅଜିଜ ଖାନ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଡଃ ସୋନିଆ ଜୈନ ଓ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉମା ଠାକୁର ଉପସ୍ଥିତ ଥିଲେ।ପ୍ରଥମେ ବରେଣ୍ୟ ଅତିଥିମାନଙ୍କ ଦ୍ବାରା ମେଳାର ଶୁଭ ଉଦ୍ଘାଟନ କରାଯାଇଥିଲା। ପରେ ଅତିଥିମାନେ ଷ୍ଟଲଗୁଡ଼ିକ ପରିଭ୍ରମଣ କରି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ, ଘରୋଇ ଉତ୍ପାଦ, ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ବୁଲି ଦେଖିଥିଲେ।ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ସନ୍ଧ୍ୟାର ଶୁଭାରମ୍ଭ ହୋଇଥିଲା। ଆୟୋଜିତ ସଭାରେ ଅତିଥିମାନେ ମହିଳା ସଶକ୍ତିକରଣ ଓ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଆର୍ଥିକ ଉନ୍ନତିରେ ଏପରି ମେଳାର ଗୁରୁତ୍ୱ ରହିଛି ବୋଲି କହିଥିଲେ। ମେଳା ଉପଲକ୍ଷେ ଆୟୋଜିତ ଦୌଡ଼ ଡିଆଁ ଓ ମେହେନ୍ଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା l ମଞ୍ଚରେ ଅତିଥିମାନଙ୍କୁ ସ୍ମୃତି ଉପହାର ପ୍ରଦାନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଥମ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମରେ କୋମନାର ରାଧେଶ୍ୟାମ ଘୁମୁରା ଦଳ, ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, ନୂଆପଡ଼ା କେଜିବିଭି ବିଦ୍ୟାଳୟ , କୋଶଳ ଫୋକ ଏକାଡେମୀ, ମା ବିଣାପାଣି ବଜାସାଲ (କୋନାବିରା) ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରି ଥିଲେ । ସେହିପରି ପ୍ରଥମ ଦିନ ସନ୍ଧ୍ୟାରେ ଆୟୋଜିତ ଷ୍ଟାର୍ ନାଇଟ୍ କାର୍ଯ୍ୟକ୍ରମରେ ପ୍ରସିଦ୍ଧ କଳାକାର ଭାଗ୍ୟଶ୍ରୀ, ଦେବେଶ ପତି ଓ ଶୁଭଲକ୍ଷ୍ମୀଙ୍କ ଆକର୍ଷଣୀୟ ଅର୍କେଷ୍ଟ୍ରା ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା। ଏହି ଅବସରରେ ଜିଲ୍ଲାପାଳ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସୁଭଦ୍ରା ଶକ୍ତି ମେଳା ମାଧ୍ୟମରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଉତ୍ପାଦକୁ ବଜାର ସୁବିଧା ଯୋଗାଇବା ସହିତ ମହିଳା ସଶକ୍ତିକରଣକୁ ଆହୁରି ମଜବୁତ କରିବାର ଲକ୍ଷ୍ୟ ରହିଛି। ଜିଲ୍ଲାବାସୀଙ୍କୁ ବହୁ ସଂଖ୍ୟାରେ ମେଳାକୁ ଆସି ଷ୍ଟଲଗୁଡ଼ିକ ପରିଦର୍ଶନ କରିବା, ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ପଦାର୍ଥ କ୍ରୟ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେବାକୁ ସେ ଆହ୍ୱାନ କରିଥିଲେ।ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ମେଳାରେ ଜିଲ୍ଲା ଓ ରାଜ୍ୟର ପ୍ରାୟ ୩୦୦ ଉଦ୍ୟୋଗୀ ଓ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ତାଙ୍କର ହସ୍ତଶିଳ୍ପ, ଘରୋଇ ଉତ୍ପାଦ, ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି। ଏହା ସହିତ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଥିବାରୁ ମେଳା ପରିସର ଉତ୍ସବମୁଖର ହେବ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ