ଡିଡାୟୀ ଯୁବତୀ ଚମ୍ପାଙ୍କ ଗ୍ରାମ ଅମ୍ବଳିବେଡାକୁ ଯାଇ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ

Sep 3, 2025 - 19:41
 0  18
ଡିଡାୟୀ ଯୁବତୀ ଚମ୍ପାଙ୍କ ଗ୍ରାମ ଅମ୍ବଳିବେଡାକୁ ଯାଇ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ

ମାଲକାନଗିରି, ୩/୯/୨୫: ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଆଦିମ ଡିଡ଼ାୟୀ ଜନଜାତିର ପ୍ରଥମ ଡାକ୍ତର ହେବାକୁ ଯାଉଥିବା ଚମ୍ପା ରାସପେଦାଙ୍କ ଗାଁରେ ପହଂଚିଛନ୍ତି ନିଜେ ଜିଲ୍ଲାପାଳ । ଚମ୍ପାଙ୍କ ଗାଁରେ ପହଞ୍ଚିବା ଖବର ପାଇ ନିଜେ କୋରକୁଣ୍ଡା ବ୍ଳକ୍ ନାକାମାମୁଡ଼ି ଗ୍ରାମ ପଞ୍ଚାୟତ ଅମ୍ବଳିିବେଡା ଗ୍ରାମ ସ୍ଥିତ ବାସଭବନ କୁ ଯାଇ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇଛନ୍ତି। ଚମ୍ପା ଆଦିମ ଡିଡ଼ାୟୀ ଜନଜାତି ସମାଜର ପ୍ରଥମ ଡାକ୍ତର ହେବାକୁ ଯାଉଛନ୍ତି । ଯାହା ଆମ ଜିଲ୍ଲା ମାଲକାନଗିରି ଓ ସମସ୍ତଙ୍କ ପାଇଁ ଗୌରବର ବିଷୟ ବୋଲି ଜିଲ୍ଲାପାଳ କହିଛନ୍ତି। ଡ଼ାକ୍ତର ହୋଇ ନିଜ ଜିଲ୍ଲାରେ ସେବା କରିବା ପାଇଁ ଜିଲ୍ଲାପାଳ ଚମ୍ପାଙ୍କୁ ପ୍ରୋତ୍ସାହିତ କରିଛନ୍ତି। ତତ୍ ସହିତ ଆଗାମୀ ଦିନରେ ବିଶେଷଜ୍ଞ ଡାକ୍ତର ହେବାକୁ ଲକ୍ଷ୍ୟ ରଖି ନିଜ ଅଞ୍ଚଳ ଓ ସମାଜର ସେବା କରିବା ପାଇଁ ଚମ୍ପାଙ୍କୁ ମାର୍ଗ ଦର୍ଶନ କରିଛନ୍ତି ଜିଲ୍ଲାପାଳ। ଏହି ଅବସରରେ ଜିଲ୍ଲାପାଳ ଚମ୍ପାଙ୍କ ସ୍କୁଲ ଓ କଲେଜ ଶିକ୍ଷା ଓ ନିଟ୍ ପ୍ରସ୍ତୁତି କିପରି ରହିଥିଲା ସେ ବିଷୟରେ ପଚାରି ବୁଝିଥିଲେ। ତାଙ୍କ ସଫଳତା ଅନେକ ଜନଜାତି ଛାତ୍ରଛାତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀ ବର୍ଗଙ୍କୁ ଅନୁପ୍ରାଣୀତ କରିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଉକ୍ତ ଗ୍ରାମରେ ଅନେକ ଉଚ୍ଚ ଶିକ୍ଷିତ ଯୁବକଯୁବତୀ ଥିବା କଥା ଜାଣିବାକୁ ପାଇଥିଲେ। ଅମ୍ବଳିବେଡା ଗ୍ରାମ ଜଣେ ଡାକ୍ତରଙ୍କୁ ତିଆରି କରିଛି। ତେଣୁ ଅଗ୍ରାଧିକାର ଭିତ୍ତିରେ ସେହି ଗ୍ରାମର ମୌଳିକ ଆବଶ୍ୟକତା ଯେପରିକି ପାନୀୟ ଜଳ ଯୋଗାଣ, ରାସ୍ତାଘାଟ, ବିଜୁଳି, ଆବାସ ଗୃହ କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳଙ୍କୁ ପାଖରେ ପାଇ ଗ୍ରାମବାସୀ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା। ସେହିପରି ଡ଼ାକ୍ତର ହୋଇ ନିଜ ଲୋକ ନିଜ ଅଞ୍ଚଳର ସେବା କରିବାର ଲକ୍ଷ୍ୟ ରହିଛି ବୋଲି ଚମ୍ପା କହିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଚମ୍ପାଙ୍କୁ ସମ୍ବର୍ଦ୍ଧନା ଜଣାଇ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଏକ ଆଣ୍ଡ୍ରଏଡ ମୋବାଇଲ୍, ପୋଷାକ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପାଠପଢ଼ା ପାଇଁ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଯେତେବେଳେ ଜାଣିବାକୁ ପାଇଲେ ଯେ ମୋବାଇଲ ଅସୁବିଧା ଯୋଗୁଁ ଚମ୍ପାଙ୍କୁ ପଢାରେ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା। ତେଣୁ ଉଜ୍ଜଳ ଭବିଷ୍ୟତ ପାଇଁ ଜିଲ୍ଲାପାଳ ନିଜେ ଏକ ମୋବାଇଲ ସେଟ୍ ପ୍ରଦାନ କରିଛନ୍ତି । ମେଡିକାଲ ପାଠ ପଢା ପୁସ୍ତକ ମୂଲ୍ୟ ଅଧିକ । ତେଣୁ ପୁସ୍ତକ କିଣିବାରେ ସହାୟତା ନିମନ୍ତେ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି ଅବସରରେ ଚମ୍ପାଙ୍କ ଅଭିଭାବକ ଓ ଗ୍ରାମବାସିନ୍ଦା ଉପସ୍ଥିତ ଥିଲେ। ଜିଲ୍ଲାପାଳ ଏହି ଗସ୍ତରେ ଅମ୍ବଳିବେଡା ଓ ବାୟାପଡ଼ା ଗ୍ରାମବାସୀଙ୍କ ଅଭିଯୋଗ ଶୁଣିଛନ୍ତି। ଅମ୍ବଳିବେଡା ଗ୍ରାମରେ କାଜୁ ଚାଷ କରିବାର ସମସ୍ତ ସୁବିଧା ରହିଥିବାର ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏଥି ନିମନ୍ତେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ଏକ କାଜୁ ପ୍ରସେସିଙ୍ଗ ୟୁନିଟ୍ ଆରମ୍ଭ କରିବା ପାଇଁ କହିଛନ୍ତି । ଯାହାଦ୍ବାରା ସେହି ଗ୍ରାମର ଶିକ୍ଷିତ ଯୁବକ ଯୁବତୀ କର୍ମ ନିଯୁକ୍ତି ପାଇ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ପାନୀୟ ଜଳ ଯୋଗାଣ ସମସ୍ୟା ଦୂର କରିବା ପାଇଁ ଡଗ୍ ୱେଲ୍ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଅଧିକରୁ ଅଧିକ ଜନଜାତି ଲୋକଙ୍କୁ ଆବାସ ଯୋଗାଇ ଦେବାକୁ ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଗ୍ରାମବାସୀଙ୍କୁ ମଧ୍ଯ ନିଜ ଆଖପାଖ ଅଞ୍ଚଳ ସଫା ସୁତୁରା ରଖିବା ପାଇଁ ଜିଲ୍ଲାପାଳ ସଚେତନ କରିଛନ୍ତି। ଜିଲ୍ଲା ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ହଳଧର ଶବର ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, କୋରକୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ ସାହୁ, ଡିଡ଼ାୟୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପରିଚାଳକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ