ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ରକ୍ତ ଶିକୁଳି ସଚେତନତା ଦିବସ ପାଳିତ:୦ରୁ ୪୦ ବର୍ଷ ବୟସ୍କ ସମସ୍ତ ବ୍ୟକ୍ତି ଜୀବନରେ ଅନ୍ତତଃ ଥରେ ସିକଲ୍ ସେଲ୍ ଓ ଥାଲାସେମିଆ ପରୀକ୍ଷା କରାଇବାକୁ ଆହ୍ୱାନ

Jun 23, 2026 - 20:41
 0  1
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ରକ୍ତ ଶିକୁଳି ସଚେତନତା ଦିବସ ପାଳିତ:୦ରୁ ୪୦ ବର୍ଷ ବୟସ୍କ ସମସ୍ତ ବ୍ୟକ୍ତି ଜୀବନରେ ଅନ୍ତତଃ ଥରେ ସିକଲ୍ ସେଲ୍ ଓ ଥାଲାସେମିଆ ପରୀକ୍ଷା କରାଇବାକୁ ଆହ୍ୱାନ

ବାରିପଦା,(୨୩/୦୬): ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ମୟୂରଭଞ୍ଜ ପକ୍ଷରୁ ଆଜି ବାରିପଦାଠାରେ ବିଶ୍ୱ ରକ୍ତ ଶିକୁଳି ସଚେତନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଧନୁର୍ଜୟ ମହାନ୍ତ ଅଧ୍ୟକ୍ଷତା କରି କହିଥିଲେ ଯେ, ରକ୍ତ ଶିକୁଳି ରକ୍ତହୀନତା ଏକ ବଂଶାନୁକ୍ରମିକ ରୋଗ ହୋଇଥିବାରୁ ଏହାର ପ୍ରାରମ୍ଭିକ ଚିହ୍ନଟ ଓ ସଚେତନତା ହିଁ ଏହାର ନିୟନ୍ତ୍ରଣର ପ୍ରମୁଖ ଉପାୟ । ସେ ୦ରୁ ୪୦ ବର୍ଷ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ ଜୀବନରେ ଅନ୍ତତଃ ଥରେ ସିକଲ୍ ସେଲ୍ ଓ ଥାଲାସେମିଆ ପରୀକ୍ଷା କରାଇବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ, ରକ୍ତ ଶିକୁଳି ରକ୍ତହୀନତା ଏକ ଅନୁବଂଶିକ ସ୍ଥିତି, ଯେଉଁଥିରେ ଲୋହିତ ରକ୍ତକଣିକା ମଧ୍ୟରେ ଥିବା ହିମୋଗ୍ଲୋବିନ ଅସ୍ୱାଭାବିକ ଆକୃତି ଧାରଣ କରିଥାଏ । ଉଭୟ ପୁରୁଷ ଓ ମହିଳା ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ରକ୍ତହୀନତା, ଆଣ୍ଠୁ ଓ ଗଣ୍ଠି ବ୍ୟଥା, ଅତ୍ୟଧିକ ଥକ୍କାପଣ, ବାରମ୍ବାର ସଂକ୍ରମଣ ଓ ଶରୀରରେ ଘା ହେବା ଆଦି ଏହାର ପ୍ରମୁଖ ଲକ୍ଷଣ। ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ବିବାହ ପୂର୍ବରୁ କିମ୍ବା ଗର୍ଭଧାରଣ ସମୟରେ ରକ୍ତ ପରୀକ୍ଷା କରାଇବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ଯଦି ଦମ୍ପତିଙ୍କ ମଧ୍ୟରେ ରକ୍ତ ଶିକୁଳି ଜନିତ ସମସ୍ୟା ଥାଏ, ତେବେ ଗର୍ଭସ୍ଥ ଶିଶୁ ମଧ୍ୟ ଏହି ରୋଗରେ ପୀଡ଼ିତ ହେବାର ସମ୍ଭାବନା ଥିବାରୁ ସମୟୋପଯୋଗୀ ପରୀକ୍ଷା ଓ ପରାମର୍ଶ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଡା. ବିଶ୍ୱନାଥ ଦାସ ସିକଲ୍ ସେଲ୍ ରୋଗର ବଂଶାନୁକ୍ରମିକ ପ୍ରକୃତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁବାସ ଚନ୍ଦ୍ର ନାୟକ ସୂଚନା ଦେଇଥିଲେ ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲାରେ ସିକଲ୍ ସେଲ୍ ସ୍କ୍ରିନିଂ ହାର ୧୧୩ ପ୍ରତିଶତ ହାସଲ କରାଯାଇଛି । ଏଥିପାଇଁ ସେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ଆହୁରି ସୂଚନା ଦେଇଥିଲେ ଯେ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୨୭୦ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦୭ ଜଣ ନିୟମିତ ଚିକିତ୍ସାଧୀନ ଅଛନ୍ତି । ଡା. ସୌମ୍ୟ ରଞ୍ଜନ ନାୟକ ରକ୍ତ ଶିକୁଳି ରୋଗର ଚିକିତ୍ସା ଓ ପରିଚାଳନା ବିଷୟରେ ବୁଝାଇଥିଲେ। ବିଶେଷକରି ଗର୍ଭାବସ୍ଥା ସମୟରେ ଜଣେ ରକ୍ତ ଶିକୁଳି ରୋଗୀ କିପରି ନିଜର ଯତ୍ନ ନେବେ ଓ ଚିକିତ୍ସା କରାଇବେ, ସେ ସମ୍ପର୍କରେ ସେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ସଚେତନତା ସଭାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଆଶା କର୍ମୀ ଏବଂ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ସୁନନ୍ଦା ମିଶ୍ର, ମେଡିକାଲ ଅଫିସର୍ ଏନସିଡି ଡ଼ା ଜ୍ଞାନେନ୍ଦ୍ର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟା, ଶିକ୍ଷା ବିଭାଗର ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ଏଏନ୍ଏମ୍ ଟିସି ପ୍ରିନ୍ସିପାଲ୍ ଭାରତୀ ଆରୁଖ, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁ ମୁର୍ମୁ ଏବଂ ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଗଣେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଅଣ-ସଂକ୍ରାମକ ରୋଗ ବିଭାଗର ସମସ୍ତ କର୍ମଚାରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରି ପରିଚାଳନା କରିଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ