ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଡେଙ୍ଗୁ ସଚେତନତା

Aug 9, 2026 - 22:00
 0  8
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଡେଙ୍ଗୁ ସଚେତନତା

ଝାରସୁଗୁଡ଼ା, ୦୯/୦୮(ଫାଷ୍ଟ ନ୍ୟୁଜ ଓଡ଼ିଶା): ଜିଲ୍ଲାରେ ଡେଙ୍ଗୁ, ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ରୋଗର ପ୍ରାଦୁର୍ଭାବକୁ ରୋକିବା ପାଇଁ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ସ୍ୱତନ୍ତ୍ର ମାର୍ଗଦର୍ଶନରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସହରାଞ୍ଚଳ ସ୍ୱାସ୍ଥ୍ୟ, ପୋଷଣ ଓ ସ୍ୱଚ୍ଛତା ଦିବସ କାର୍ଯ୍ୟକ୍ରମ ଗୁଡ଼ିକରେ ମଧ୍ୟ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ସାଧାରଣ ଜନସାଧାରଣଙ୍କୁ ଡେଙ୍ଗୁ ଏବଂ ଅନ୍ୟାନ୍ୟ ଜଳ ଓ ମଶାବାହିତ ରୋଗରୁ ବର୍ତ୍ତିବା ନେଇ ବ୍ୟାପକ ପରାମର୍ଶ ଓ ସଚେତନତା ପ୍ରଦାନ କରୁଛନ୍ତି। ଏହି ସଚେତନତା ଅଭିଯାନ କ୍ରମରେ ଝାରସୁଗୁଡ଼ା ସହରାଞ୍ଚଳର ପାହାଡ଼ି ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ୍ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କୁ ଡେଙ୍ଗୁ ଓ ମଲେରିଆ ନିୟନ୍ତ୍ରଣ ସମ୍ପର୍କରେ ସଚେତନ କରାଇଛନ୍ତି। ଏଥିସହିତ ଜନଗହଳିପୂର୍ଣ୍ଣ ମଙ୍ଗଳ ବଜାର ଏବଂ କୁକ୍ରିପଡ଼ା ଅଞ୍ଚଳରେ ସ୍ୱତନ୍ତ୍ର ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଗୁଡ଼ିକରେ ଘର ପାଖରେ ଜଳ ଜମିବାକୁ ନଦେବା, ପ୍ରତ୍ୟେକ ସପ୍ତାହରେ କୁଲର, ଫ୍ରିଜ୍ ଟ୍ରେ, ଟାୟାର ଓ ପାତ୍ରଗୁଡ଼ିକୁ ସଫା କରି ଶୁଖିଲା ରଖିବା ଏବଂ ମଶାରୀ ବ୍ୟବହାର କରିବା ପାଇଁ ଶପଥ ପାଠ କରାଯାଉଛି। ଝାରସୁଗୁଡ଼ା ପୌରାଞ୍ଚଳରେ ଡେଙ୍ଗୁ ନିୟନ୍ତ୍ରଣ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ 'ଡେଙ୍ଗୁ ଭଲିଅଣ୍ଟିଅର୍ସ'/ ଡେଙ୍ଗୁ ସ୍ଵେଚ୍ଛାସେବୀ ସାଥୀ ମାନେ ସମ୍ପୂର୍ଣ୍ଣ ସହରରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଏହି ସ୍ୱେଚ୍ଛାସେବୀମାନେ ଘରକୁ ଘର ବୁଲି ମଶା ବଂଶବୃଦ୍ଧି ହେଉଥିବା ସ୍ଥାନଗୁଡ଼ିକୁ ଯାଞ୍ଚ କରିବା ସହ ଲୋକଙ୍କୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ବୁଝାଉଛନ୍ତି। ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ନାଗରିକଙ୍କୁ ସଚେତନ ରହିବା ସହ ସ୍ୱାସ୍ଥ୍ୟ କର୍ମୀ ଓ ଡେଙ୍ଗୁ ସ୍ଵେଚ୍ଛାସେବୀ ସାଥୀ ପୂର୍ଣ୍ଣ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି।

ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ