ଜିଲ୍ଲା ସମନ୍ବୟ ଓ ତଦାରଖ କମିଟି ବୈଠକ: ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ବ

Nov 26, 2025 - 06:03
 0  3
ଜିଲ୍ଲା ସମନ୍ବୟ ଓ ତଦାରଖ କମିଟି ବୈଠକ: ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ବ

ମାଲକାନଗିରି, ୨୫/୧୧/୨୫: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସମନ୍ବୟ ଓ ତଦାରଖ କମିଟି ବୈଠକ ମଙ୍ଗଳବାର ଲୋକସଭା ସାଂସଦ ବଲଭଦ୍ର ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିକାଶ ପାଇଁ ନିର୍ବାଚିତ ପ୍ରତିନିଧି ଓ ବିଭିନ୍ନ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରହିବା ଜରୁରି ବୋଲି ସାଂସଦ ଶ୍ରୀ ମାଝୀ ମତ ପ୍ରକାଶ କରିଥିଲେ। ଏପରିକି ବିଭିନ୍ନ ଯୋଜନାର ସଫଳ ରୂପାୟନ ଉପରେ ସାଂସଦ ଶ୍ରୀ ମାଝୀ ଗୁରୁତ୍ବାରୋପ କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇଛି। ଭୁବନେଶ୍ୱର ରୁ ଆସିଥିବା ଏକ ବୈଜ୍ଞାନିକ ଦଳଙ୍କ ଉପସ୍ଥିତି ରେ କିଭଳି କୃଷି କ୍ଷେତ୍ରରେ ଜିଲ୍ଲାର ଉନ୍ନତି କରାଯାଇପାରିବ, ସେଥି ନିମନ୍ତେ ବିଶଦ ଆଲୋଚନା କରାଯାଇଥିଲା। ବାଲିମେଳା ଡ୍ୟାମ୍ ଠାରେ ଅଧିକ ମାଛ ଉତ୍ପାଦନ କରିବାର କ୍ଷମତା ରହିଛି। ସେହିପରି ଜିଲ୍ଲାରେ ବାଦାମ ଚାଷ ଅଧିକ କରାଯାଉଛି । କ୍ଷୁଦ୍ର ତେଲ ମିଲ୍ ସ୍ଥାପନ ହେଲେ ଯୁବ ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ ବୋଲି ସାଂସଦ କହିଥିଲେ। ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାରେ କୃଷି ବିଶେଷଜ୍ଞ ଙ୍କ ସହାୟତା ନେଇ ଜିଲ୍ଲାର ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି କରିବାକୁ ଲକ୍ଷ୍ୟ ରଖା ଯାଇଛି। ସୂଚନା ଯୋଗ୍ୟ ଏହି ଯୋଜନା ଓଡ଼ିଶା ର ଚାରିଟି ଜିଲ୍ଲାରେ ଶୁଭାରମ୍ଭ କରାଯାଇଛି । ତନ୍ମଧ୍ୟରେ ମାଲକାନଗିରି ଜିଲ୍ଲା ରହିଛି। ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ଜିଲ୍ଲାର ୧୧୧ ଟି ଗ୍ରାମ ପଞ୍ଚାୟତରେ ମୃତ୍ତିକା ପରୀକ୍ଷଣ କେନ୍ଦ୍ର ସ୍ଥାପନ କରିବାର ସ୍ଵପ୍ନ ରହିଛି ବୋଲି ସାଂସଦ କହିଛନ୍ତି। ଜିଲ୍ଲାରେ ମତ୍ସ୍ୟ, ମାଂସ ଓ ଦୁଗ୍ଧ ଉତ୍ପାଦନ ସ୍ଥିତି କଣ ରହିଛି ବୋଲି ସାଂସଦ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ସେହିପରି ଚିତ୍ରକୋଣ୍ଡା ଓ କୋରକୁଣ୍ଡା ବ୍ଲକ୍ ରେ ଦୁଗ୍ଧ ପାଇଁ ବିଏମସି ସ୍ଥାପନ କରିବା ପାଇଁ କୃଷି ବିଭାଗ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅଗ୍ରାଧିକାର ଭିତ୍ତିରେ ଚିତ୍ରକୋଣ୍ଡା ଠାରେ ସେତୁ ଯୋଜନାରେ ଏକ ବିଏମସି ସ୍ଥାପନ କରିବାକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଗୁଡିକର ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଅସମ୍ପୂର୍ଣ୍ଣ ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଧାର୍ଯ୍ୟ ମାନଦଣ୍ଡକୁ ବଜାୟ ରଖି ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ଏକ କମିଟି ଗଠନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜନ ସଧାରଣଙ୍କ ଅବଗତି ନିମନ୍ତେ ରାସ୍ତା ସମ୍ପର୍କିତ ସଠିକ୍ ସୂଚନା ଫଳକ ଲଗାଇବା ପାଇଁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍ଵାସ୍ଥ୍ୟ ବିଭାଗ କୁ ଟିବି ରୋଗ ସମ୍ପର୍କରେ ଅଧିକରୁ ଅଧିକ ଜନ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ଯ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ରେଳପଥ ସମ୍ପ୍ରସାରଣ ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କରେ ମଧ୍ଯ ସାଂସଦ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ସେହିପରି ମନରେଗା ଯୋଜନା ରେ ପର୍ଯ୍ୟଟନ ସ୍ଥଳ ର ବିକାଶ କରିବା ପାଇଁ ଚିତ୍ରକୋଣ୍ଡା ବିଧାୟକ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ଜାତୀୟ ଗ୍ରାମୀଣ ଜୀବିକା ମିସନ, ଜାତୀୟ ସ୍ବାସ୍ଥ୍ୟ ମିସନ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପୂର୍ତ୍ତ ବିଭାଗ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ସମଗ୍ର ଶିକ୍ଷା, ସମନ୍ବିତ ଶିଶୁ ବିକାଶ ଯୋଜନା, ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ,ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଉଦ୍ୟାନ କୃଷି, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ମେଗା ଉଠା ଜଳସେଚନ, ପିଏମଇଜିପି, ବୟନଶିଳ୍ପ, ମତ୍ସ୍ୟ ବିଭାଗ ଆଦି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ସଭାପତି ସମାରୀ ତାଙ୍ଗୁଲୁ, ବନଖଣ୍ଡ ଅଧିକାରୀ ସାଇ କିରଣ ଡି, ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ ଓ ଅତିରିକ୍ତ ଉନ୍ନୟନ ଅଧିକାରୀ ରାମଚନ୍ଦ୍ର ଖଡିଆ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଏବଂ ଜିଲ୍ଲା ସମନ୍ବୟ ଓ ତଦାରଖ କମିଟିର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ