କୋଇଲା ପରିବହନ ପାଇଁ ସ୍ବତନ୍ତ୍ର ଅନୁମତି ବାଧ୍ୟତାମୂଳକ ହେବ
ଝାରସୁଗୁଡ଼ା,୩୧।୧(ଫାଷ୍ଟ ନ୍ୟୁଜ ଓଡିଶା): କୋଇଲା ପରିବହନ ସମୟରେ ସୃଷ୍ଟି ହେଉଥିବା ପରିବେଶ ପ୍ରଦୂଷଣ ଓ ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ କୋଇଲା ପରିବହନ ପାଇଁ ସ୍ବତନ୍ତ୍ର ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି। ଜିଲ୍ଲାପାଳ କୁନାଲ ମୋତିରାମ୍ ଚହ୍ଵାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଡ଼କ ସୁରକ୍ଷା ପରାମର୍ଶ କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, କୋଇଲା ପରିବହନ କରୁଥିବା ସମସ୍ତ ଟ୍ରକ୍ ମାଲିକ ଓ ପରିବହନ ସଂସ୍ଥାକୁ ବିଶେଷ ଅନୁମତି ପାଇଁ ଆବେଦନ କରିବାକୁ ପଡ଼ିବ। ଆବେଦନରେ ପରିବହନ ସଂସ୍ଥାର ନାମ, ଠିକଣା, ଯୋଗାଯୋଗ ନମ୍ବର ସହିତ ଯାନବାହନର ସମ୍ପୂର୍ଣ୍ଣ ବିବରଣୀ—ଯାନର ରେଜିଷ୍ଟ୍ରେସନ ନମ୍ବର, ପ୍ରକାର, ସମ୍ପୂର୍ଣ୍ଣ ଓଜନ ଓ ଫିଟନେସ୍ ବୈଧତା ତାରିଖ—ଉଲ୍ଲେଖ କରିବାକୁ ପଡ଼ିବ। ସେହିପରି, କୋଇଲା ପରିବହନ ସମ୍ପର୍କିତ ମୂଳ ଉତ୍ସ (ଖଣି, ସାଇଡିଂ ଆଦି), ଗନ୍ତବ୍ୟ ସ୍ଥଳ, ନିର୍ଦ୍ଧାରିତ ମାର୍ଗ, ପରିବହନ ସମୟ ଅବଧି ଓ ଧାର୍ଯ୍ୟ ତାରିଖ ସହ ସମସ୍ତ ବିବରଣୀ ଆବେଦନରେ ଦେବା ଅନିବାର୍ଯ୍ୟ କରାଯାଇଛି। ଗାଡ଼ିରେ କୋଇଲା ଛିଦ୍ର-ପ୍ରତିରୋଧୀ ଭାବେ ଢାକାଯାଇଥିବା ଓ ଧାର୍ଯ୍ୟ ପରିମାଣରୁ ଅଧିକ କୋଇଲା ବୋଝେଇ ହୋଇନଥିବା ନିଶ୍ଚିତ କରିବାକୁ ପଡ଼ିବ। ଆବେଦନକାରୀଙ୍କୁ ଓଭରଲୋଡିଂ ନଥିବା, ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC), ଧାର୍ଯ୍ୟ ଇଲେକ୍ଟ୍ରୋନିକ୍ ପରିବହନ ବିଲ୍ ଓ ପରିବହନ ଅନୁମତିପତ୍ର ଥିବା ସମ୍ବନ୍ଧରେ ଏକ ଘୋଷଣାପତ୍ର ଦେବାକୁ ପଡ଼ିବ। ଏହାସହ ମୋଟର ଯାନ ଆଇନ ଓ ପରିବେଶ ନିୟମାବଳୀର ସମ୍ପୂର୍ଣ୍ଣ ଅନୁପାଳନ କରାଯିବ ବୋଲି ଅଣ୍ଡରଟେକିଂ ଦେବା ଅନିବାର୍ଯ୍ୟ। କୌଣସି ନିୟମ ଉଲଂଘନ ଘଟିଲେ ସମ୍ପୃକ୍ତ ଅନୁମତି ବାତିଲ୍ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି। ସମସ୍ତ କାଗଜପତ୍ର ଯାଞ୍ଚ ପରେ ପରିବହନ ବିଭାଗ ଦ୍ୱାରା ସମ୍ପୃକ୍ତ ଗାଡ଼ିକୁ କୋଇଲା ପରିବହନ ପାଇଁ ଯୋଗ୍ୟ ଘୋଷଣା କରାଯିବ। ଏହି ନିୟମ OR ଓ OD ନମ୍ବର ଥିବା ସମସ୍ତ କୋଇଲା ବୋଝେଇ ଟ୍ରକ୍ ପାଇଁ ବାଧ୍ୟତାମୂଳକ ଭାବେ ଲାଗୁ ହେବ। ଉକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ ଗୁଣ୍ଡଲା ରାଘବେନ୍ଦ୍ର ରେଡ୍ଡୀ, ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘର ପ୍ରତିନିଧି, ଜାତୀୟ ରାଜପଥ ବିଭାଗ, ପୂର୍ତ୍ତ ବିଭାଗ, ବିଜୁ ଏକ୍ସପ୍ରେସ ୱେ ପରିଚାଳନା କର୍ମକର୍ତ୍ତା ସହ ବେଦାନ୍ତ, ଆଦିତ୍ୟ ବିର୍ଲା ଆଦି ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପ୍ରଶାସନ ଆଶା ପ୍ରକାଶ କରିଛି ଯେ, ଏହି ବ୍ୟବସ୍ଥା ଫଳରେ ଆଗାମୀ ଦିନରେ ସଡ଼କ ସୁରକ୍ଷା ବୃଦ୍ଧି ପାଇବା ସହ ପରିବେଶ ପ୍ରଦୂଷଣ ଓ ସଡ଼କ ଦୁର୍ଘଟଣାରେ ହ୍ରାସ ଘଟିବ ବୋଲି ଆଶା ପ୍ରକାଶ କରଯାଇଛି।
ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0