ଓଡ଼ିଆ ପକ୍ଷ–୨୦୨୬ ପାଳନର ପଞ୍ଚମ ଦିନ ଜିଲ୍ଲାସ୍ତରୀୟ ଐତିହ୍ୟ ଗଣଦୌଡ ସମ୍ପନ୍ନ
ବାରିପଦା, (୦୫/୦୪): ଓଡ଼ିଶା ସରକାରଙ୍କ ପକ୍ଷରୁ ପାଳିତ ହେଉଥିବା “ଓଡ଼ିଆ ପକ୍ଷ–୨୦୨୬” ଅବସରରେ ପଞ୍ଚମ ଦିନର କାର୍ଯ୍ୟକ୍ରମ ଭାବେ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲାସ୍ତରୀୟ “ଐତିହ୍ୟ ଗଣଦୌଡ଼” ବେଶ୍ ଉତ୍ସାହ ଓ ଉଦ୍ଦୀପନା ସହ ସମ୍ପନ୍ନ ହୋଇଛି। ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଯୁବମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ୧ ଏପ୍ରିଲ୍ ରୁ ୧୪ ଏପ୍ରିଲ୍ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଳିତ ହେଉଥିବା ଓଡ଼ିଆ ପକ୍ଷର ଲକ୍ଷ୍ୟ ହେଉଛି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପାରମ୍ପରିକ ଖାଦ୍ୟ ଓ ଐତିହ୍ୟର ପ୍ରଚାର ଓ ସୁରକ୍ଷା। ଏହା ଅନୁସାରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବିଷୟବସ୍ତୁର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ଓ ଏଥିରେ ସରକାରୀ ବିଭାଗ ସହ ସାଧାରଣ ଲୋକଙ୍କ ଭାଗୀଦାରିତାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ଆଜିର “ଐତିହ୍ୟ ଗଣଦୌଡ଼”ର ମୂଳ ଉଦ୍ଦେଶ୍ୟ ଥିଲା ଯୁବପିଢ଼ୀଙ୍କୁ ଓଡ଼ିଶାର ଐତିହ୍ୟ ସ୍ଥଳୀ, ସଂସ୍କୃତି ଓ ଗୌରବମୟ ଇତିହାସ ସହିତ ଯୋଡ଼ିବା ସହ ଶାରୀରିକ ସୁସ୍ଥତା ପ୍ରତି ସଚେତନ କରିବା । ଏହି ଗଣଦୌଡ଼ରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରୁ ପ୍ରାୟ ୧୬୫ ଜଣରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଗଣଦୌଡ଼କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଓଡ଼ିଆ ପକ୍ଷ କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଓଡ଼ିଆ ଅସ୍ମିତା ଓ ପରିଚୟକୁ ସୁଦୃଢ କରିବାର ଏକ ସାମୁହିକ ଆନ୍ଦୋଳନ। ଏପରି ଐତିହ୍ୟ ଗଣଦୌଡ଼ ଯୁବପିଢ଼ୀଙ୍କୁ ନିଜ ମୂଳ ସଂସ୍କୃତି ସହିତ ଯୋଡ଼ି ରଖିବା ସହ ତାଙ୍କ ମଧ୍ୟରେ ଜାତୀୟ ଓ ସାମାଜିକ ମୂଲ୍ୟବୋଧ ଜୀବନ ଗଢ଼ି ତୋଳିବାରେ ଉପାଦେୟ ହେବ। ସେ ଆହୁରି କହିଥିଲେ ଯେ, ଓଡ଼ିଆ ପକ୍ଷ ମାଧ୍ୟମରେ ଭାଷା, ସଂସ୍କୃତି ଓ ପାରମ୍ପରିକ ଜୀବନଶୈଳୀକୁ ପୁନରୁଜ୍ଜୀବିତ କରାଯାଉଛି ଓ ଏହାର ଲାଭ ଆଗାମୀ ପିଢ଼ୀ ପର୍ଯ୍ୟନ୍ତ ପହଞ୍ଚି ପାରିବ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ମୟୂରଭଞ୍ଜ କ୍ରୀଡା ଛାତ୍ରାବାସର କର୍ମଚାରୀବୃନ୍ଦ, ଶାରୀରିକ ଶିକ୍ଷକ, ପୋଲିସ ବିଭାଗ ଓ ଚିକିତ୍ସା ଦଳ ମାନେ ସକ୍ରିୟ ସହଯୋଗ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0