ଉତ୍କଳ ଆଲୁମିନା ସିଏସଆର ପ୍ରତାରଣା ଅଭିଯୋଗ: ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଖଣି ପ୍ରଭାବିତ ଅଞ୍ଚଳବାସୀ

Jul 8, 2026 - 05:25
 0  3
ଉତ୍କଳ ଆଲୁମିନା ସିଏସଆର ପ୍ରତାରଣା ଅଭିଯୋଗ: ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଖଣି ପ୍ରଭାବିତ ଅଞ୍ଚଳବାସୀ

କଳାହାଣ୍ଡି (ମକୁନ୍ଦ ନାଏକ :(ଫାଷ୍ଟ ନ୍ୟୁଜ ଓଡିଶା )ଉତ୍କଳ ଆଲୁମିନା କମ୍ପାନୀର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଓ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଠାରେ ଏକ ବିଶାଳ ଗଣଘେରାଉ ଅନୁଷ୍ଠିତ ହୋଇଯାଇଛି। ମାଳିଗାଁ, ଗୋପୀନାଥପୁର ଏବଂ ଓଡ୍ରି ଗ୍ରାମପଞ୍ଚାୟତର ଶତାଧିକ କ୍ଷତିଗ୍ରସ୍ତ ଜନସାଧାରଣ ଏକ ବିଶାଳ ରାଲି ମାଧ୍ୟମରେ ଆସି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ଲକ ପରିସରରେ ଏକ ଜନଶୁଣାଣି ବୈଠକ ଆହୂତ ହୋଇଥିଲା। ଏଥିରେ ଭବାନୀପାଟଣା ଉପ-ଜିଲ୍ଲାପାଳ ପ୍ରଭାତ ପରିଡ଼ା, ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀ ଏବଂ ଅତିରିକ୍ତ ତହସିଲଦାର ତପନ କୁମାର ପତିଙ୍କ ସମେତ ବୋହୂ ଜିଲ୍ଲା ଅଧିକାରୀ ଉପସ୍ଥିତ ଥିଲେ। ଅପରପକ୍ଷରେ ଉତ୍କଳ ଆଲୁମିନା କମ୍ପାନୀ ତରଫରଖ ସିଏସଆର ଏଜିଏମ ମନୋଜ କୁମାର ଦାସ, ଜନସମ୍ପର୍କ ଅଧିକାରୀ ସୁଶାନ୍ତ ଧଳ ଏବଂ ଫାଇନାନ୍ସ ମ୍ୟାନେଜମେଣ୍ଟ ଅଧିକାରୀ ବିନୋଦ ପୂଜାରୀ ଆଲୋଚନାରେ ଭାଗ ନେଇଥିଲେ। ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ସଦର ଏସଡିପିଓ ଏବଂ ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏହି ଜନଶୁଣାଣି ଓ ଆନ୍ଦୋଳନର ମୁଖ୍ୟ ପ୍ରସଙ୍ଗ ଥିଲା ପ୍ରଭାବିତ ପରିବାରକୁ ଚୁକ୍ତି ମୁତାବକ ମାସିକ ଭତ୍ତା ପ୍ରଦାନ ନକରିବା। ବୈଠକରେ ଉତ୍ତ୍ୟକ୍ତ ଅଞ୍ଚଳବାସୀ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସିଧାସଳଖ ଚେତାବନୀ ଦେଇ କହିଛନ୍ତି, "କମ୍ପାନୀ ସ୍ଥାନୀୟ ଅଞ୍ଚଳର କୌଣସି ବିକାଶମୂଳକ କାର୍ଯ୍ୟ କରୁନାହିଁ। ଆମକୁ ଆଉ କିଛି ଦରକାର ନାହିଁ, କେବଳ ପୂର୍ବ ଚୁକ୍ତି ଅନୁଯାୟୀ ପ୍ରତ୍ୟେକ ପ୍ରଭାବିତ ପରିବାରକୁ ମାସିକ ୩ ରୁ ୫ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଉ।" ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ର ଅନୁଯାୟୀ, କମ୍ପାନୀ ସୁରକ୍ଷା ନିୟମକୁ ଅଣଦେଖା କରି ମାସକୁ ମାତ୍ର ୪ ଥର ବଦଳରେ ୨୫ ରୁ ୩୦ ଥର ପର୍ଯ୍ୟନ୍ତ ଅନିୟମିତ ବ୍ଲାଷ୍ଟିଙ୍ଗ୍ କରୁଛି, ଯାହାଫଳରେ ସ୍ଥାନୀୟ ଜଳ, ବାୟୁ ଓ ମୃତ୍ତିକା ବ୍ୟାପକ ଭାବେ ପ୍ରଦୂଷିତ ହେଉଛି। ଏହାସହ ସିଏସଆର ପାଣ୍ଠି ବିନିଯୋଗ କ୍ଷେତ୍ରରେ କାଶୀପୁର ଅଞ୍ଚଳରେ ୫ ଲକ୍ଷରୁ ଅଧିକ ଟଙ୍କାର କାମ ହେଉଥିବା ବେଳେ ମୂଳ ଖଣି ପ୍ରଭାବିତ ଥୁଆମୂଳ ରାମପୁର ଅଞ୍ଚଳରେ ମାତ୍ର ୨ ଲକ୍ଷ ଟଙ୍କାରୁ କମ୍ ବ୍ୟୟରେ ନିମ୍ନମାନର କାର୍ଯ୍ୟ କରାଯାଉଥିବା ନେଇ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମଗୁଡ଼ିକରେ ସ୍ୱଚ୍ଛ ପାନୀୟ ଜଳ, ପକ୍କା ରାସ୍ତା, ଉଚ୍ଚଶିକ୍ଷା ପାଇଁ ଆଇଟିଆଇ କଲେଜ ଓ ଓଡ୍ରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ଶିକ୍ଷିତ ଯୁବକଯୁବତୀମାନେ ବାଧ୍ୟ ହୋଇ ଦାଦନ ଖଟିବାକୁ ପଳାୟନ କରୁଛନ୍ତି। ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଜୁଲାଇ ୭ ତାରିଖ ସୁଦ୍ଧା ସମାଧାନ ବଦଳରେ କମ୍ପାନୀ କର୍ତ୍ତୃପକ୍ଷ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା ବାହାନାରେ ଆହୁରି ମାସେ ସମୟ ମାଗିଥିଲେ, ଯାହାକୁ ଆନ୍ଦୋଳନକାରୀମାନେ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ବୈଠକ ବିଫଳ ହେବା ପରେ କ୍ଷତିଗ୍ରସ୍ତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ଯେ, ଯେ ପର୍ଯ୍ୟନ୍ତ ମାସିକ ଭତ୍ତା ସମେତ ସମସ୍ତ ଦାବି ପୂରଣ ନହୋଇଛି, ଆଗାମୀ ଦିନରେ ବାଫ୍ଲାମାଳି ଖଣି କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ସମସ୍ତ ପରିବହନ ଗାଡ଼ିକୁ ଅଟକ ରଖି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ