।। ଆମ୍ବ ଟାକୁଆର କୋଇଲି ଜାଉ ଖାଇ ୨ ମୃତ, ୬ ଗୁରୁତର ।।

Nov 1, 2024 - 15:34
 0  14
।। ଆମ୍ବ ଟାକୁଆର କୋଇଲି ଜାଉ ଖାଇ ୨ ମୃତ, ୬ ଗୁରୁତର ।।

କନ୍ଧମାଳ :(ଫାଷ୍ଟ ନ୍ୟୁଜ ଓଡିଶା): ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଛି। କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏଥିରେ ଅନ୍ୟ ୬ଜଣ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳିଛି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି। ମାଣ୍ଡିପଙ୍କା ଦଡ଼ାସାହି ର ରୁନୁ ମାଝୀ(୩୦) ଏବଂ ରୁମିତା ପାଟମାଝୀ (୨୮)। ରୁନୁ ଜଣେ ଦିବ୍ୟାଙ୍ଗ ଯୁବତୀ ହୋଇଥିବା ବେଳେ ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅସୁସ୍ଥଙ୍କ ମଧ୍ୟରେ ପ୍ରଭାତୀ ପାଟମାଝୀ (୩୨), ଡ୍ରାଙ୍ଗାଲୁ ପାଟମାଝୀ (୫୫), ଟୁନି ମାଝୀ (୪୫), ସୁଷମା ପାଟମାଝୀ (୨୮), ଜିତା ମାଝୀ (୩୦), ଜେବନ୍ତ ମାଝୀ (୩୦) ଗୁରୁତର ରହିଥିବା ବେଳେ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅଧିକ ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଖବର ପାଇ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ଏବଂ ତହସିଲଦାର ଶରତ ଶବର ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। କେଉଁ ପରିସ୍ଥିତିରେ ମାଣ୍ଡିପଙ୍କାର ଏହି ମହିଳା ମାନେ ଆମ୍ବ ଟାକୁଆ ଖାଇଲେ ସେ ନେଇ ତଦନ୍ତ ଆରମ୍ଭ ହୋଇଥିବା ବିଷୟ ବିଡିଓ ଶ୍ରୀ ରଥ 9କହିଛନ୍ତି। ପ୍ରକାଶ ଯେ, ଗତ ୨୯ ତାରିଖରେ ୬ ଟି ପରିବାରର ୮ ଜଣ ଆମ୍ବ ଟାକୁଆକୁ ଜାଉ କରି ଖାଦ୍ୟ ଭାବେ ଖାଇଥିଲେ ଏବଂ ତା’ ପରଦିନ ମଧ୍ୟ ଉକ୍ତ ବାସି ଆମ୍ବ ଟାକୁଆକୁ ପୁନର୍ବାର ଖାଇଥିଲେ। ଫଳରେ ଖାଦ୍ୟ ଖାଇବା ପରେ ସେମାନଙ୍କୁ ପ୍ରଥମେ ବାନ୍ତି ହୋଇଥିଲା। ସମସ୍ତ ଗୁରୁତରଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ଗୁରୁତର ରମିତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ନେବା ସମୟରେ ରୁନୁଙ୍କ ବାଟରେ ମୃତ୍ୟୁ ହୋଇଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ବାରମ୍ବାର ଏପରି ଘଟଣା ଘଟୁଥିବା ସାମ୍ନାକୁ ଆସିଛି। ଦାରିଦ୍ର୍ୟ ଏବଂ ସଚେତନତା ଅଭାବରୁ ଲୋକମାନେ ଆମ୍ବ ଟାକୁଆକୁ ଜାଉ କରି ଖାଇବାକୁ ବାଧ୍ୟ ହେଉଛନ୍ତି। ଯାହାଫଳରେ ଏପରି ଘଟଣା ଘଟୁଛି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ