ମାଲକାନଗିରିରେ ଐତିହ୍ୟ ଗଣ ଦୌଡ଼ ଅନୁଷ୍ଠିତ:ସାମିଲ ହେଲେ ଶତାଧିକ ଛାତ୍ରଛାତ୍ରୀ ଓ ବିଏସଏଫ୍ ଯବାନ

Apr 5, 2026 - 13:34
 0  12
ମାଲକାନଗିରିରେ ଐତିହ୍ୟ ଗଣ ଦୌଡ଼ ଅନୁଷ୍ଠିତ:ସାମିଲ ହେଲେ ଶତାଧିକ ଛାତ୍ରଛାତ୍ରୀ ଓ ବିଏସଏଫ୍ ଯବାନ

ମାଲକାନଗିରି,୫/୪/୨୬: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ଵିଭାଗର ମିଳିତ ଆନୁକୁଲ୍ୟରେ ଓଡ଼ିଆ ପକ୍ଷ ପାଳନର ପଞ୍ଚମ ଦିବସରେ ସ୍ଥାନୀୟ ଡିଏନକେ ଖେଳ ପଡ଼ିଆ ଠାରୁ ସ୍ପୋର୍ଟସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଏକ ଐତିହ୍ୟ ଗଣ ଦୌଡ଼ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ ଓଡ଼ିଶାର ବୀରତ୍ୱ ଓ ସଂସ୍କୃତି ଉପରେ ଆଲୋକପାତ କରି କହିଥିଲେ ଯେ ଆଜିର ଏହି ଐତିହ୍ୟ ଦୌଡ଼ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ, ବରଂ ଆମର ସମୃଦ୍ଧ ଅତୀତ ସହ ଯୋଡ଼ି ହେବାର ଏକ ମାଧ୍ୟମ। ମହାମେଘବାହନ ଐର ଖାରବେଳଙ୍କ ବିଜୟ ଅଭିଯାନ, ଶେଷ ସ୍ଵାଧୀନ ସମ୍ରାଟ ମୁକୁନ୍ଦ ଦେବଙ୍କ ଅଦମ୍ୟ ସାହସ ଏବଂ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିବା ସମ୍ରାଟ ଅଶୋକଙ୍କ ଇତିହାସ ଆମ ମାଟିକୁ ଗୌରବାନ୍ୱିତ କରିଛି। ଅନ୍ୟପଟେ, କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ବେଦବର ପ୍ରଧାନ ଓଡ଼ିଶାର ଐତିହ୍ୟର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ବିଶ୍ୱବିଦିତ। ଏହି ଗୌରବମୟ ଇତିହାସକୁ ମନେ ପକାଇବା ସହ ଆମର ଐତିହ୍ୟ ସ୍ଥଳୀଗୁଡ଼ିକର ସଂରକ୍ଷଣ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ଏହି ଐତିହାସିକ ଦୌଡ଼ ମାଧ୍ୟମରେ ଆମେ ଆମର ବୀର ଯୋଦ୍ଧା ଓ ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ ଜଣାଉଛୁ, ଯାହା ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ ଓ ସଚେତନତା ଜାଗ୍ରତ କରିବ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥାର ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍, ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ଉପସ୍ଥିତ ଥିଲେ। ସେହିପରି ସୀମା ସୁରକ୍ଷା ବଳ ର ବରିଷ୍ଠ ଅଧିକାରୀ ଓ ଯବାନମାନେ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟାନ୍ୟ ଅତିଥି ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଦୌଡ଼ର ଗୁରୁତ୍ୱ ଉପରେ ଆଲୋକପାତ କରି ଏକ ସ୍ୱରରେ କହିଥିଲେ ଯେ ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଶାର ଐତିହ୍ୟ ପ୍ରତି ଆଗ୍ରହ ବଢ଼ିବା ସହ ଶୃଙ୍ଖଳିତ ଜୀବନଶୈଳୀ ଗଠନରେ ଏହା ସହାୟକ ହେବ। ଏହି ଐତିହାସିକ ଦୌଡ଼ ଆମର ବୀର ଯୋଦ୍ଧାମାନଙ୍କ ପ୍ରତି ଏକ ପ୍ରକୃତ ସମ୍ମାନ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତୁରୁକ୍‌ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ ଓ କଲେଜର ଶତାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। କ୍ରୀଡ଼ା ବିଭାଗର ସମସ୍ତ କର୍ମଚାରୀ ଏହାକୁ ସଫଳ କରିବାରେ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ