ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୨୦୨୬ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ୭୨ ଦିନିଆ କାଉଣ୍ଟଡାଉନ୍ କାର୍ଯ୍ୟକ୍ରମ ସମାପନ
ବାରିପଦା ୧୦/୦୪: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂର ଓ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ଶୁକ୍ରବାର ଦିନ, ୨୦୨୬ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଏକ ୭୨ ଦିନିଆ କାଉଣ୍ଟଡାଉନ୍ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ, ନୂଆଦିଲ୍ଲୀ, ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ଦ୍ୱାରା ଜାରି ନିର୍ଦ୍ଦେଶାବଳୀକୁ ପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ଜନସାଧାରଣଙ୍କ ମଧ୍ୟରେ ଯୋଗ ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ, ମାନସିକ ସୁସ୍ଥତା ଏବଂ ସାମାଜିକ ସମନ୍ୱୟ ପାଇଁ ଏହାକୁ ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବେ ବିଶ୍ୱବିଦ୍ୟାଳୟର ଇନଡୋର ଷ୍ଟାଡିୟମରେ ଏକ ସାଧାରଣ ଯୋଗ ପ୍ରୋଟୋକଲ ଅଭ୍ୟାସ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ମହାନ୍ତି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ପ୍ରତିଦିନ ଯୋଗାଭ୍ୟାସ କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ଏହି ଅଧିବେଶନରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ, ସିଡିଓଇର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ, ସ୍ଥାନୀୟ କର୍ପୋରେଟର ଶ୍ରୀ ଶିବ ଶଙ୍କର ପାତ୍ର, ପ୍ରଫେସର ଏମ୍ ହିମବିନ୍ଦୁ, ପ୍ରଫେସର ପ୍ରମୋଦ କୁମାର ଶତପଥି, ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅଧିବେଶନରେ ୯୦ ଜଣ ସ୍କୁଲ୍ ଛାତ୍ରଛାତ୍ରୀ, ୧୧୬ ଜଣ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ୩୮୪ ଜଣ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଓ ୩୧ ଜଣ କର୍ମଚାରୀ ଏପରି ସମୁଦାୟ ୬୨୧ ଜଣ ଯୋଗାଭ୍ୟାସ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଏବଂ ପ୍ରଶିକ୍ଷକ ଡକ୍ଟର ସୁଜାତା ପଣ୍ଡା, ଡକ୍ଟର ହିମାଂଶୁ ପରିଡା, ଡକ୍ଟର ସୁଜାତା ଜେନା, ଡକ୍ଟର ସାଗର ମନ୍ତ୍ରୀ ଏବଂ ଶ୍ରୀ କମଳ ବୈଠାଙ୍କ ଏହି ଯୋଗାଭ୍ୟାସକୁ ପରିଚାଳନା କରିଥିଲେ । ସିଡିଓଇର ଉପନିର୍ଦ୍ଦେଶକ ଡକ୍ଟର ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାଉଣ୍ଟଡାଉନ୍ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ପଦକ୍ଷେପର ଏକ ଅଂଶ ଭାବରେ, ଗୁରୁବାର ଦିନ ପ୍ରଥମାର୍ଦ୍ଧରେ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀମାନଙ୍କ ପାଇଁ ଏକ ଯୋଗ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଦ୍ୱିତୀୟାର୍ଦ୍ଧରେ "ସୁସ୍ଥତା, ଜ୍ଞାନ ଏବଂ ବିଶ୍ୱ ଶାନ୍ତି ପାଇଁ ଯୋଗ" ବିଷୟବସ୍ତୁ ଉପରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ଯୋଗ ବିଜ୍ଞାନ ପ୍ରଫେସର ଏବଂ ମୁଖ୍ୟ ଡକ୍ଟର ଦିନେଶ ପ୍ରସାଦ ସ୍ୱାଇଁ ଓ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷା ଏବଂ ଶାରୀରିକ ଶିକ୍ଷା ବିଭାଗର ପ୍ରଫେସର ଏବଂ ମୁଖ୍ୟ ଡକ୍ଟର ଭରତ କୁମାର ପଣ୍ଡା ବକ୍ତା ଭାବେ ଯୋଗ ଦେଇ ଯୋଗର ବୈଜ୍ଞାନିକ, ଚିକିତ୍ସାଗତ ଏବଂ ପ୍ରତିରୋଧକ ଦିଗଗୁଡ଼ିକ ଉପରେ ଆଲୋଚନା କରିବା ସହ ଚାପ ପରିଚାଳନା, ଜୀବନଶୈଳୀ ବିକାର ରୋକିବା, ମାନସିକ ସ୍ୱାସ୍ଥ୍ୟ, ଆଭ୍ୟନ୍ତରୀଣ ଶାନ୍ତି ଏବଂ ବିଶ୍ୱ ସମନ୍ୱୟକୁ ପ୍ରୋତ୍ସାହିତ କରିବାରେ ଯୋଗର ଭୂମିକା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସିଡିଓଇର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0