ପ୍ରୋତ୍ସାହନ ଅଭାବରୁ ଦୁର୍ଦ୍ଦିନରେ ଖଲିପତ୍ର କାରିଗର

Dec 4, 2025 - 21:22
 0  4
ପ୍ରୋତ୍ସାହନ ଅଭାବରୁ ଦୁର୍ଦ୍ଦିନରେ ଖଲିପତ୍ର କାରିଗର

କୋଲାବିରା,୪।୧୨(ଫାଷ୍ଟ ନ୍ୟୁଜ ଓଡିଶା): ଏକଦା ଲଘୁ ବନଜାତ ସାମଗ୍ରୀ ବିକ୍ରିବଟା କରି ପରିବାର ଗୁଜୁରାଣ ମେଣ୍ଟାଉଥ‌ିବା ଆଦିବାସୀ ଅଧ୍ୟଷିତ ଜିଲ୍ଲାର ଅଧିବାସୀଙ୍କୁ ଏବେ ସୁଯୋଗ ମିଳୁନାହିଁ । ଗୋଟିଏ ପଟେ ଜଙ୍ଗଲ ଲୋପ ପାଉଥ‌ିବା ବେଳେ ଅନ୍ୟପଟେ ପ୍ଲାଷ୍ଟିକ ଓ ପଲିଥୁନର ବହୁଳ ବ୍ୟବହାର ପାଇଁ ବନବାସୀଙ୍କ ରୋଜଗାର ବାଟ ଠପ ହୋଇଯାଇଛି । ସରକାରଙ୍କ ପକ୍ଷରୁ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲେ ମଧ୍ୟ ବାସ୍ତବରେ କଟକଣା ବାଟବଣା ପାଇଁ ଯଥା ପୂର୍ବ ତଥା ପର ବଜାରରେ ରାଜ କରୁଛି ପଲିଥୁନ ସାମଗ୍ରୀ । ପଲିଥନ କଟକଣା ପାଇଁ ଖଲିପତ୍ର କାରିଗରଙ୍କ ରୋଜଗାର ବୃଦ୍ଧି ପାଉଥ‌ିବାବେଳେ ଏବେ ପୁଲିଥୁନର ବ୍ୟାପକ କାରବାର କାରିଗରଙ୍କ ହାତ ବାନ୍ଧି ଦେଇଛି । ସରକାରଙ୍କ ପକ୍ଷରୁ ଖଲିପତ୍ର ସାମଗ୍ରୀ ଉତ୍ପାଦନ ସଂସ୍ଥା ନିମନ୍ତେ ପ୍ରୋତ୍ସାହନ ସହ ବଜାର ସୁବିଧା ଉପଲବ୍ଧ ଯୋଜନା ଏବେ ଯୋଜନ ଦୂରରେ ରହିଯାଇଛି ବୋଲି କାରିଗର ମହଲରେ ଆଲୋଚନା ହେଉଛି। ସୂଚନା ଅନୁଯାୟୀ ଆଦିବାସୀ ଅଧ୍ୟଷିତ ଜିଲ୍ଲାର ବନବାସୀଙ୍କ ପୂର୍ବପୁରୁଷ ଜଙ୍ଗଲରୁ ଝୁଣା, ମହୁ, ଶାଳପତ୍ର, କାଠ, ଛତୁ, ଦାନ୍ତକାଠି ଇତ୍ୟାଦି ସଂଗ୍ରହ କରି ତେଲ ଲୁଣର ସଂସାର ଚଳାଉଥ‌ିବା ବେଳେ ଏବେ ଆଉ ସେସବୁ ସହଜ ନାହିଁ । ତେବେ ସଂଗୃହିତ ଶାଳପତ୍ରରୁ ପ୍ରସ୍ତୁତ ଥାଳି ଓ ଗିନାର ବଜାର ଚାହିଦା ଏବେ ମଧ୍ୟ ରହିଛି ଓ ବିଭିନ୍ନ ଅଞ୍ଚଳରେ କାରିଗର ଖଲିପତ୍ର ଉତ୍ପାଦନ କରୁଛନ୍ତି । ତେବେ ସରକାରୀ ସ୍ତରରେ ଖଲି ଉତ୍ପାଦନ ୟୁନିଟ ନିମନ୍ତେ ପ୍ରୋତ୍ସାହନ ସହ ବଜାର ସୁବିଧା ଉପଲବ୍ଧ କରାଯାଉନାହିଁ । ଉତ୍ପାଦିତ ଖଲିପତ୍ର ସ୍ଥାନୀୟ ଅଞ୍ଚଳରେ ହେଉଥ‌ିବା ପର୍ବପର୍ବାଣୀ ଓ ବିଭାପୁଆଣୀରେ ବିକ୍ରିବଟା ହେଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉନାହିଁ । ମିଶନ ଶକ୍ତି ମହିଳା ସଂୟ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ଆଗ୍ରହ ରହିଥିଲେ ମଧ୍ୟ ସୁଯୋଗ ହାତପାହାନ୍ତାରେ ନାହିଁ । ଖଲିପତ୍ର ସିଲେଇ କଳାକୌଶଳ ଶିଖିଲେ ମଧ୍ୟ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ସହ କାରିଗର ମାନଙ୍କୁ ଉନ୍ନତ ତାଲିମ ବ୍ୟବସ୍ଥା ନାହିଁ । ବଜାରରେ ପଲିଥିନ ଅପେକ୍ଷା ଖଲିପତ୍ର ଚାହିଦା ଅଧ‌ିକ ରହିଥିଲେ ମଧ୍ୟ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗ ମିଳୁନାହିଁ | କାରିଗରଙ୍କ ପାଇଁ ବର୍ଷତମାମ ଖଲିପତ୍ର ଉତ୍ପାଦନ ସହ ବିକ୍ରିବଟା ସୁଯୋଗ ରହିଥିଲେ ମଧ୍ୟ ପ୍ରୋତ୍ସାହନ ଅଭାବରୁ କେବଳ ହାତଗଣତି କିଛି ଦିନ କାରିଗରଙ୍କୁ ରୋଜଗାର ମିଳିପାରୁଛି । ଅନ୍ୟ ସମୟରେ ହାତବାନ୍ଧି ବସୁଛନ୍ତି କାରିଗର । ସରକାରଙ୍କ ପକ୍ଷରୁ ପଲିଥୁନ କଟକଣା କଡାକଡି କରାଯିବା ସହ ଏସଏଚଜି ସଦସ୍ୟାମାନଙ୍କୁ ନେଇ ଖଲିପତ୍ର ଉତ୍ପାଦନ ୟୁନିଟ ପ୍ରତିଷ୍ଠା ଉଦ୍ୟମ କରାଯାଇଉ ଓରମାସ ସହଯୋଗରେ ବଜାର ସୁବିଧା ଉପଲବ୍ଧ କରାଯିବାକୁ କାରିଗର ମହଲରେ ଦାବି ହେଉଛି।

କୋଲାବିରା ରୁ ସମୀର କୁମାର ନାଏକଙ୍କ ରିପୋର୍ଟ,ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ